Categories
ବିଶେଷ ଖବର

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ। ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ପାଇକ ମାନଙ୍କ ସାମୁହିକ ବିକାଶ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ ଓ ଗବେଷଣାର ବ୍ୟବସ୍ଥା ରହିବ। ଶିକ୍ଷାର୍ଥୀ ମାନଙ୍କ ପାଇଁ ଛାତ୍ର ବୃତ୍ତିର ମଧ୍ୟ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଏହି କେନ୍ଦ୍ର ଗଡ ଖୋର୍ଦ୍ଧା ଠାରେ ଅସ୍ଥାୟୀ ଭାବରେ କାର୍ଯ୍ୟ କରିବା ପରେ ଯଥାଶୀଘ୍ର ଏହି କେନ୍ଦ୍ର ପାଇଁ ସ୍ଥାନ ନିରୂପଣ ଓ ଡି.ପି.ଆର ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ୧୮୧୭ ମସିହାରେ ଖୋର୍ଦ୍ଧା ମାଟିରେ ବକ୍‌ସି ଜଗବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ। ଇଂରେଜ ଶାସନ ବିରୁଦ୍ଧରେ ଏହା ଥିଲା ଦେଶର ପ୍ରଥମ ବିଦ୍ରୋହ ବୋଲି ଐତିହାସିକ ମାନେ ମତପ୍ରକାଶ କରନ୍ତି। ଏହି ମହାନ  ପାଇକ ପରମ୍ପରାକୁ ଉଜ୍ଜିବିତ କରି ରଖିବା ସହ ଏ ଦିଗରେ ଅଧିକ ଗବେଷଣା ପାଇଁ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ମାର୍ଗ ପ୍ରଶସ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

୫-ଟି ସଚିବ ଭି.କେ. ପାଣ୍ଡିଆନ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ ଏବଂ ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ। ଓଡିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ଭାବରେ ଶ୍ରୀ ପାଣ୍ଡିଆନ ବର୍ଣ୍ଣନା କରିଥିଲେ ଏବଂ ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ପରେ ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ପାଇକ ବିଦ୍ରୋହକୁ ତୁରନ୍ତ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ: ବିଜେଡି

ଭୁବନେଶ୍ୱର: ୧୮୧୭ ମସିହାରେ ଘଟିଥିବା ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରାଯାଉ ଯାହା ୧୮୫୭ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ଘଟିଥିଲା ବୋଲି ବିଜେଡି ପକ୍ଷରୁ ଦାବି କରାଯାଇଛି।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମିଳିତ ଭାବେ କହିଛନ୍ତି ଯେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କିମ୍ବଦନ୍ତୀ ସହିତ ଓଡିଶାର ପାଇକ ବିଦ୍ରୋହ ଗତ ଦୁଇ ଶତାବ୍ଦୀରୁ ଅଧିକ ସମୟ ଧରି ୪.୫ କୋଟି ଓଡିଆଙ୍କୁ ପ୍ରେରଣା ଦେଇ ଚାଲିଛି।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୧୮ଜୁଲାଇ ୨୦୧୭ରେ ଓଡିଶା କ୍ୟାବିନେଟ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ଏକ ସଂକଳ୍ପ ପାରିତ କରିଥିଲା। ୨୦୧୭ ଜୁଲାଇ ୧୯ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଥିଲେ। ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବେ ଘୋଷଣା କରିବାକୁ ରାଜନାଥ ସିଂହଙ୍କୁ ଅନୁରୋଧ କରିଥିଲେ।

୨୦୧୭ ଜୁଲାଇ ୨୦ ତାରିଖରେ ନୂଆଦିଲ୍ଲୀରେ ପାଇକ ବିଦ୍ରୋହର ଶତାବ୍ଦୀ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଥିଲା ଯାହାକୁ ତତ୍କାଳୀନ ମାନ୍ୟବର ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ।

