ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସ୍ଥିତ ଜୟୀ ରାଜଗୁରୁ ଟାଉନହଲ ଠାରେ ଅନୁଷ୍ଠିତ ପାଇକ ବିଦ୍ରୋହର ମହାନାୟକ, ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟ ସ୍ତରୀୟ ଶ୍ରାଦ୍ଧଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସଭାକୁ ସମ୍ବୋଧିତ କରିଛନ୍ତି।
ଖୋର୍ଦ୍ଧା ମାଟି ହେଉଛି ବ୍ରିଟିଶ ଶାସନ ବିରୋଧରେ ହୋଇଥିବା ପ୍ରଥମ ସଶସ୍ତ୍ର ଆନ୍ଦୋଳନର ମୂକସାକ୍ଷୀ।ଓଡିଆ ଜାତିର ଅଦମ୍ୟ ସାହସର ଜ୍ୱଳନ୍ତ ଗାଥା ପାଇକ ବିଦ୍ରୋହ ଥିଲା ବ୍ରିଟିଶ ବିରୋଧରେ ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସଂଗ୍ରାମ।ବକ୍ସି ଜଗବନ୍ଧୁ ଏହି ସଂଗ୍ରାମର ମଙ୍ଗ ଧରିଥିଲେ ଏବଂ ବୀର ପାଇକମାନଙ୍କୁ ଏକାଠି କରି ଇଂରେଜଙ୍କ ବିରୁଦ୍ଧରେ ବିଦ୍ରୋହର ବହ୍ନି ପ୍ରଜ୍ୱଳିତ କରିଥିଲେ।ଏହି ମହାନ ସଂଗ୍ରାମୀଙ୍କ ରଣକୌଶଳ, ତ୍ୟାଗ ଓ ଅମାପ ସାହସ ଯୁବପିଢିଙ୍କ ପାଇଁ ଚିର ଆଦର୍ଶ ଓ ସ୍ମରଣୀୟ ହୋଇ ରହିବ।
ଓଡ଼ିଶାର ବୀର ସଂଗ୍ରାମୀଙ୍କ ଶୌର୍ଯ୍ୟ ଓ ବୀରତ୍ୱର କାହାଣୀ ସର୍ବଭାରତୀୟ ସ୍ତରରେ ପ୍ରସାରିତ ହେବା ଆବଶ୍ୟକ।ଏ ଦିଗରେ ରଚନାତ୍ମକ ପ୍ରକ୍ରିୟା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି।ଆମର ବୀରତ୍ୱର ଇତିହାସ ବିଷୟରେ ଆଗାମୀ ପିଢ଼ି ଜାଣିବା ନିହାତି ଜରୁରୀ। ଏକ ବୀରତ୍ୱପୂର୍ଣ୍ଣ ଏବଂ ଶୌର୍ଯ୍ୟମୟ ଜାତିର ଉତ୍ତର ପିଢି ଭାବେ ପୂର୍ବପୁରୁଷଙ୍କ ଅଦମ୍ୟ ସାହସର ଗାଥାକୁ ନେଇ ଓଡ଼ିଆ ଜାତି ଏଥିପାଇଁ ନିଶ୍ଚୟ ଗୌରବାନ୍ୱିତ ଅନୁଭବ କରିବ । ବୀରତ୍ୱର ଚର୍ଚ୍ଚା ଯେତେ ଅଧିକ ହେବ, ରାଜ୍ୟ ସେତେ ଅଧିକ ସମୃଦ୍ଧ ଓ ବିକଶିତ ହେବ। ୨୦୩୬ ସୁଦ୍ଧା ଏକ ସଶକ୍ତ ଓ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଆମେ ଆମର ଯାତ୍ରା ଆରମ୍ଭ କରିଛୁ। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ଭବ୍ୟ ଓ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ଓ ସଂସ୍କୃତି ବିଭାଗକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ପୌର ପରିଷଦର ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।