୨୦୨୧ ଡିସେମ୍ବର ୬ ତାରିଖରେ ବିଜେଡି ସାଂସଦଙ୍କ ଏକ ପ୍ରତିନିଧିଦଳ ମାନ୍ୟବର କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରି ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ଘୋଷଣା ପାଇଁ ଦାବି କରିଥିଲେ।

ତେବେ ଏହା ଆଶ୍ଚର୍ଯ୍ୟର କଥା ଯେ କେନ୍ଦ୍ରରେ ଥିବା ଦୁଇ ଓଡିଆ ମନ୍ତ୍ରୀ ତଥା ଓଡିଶାର ୮ଜଣ ବିଜେପି ସାଂସଦ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି ଏବଂ କେନ୍ଦ୍ରରେ ଏହି ପ୍ରସଙ୍ଗକୁ ଉଠାଉ ନାହାନ୍ତି। ସଂସଦରେ ଓଡିଆ ବିଜେପି ସାଂସଦମାନେ ଏହି ପ୍ରସଙ୍ଗ ମୁହଁ ଖୋଲିଥିବାର ଆମେ କେବେ ବି ଦେଖିନାହୁଁ। ଏହା ପାଇକ ବିଦ୍ରୋହ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଭୁବନେଶ୍ୱରର ବିଜେପି ସାଂସଦ ମଧ୍ୟ ଏ ପ୍ରସଙ୍ଗରେ ମୁହଁ ନ ଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ହେଉଛି “ଓଡିଆ ଅସ୍ମିତା ଏବଂ ଓଡିଆ ଆତିଥ୍ୟ” ଏବଂ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଦୁଇ ଓଡିଆ ମନ୍ତ୍ରୀ ଏବଂ ୮ଜଣ ବିଜେପି ସାଂସଦ ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଓଡିଶାର ସାଢେ ୪କୋଟି ଲୋକଙ୍କ ସହ ଆମେ ଦୃଢଭାବେ ଦାବି କରୁଛୁ ଯେ କାଳ ବିଳମ୍ବ ନକରି ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବରେ କେନ୍ଦ୍ର ସରକାର ଘୋଷଣା କରନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ବରୁଣେଇ ଠାରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ପ୍ରକଳ୍ପ କାମର ଅଗ୍ରଗତି ନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ପ୍ରକଳ୍ପର ପରିକଳ୍ପନା ୨୦୧୭ ମସିହାରେ ହୋଇଥିଲା। ଏହି ବର୍ଷ ଭାରତର ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ବଜେଟରେ ଅର୍ଥ ବରାଦ କରିବା ସହ ଓଡ଼ିଆ ଜାତିର ବୀରତ୍ୱକୁ ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ପ୍ରଦାନ କରିଥିଲେ। ପରେ ୨୦୧୭ ଜୁଲାଇ ୨୦ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଉପସ୍ଥତିରେ ନୂଆଦିଲ୍ଲୀ ଠାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହର ଆୟୋଜନ ହୋଇଥିଲା। ୨୦୧୮ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରୁଣେଇ ପାଦଦେଶରେ ପାଇକ ବିଦ୍ରୋହର ସ୍ମାରକୀ ମୁଦ୍ରା ଓ ଷ୍ଟାମ୍ପ ଉନ୍ମୋଚନ କରିଥିଲେ। ୨୦୧୯ ଡିସେମ୍ବର ୮ରେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

୨୦୧୭ରୁ ପାଖାପାଖି ୬ ବର୍ଷ ମଧ୍ୟରେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ସବୁ ବୁଝାମଣା ହୋଇ ସାରିଛି। ରାଜ୍ୟ ସରକାର ବରୁଣେଇର ପାଦଦେଶରେ ଜମି ମଧ୍ୟ ଉପଲବ୍ଧ କରାଇଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସବୁ ନିୟମକୁ ମାନିବା ପାଇଁ ପ୍ରସ୍ତୁତ ଅଛନ୍ତି। ପ୍ରକଳ୍ପ ସ୍ଥାନରୁ ବିଦ୍ୟୁତ ଖୁଣ୍ଟ ଓ ଗଛ ହସ୍ତାନ୍ତରଣ ପାଇଁ ଅର୍ଥ ଦିଆଯାଇଛି। ଏହା ସ୍ମାରକୀ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଘଟିଛି। ପାଇକ ବିଦ୍ରୋହ ହେଉଛି ଓଡିଆ ଜାତିର ସ୍ୱାଭିମାନ, ଅସ୍ମିତା ଓ ଗୌରବର ପ୍ରତୀକ। ତେଣୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ପାଇକ ସ୍ମାରକୀ ନିର୍ମାଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏହି ପ୍ରକଳ୍ପ ସ୍ଥାନ ପରିଦର୍ଶନ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଭର୍ତ୍ତୃହରି ମହତାବ ସାଥୀରେ ଥିଲେ।

Categories
ବିଶେଷ ଖବର

ବାଣପୁର ପଞ୍ଚୁଆ ଫତୁରି ଓ ଭାରତୀୟ ଇଂରାଜୀ ଉପନ୍ୟାସର ଉନ୍ମେଷ

ଡକ୍ଟର ସତ୍ୟ ଷଡ଼ଙ୍ଗୀ

୧୮୧୭ ମସିହାରେ ବକ୍ସି ଜଗବନ୍ଧୁ ବାଣପୁରଠାରେ ଯେଉଁ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ, ଇଂରେଜ ପଲଟଣ ତାହାକୁ ଦମନ କଲେ। କିନ୍ତୁ ୧୮୩୬ ମସିହାରେ ପୁଣି ଏଠାରେ ମୁଣ୍ଡ ଟେକିଲା ଆଉ ଏକ ମୁକ୍ତି ସଂଗ୍ରାମ – ଯାହା ଇତିହାସରେ ‘ପଞ୍ଚୁଆ ଫତୁରି’ ନାମରେ ଜଣାଶୁଣା। ଆଶ୍ଚର୍ଯ୍ୟ ଜନକ ଭାବରେ ଏହି ଘଟଣା ସହ ଭାରତୀୟ ଇଂରାଜୀ କଥା ସାହିତ୍ୟର ଯୋଗସୂତ୍ର ରହିଛି।

ପଞ୍ଚୁଆ ଫତୁରିର ମୁଖ୍ୟ ନାୟକ ଥିଲେ ଅରାଙ୍ଗ ଦଳବେହେରା କୃତ୍ତିବାସ ପାଟ୍ଟଶାଣୀ। ତାଙ୍କ ସଂଗ୍ରାମ ଏତେ ପ୍ରଭାବଶାଳୀ ଥିଲା ଯେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକୃତ ଭାରତର ରାଜଧାନୀ କଲିକତାରେ ଅବସ୍ଥାପିତ ଜଣେ ବଙ୍ଗୀୟ ବୁଦ୍ଧିଜୀବୀ ତଥା ଲେଖକ ଶଶୀ ଚନ୍ଦ୍ର ଦତ୍ତ ଗୋଟିଏ ସଂକ୍ଷିପ୍ତ ଉପନ୍ୟାସ ବା Novelette ରଚନା ନିମନ୍ତେ ତହିଁରୁ ପ୍ରେରଣା ଲାଭ କରିଥିଲେ। ପ୍ରସିଦ୍ଧ ‘ଆନନ୍ଦ ମଠ’ (୧୮୮୨) ଉପନ୍ୟାସ ପାଇଁ ବଙ୍କିମ ଚନ୍ଦ୍ର ସନ୍ନ୍ୟାସୀ ବିଦ୍ରୋହ ଦ୍ୱାରା ଅନୁପ୍ରେରିତ ହେଲା ଭଳି ତାହାର ଯଥେଷ୍ଟ ପୂର୍ବରୁ ୧୮୪୫ ମସିହାରେ ପ୍ରକାଶ ପାଇଥିବା ଏହି ରଚନା ପାଇଁ ଶଶୀ ଚନ୍ଦ୍ର ଦତ୍ତ ବାଣପୁର ମୁକ୍ତି ସଂଗ୍ରାମରୁ ପ୍ରେରଣା ପାଇଥିଲେ। କଥାକାର Novelette ର ନାମ ରଖିଥିଲେ – The Republic of Orissa।

ସାଧାରଣତଃ ଯେଉଁ ରାଜ୍ୟର ମୁଖ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି, ସେହି ରାଜ୍ୟକୁ ରିପବ୍ଲିକ୍ କୁହାଯାଏ। ଆଦର୍ଶ ରାଷ୍ଟ୍ରକୁ ମଧ୍ୟ ରିପବ୍ଲିକ୍ କୁହାଯାଏ। ପ୍ଲାଟୋଙ୍କ ରାଷ୍ଟ୍ର ନୀତିଶାସ୍ତ୍ର ଗ୍ରନ୍ଥର ନାମ ରିପବ୍ଲିକ୍। ଆଜି ଭାରତ ମଧ୍ୟ ଗୋଟିଏ ରିପବ୍ଲିକ୍। ପଞ୍ଚୁଆ ଫତୁରିରେ ତାହା ହିଁ ଘଟିଥିଲା।

ସଂଗ୍ରାମର ନେତା ବୀର କୃତ୍ତିବାସଙ୍କ ଆହ୍ୱାନରେ ଅରାଙ୍ଗ ଠାରେ ୧୮୩୬ ଜୁନ୍ ପହିଲାରେ ପାଞ୍ଚଶହ କନ୍ଧ ଓ ପାଇକଙ୍କ ବୈଠକ ବସିଥିଲା। ସେଥିରେ ରୋଡଙ୍ଗରୁ ଆସିଥିବା ପଞ୍ଚାନନ ନାୟକଙ୍କୁ ରାଜା ଘୋଷଣା କରାଗଲା। ଲୋକମତରେ ପଞ୍ଚାନନ ଜଣେ ବଳଦ ବେପାରୀ। ତାଙ୍କର ନୂଆ ନାମ ହେଲା ରାଜା ଶରଣ ସିଂହ। କୃତ୍ତିବାସ ହେଲେ ସେନାପତି ଓ ମନ୍ତ୍ରୀ। ସେହିଦିନ ରାଜା ଶରଣ ସିଂହ ଇଂରେଜ ସରକାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ।

ଓଡିଶାର ଏହି ଅଭିନବ ଘଟଣା ଜାତୀୟତାବାଦୀ ଶିକ୍ଷିତ ଶଶୀ ଚନ୍ଦ୍ର ଦତ୍ତଙ୍କୁ ସ୍ପର୍ଶ କରିଥିଲା।
The Saturday Evening Harkaru ପତ୍ରିକାରେ ପ୍ରକାଶିତ ଉପରୋକ୍ତ କ୍ଷୁଦ୍ର କାହାଣୀଟିକୁ ଓଡିଆରେ ଅନୁବାଦ କରି ଡ. ସୋମା ଚାନ୍ଦ ତାଙ୍କ ‘ଭିନ୍ନ ଦୃଷ୍ଟିରେ ଓଡିଶା’ ପୁସ୍ତକରେ ସ୍ଥାନୀତ କରିଛନ୍ତି। ତାଙ୍କ ମତରେ, “ଓଡ଼ିଆଙ୍କ ସ୍ୱାଧୀନ ଚେତନା, ବିଦ୍ରୋହାତ୍ମକ ଆଭିମୁଖ୍ୟ ବୁଦ୍ଧିଜୀବୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ତେଣୁ ତାଙ୍କର ଜାତୀୟତାବୋଧ ଭିତ୍ତିକ ଏହି କଳ୍ପିତ କାହାଣୀରେ ଓଡିଶାକୁ ଅଗ୍ରଗଣ୍ୟ ଭୂମିକା ଦେବାରେ କାର୍ପଣ୍ୟ କରିନାହାନ୍ତି।” ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟ ଆହୁରି ଗୌରବ ଦାୟକ।

ଭାରତୀୟ ଇଂରାଜୀ କଥା ସାହିତ୍ୟ ଧାରାରେ ଲେଖକ ଶଶୀ ଚନ୍ଦ୍ର ଦତ୍ତଙ୍କ ଉପରୋକ୍ତ କାହାଣୀର କ୍ରମ ହେଉଛି ୨ୟ। ସେ ମହାଶୟଙ୍କର ଅନ୍ୟ ଗୋଟିଏ ଦୀର୍ଘକାୟ ଉପନ୍ୟାସ ମଧ୍ୟ ଅଛି। ତାହାର ଶୀର୍ଷକ ହେଉଛି – The Young Zamindar। ୧୮୮୫ ରେ ବହିଟି ପ୍ରକାଶ ପାଇଥିଲା। ବିସ୍ମୟକର ଭାବରେ ଏହାର ଷଷ୍ଠ ଅଧ୍ୟାୟରେ ବାଣପୁରର ଭୌଗୋଳିକ ବିବରଣୀ, ଅରାଙ୍ଗ ଗଡ଼ର ବର୍ଣ୍ଣନା ସହିତ କୃତ୍ତିବାସ ପାଟ୍ଟଶାଣୀଙ୍କ ସଂଗ୍ରାମର ଗୋଟିଏ ଝଲକ ଦେଖିବାକୁ ମିଳେ।

୧୮୩୬ ଜୁନ୍ ମାସ ୬ ତାରିଖରେ କୃତ୍ତିବାସ ଚିଲିକା ଉପକଣ୍ଠ ବଡକୂଳ ଆକ୍ରମଣ କରିଥିଲେ। ଲେଖକ କାହାଣୀ ଛଳରେ ସେହି ଦୃଶ୍ୟ ପରିବେଷଣ କରି ବାଣପୁର ପଞ୍ଚୁଆ ଫତୁରି ତଥା ଏହାର ନାୟକ ଯୋଦ୍ଧା କୃତ୍ତିବାସଙ୍କୁ ସ୍ୱୀକୃତି ଦେବା ସହ ଅମର କରିଦେଇଛନ୍ତି। (Odisha Review, ଅଗଷ୍ଟ ୨୦୧୭ ସଂଖ୍ୟାରେ ଲେଖକଙ୍କ ପ୍ରକାଶିତ ଲେଖା ଦ୍ରଷ୍ଟବ୍ୟ) The Young Zamindar ଉପନ୍ୟାସରେ କୃତ୍ତିବାସଙ୍କ ଚାକ୍ଷୁସ ବର୍ଣ୍ଣନା ପ୍ରଦାନ କରାଯାଇଥିବା ହେତୁ ଏହା ବଳିଷ୍ଠ ଭାବେ ପ୍ରମାଣିତ ହୁଏ ଯେ The Republic of Orissa ରଚନା ପଛରେ ମଧ୍ୟ କୃତ୍ତିବାସଙ୍କ ପ୍ରେରଣା ବିଦ୍ୟମାନ। ‘ଆଜାଦୀ କୀ ଅମୃତ ମହୋତ୍ସବ’ ପାଳନର ଉଲ୍ଲାସରେ ଏହି ତଥ୍ୟ ଆମମାନଙ୍କ ମନରେ ନୂଆ ଉନ୍ମାଦନା ଭରିଦେଉ।

ଡକ୍ଟର ସତ୍ୟ ଷଡ଼ଙ୍ଗୀ (ଅବସର ପ୍ରାପ୍ତ ଅଧ୍ୟାପକ, ବାଣପୁର), ଯୋଗାଯୋଗ ନଂ- ୯୪୩-୮୩୬-୦୫୧୬ 

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ମିଳିବ ଜମି, ଖୋର୍ଦ୍ଧା ବରୁଣେଇରେ ଦିଆଯିବ ୯.୬୮ ଏକର ଜମି

ଭୁବନେଶ୍ବର: ଶେଷରେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ରାଜ୍ୟ ସରକାର । ଖୋର୍ଦ୍ଧା ବରୁଣେଇରେ ୯.୬୮ ଏକର ଜମି ଦିଆଯିବ । ଏଥିପାଇଁ ୩୧ କୋଟି ୯୭ ଲକ୍ଷ ମଧ୍ୟ ଛାଡ କରାଯାଇଛି। ଆଜି ରାଜ୍ୟ କ୍ୟାବିନେଟର ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି।

ପୂର୍ବରୁ ଏହି ଜମି ଯୋଗାଇ ଦିଆଯାଉ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ଅଭିଯୋଗ କରାଯାଉଥିଲା। ରାଜ୍ୟ ସରକାର ପାଇକ ସ୍ମାରକୀ ପାଇଁ ଜମି ଯୋଗାଇ ଦେବେ ବୋଲି ଘୋଷଣା ମଧ୍ୟ କରିଥିଲେ। ହେଲେ ତାହା ବିଭିନ୍ନ କାରଣରୁ କାର୍ଯ୍ୟକାରୀ କରାଯାଇପାରୁ ନ ଥିଲା। ବର୍ତ୍ତମାନ ଏହି ଜମିକୁ ରାଜ୍ୟ ସରକାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟକୁ ହସ୍ତାନ୍ତର କରିବେ।

ଆଜି ରାଜ୍ୟ ଲୋକସେବା ଭବନରେ ବସିଥିବା କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଗୃହକୁ ଅବଗତ କରାଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକ ସ୍ମାରକୀ ଜମି ଆବଣ୍ଟନ ସହିତ ରାୟଗଡା କାଶୀପୁରରେ ବୃହତ ପାନୀୟ ଜଳ ପ୍ରକଳ୍ପ ହେବ ବୋଲି ନିଷ୍ପତି ହୋଇଛି । କାରଣ ସେଠାରେ ଯେପରି ଝାଡାବାନ୍ତି ରୋଗ ବ୍ୟାପିବାରେ ଲାଗିଛି ଏହି ପ୍ରକଳ୍ପର ଅବଶ୍ୟକତାକୁ ଉପଲବ୍ଧ କରି କ୍ୟାବିନେଟ ଏହି ନିଷ୍ପତି ଗ୍ରହଣ କରିଛନ୍ତି।

ରାୟଗଡା ଜିଲ୍ଲାରେ ୩ଟି ଗ୍ରାମ୍ୟ ପାନୀୟ ଜଳ ଯୋଗଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଉକ୍ତ ପ୍ରକଳ୍ପ ଦ୍ୱାରା ରାୟଗଡାର ୨ଟି ବ୍ଲକ ଅଧୀନରେ ଥିବା ୧୫ ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୨୯ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୫ ହଜାର ୪୦୪ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ।

ସେହିପରି ଶ୍ରଦ୍ଧାଳଙ୍କ ପାଇଁ ପୁରୀ ବାସେଳୀସାହି ଧର୍ମଶାଳା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ୧୩୫ କୋଟି ୬୦ ଲକ୍ଷ ଟଙ୍କାକୁ କ୍ୟାବିନେଟ ସ୍ବୀକୃତି ଦେଇଛନ୍ତି । ଏଥିରେ ଅବଢା ପରିଯୋଜନାରେ ଭକ୍ତଙ୍କ ପାଇଁ କମ ମୂଲ୍ୟର ରହଣି ସୁବିଧା କରାଯିବ। ବିଶେଷ ଭାବରେ ବରିଷ୍ଠ ନାଗରିକ ଏହା ଦ୍ବାରା ବେଶ୍ ଉପକୃତ ହୋଇପାରିବେ। ଏହି ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ନିଷ୍ପତି ହୋଇଛି।

ସେହିପରି ନୂତନ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ନିତି 2022 କୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ମନୋରଂଜନ

ପାଇକ ବିଦ୍ରୋହ ଉପରେ ଆଧାରିତ ‘ବିଦ୍ରୋହୀ’ ଧାରାବାହିକ ଦେଖିବେ ଗୃହମନ୍ତ୍ରୀ, ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଘଟିଥିବା ଓଡ଼ିଆ ଜାତିର ବୀରତ୍ୱର କାହାଣୀ ‘ପାଇକ ବିଦ୍ରୋହ’ ଓ ଏହାର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ଉପରେ ଆଧାରିତ ଧାରାବାହିକ ‘ବିଦ୍ରୋହୀ’ର ସ୍ପେଶାଲ ସ୍କିନିଂ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦେଶର ଗୃହ ମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସାଥୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବେ ।

ଓଡ଼ିଆ ସମାଜ ଓ ବିଦ୍ରୋହୀ ଟିମ୍ ଦ୍ୱାରା ଏହି ସ୍ପେଶାଲ ସ୍କିନିଂର ଆୟୋଜନ କରାଯାଇଛି । ‘ଷ୍ଟାର୍ ପ୍ଲସ୍’ ଭଳି ଜାତୀୟ ସ୍ତରର ପ୍ରମୁଖ ଇଣ୍ଟରଟେନମେଣ୍ଟ୍ ଚ୍ୟାନେଲ୍ ଓ ହଟ୍ ଷ୍ଟାର୍ ଭଳି ଲୋକପ୍ରିୟ ଓଟିଟି ପ୍ଲାଟଫର୍ମରେ ବିଦ୍ରୋହୀ ପ୍ରସାରଣ ହେଉଥିଲା ।

ଆଜି ସଂଧ୍ୟା ୮ଟାରେ ‘ବିଦ୍ରୋହୀ’ ସିରିଏଲର ସ୍ପେଶାଲ ସ୍କିନିଂ କରାଯିବ । ଏହି  କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

୧୮୧୭ ମସିହାରେ ଓଡିଶାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ହୋଇଥିବା ବିଦ୍ରୋହର କାହାଣୀ ଏହି ଧାରାବାହିକରେ ଉଲ୍ଲେଖିତ । ଇଂରେଜମାନଙ୍କ କଠୋର ଆଇନ ବିରୋଧରେ ବୀର ପାଇକମାନଙ୍କ ଭୂମିକା, ତ୍ୟାଗ, ପରାକ୍ରମ ଓ ବିଦ୍ରୋହ ଉପରେ ଏହା ପର୍ଯ୍ୟବେଷିତ ।

ସୁବ୍ରତ ସିହ୍ନାଙ୍କ ପ୍ରଯୋଜିତ ଏହି ଧାରାବାହିକରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଶରଦ ମାଲହୋତ୍ରା ଅଭିନୟ କରିଥିବା ବେଳେ ବକ୍ସି ଜଗବନ୍ଧୁଙ୍କ ରାଣୀ ଭୂମିକାରେ ଅଭିନେତ୍ରୀ ହେମଲ ଦେବ୍ ଏବଂ ଓଡିଆ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଅଭିନୟ କରିଛନ୍ତି ।

Categories
ବିଶେଷ ଖବର

ଇତିହାସ ପୃଷ୍ଟଭୂମିରୁ: ଲାଲ ମାଟିର ଗଡ଼ ଖୋର୍ଦ୍ଧା

ବିଶ୍ବବିଜୟୀ ଦାଶ

ଖୋର୍ଦ୍ଧା: ୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା। ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା। ଖୋର୍ଦ୍ଧା ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ର, ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଏହି ଜିଲ୍ଲା।

ଇତିହାସର ସ୍ମୃତିକୁ ଜାବୁଡ଼ି ଧରିଥିବା ବୀର ଲାଲ ମାଟି ଖୋର୍ଦ୍ଧା, ଯାହାର ମାଟିକୁ ଚିପୁଡିଲେ ରକ୍ତ ବାହାରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ୧୮୧୭ରେ ଏହି ମାଟିରୁ ସଙ୍ଗଠିତ ହୋଇଥିଲା। ପୁଣି ଏହି ମାଟିର ଇତିହାସ ଗାଏ ବୀରତ୍ଵର ଗାଥା। କହେ ସଂହତି ଓ ସଂଘର୍ଷର କଥା। ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ଆରମ୍ଭ ହୋଇଥିବା ସଂଗ୍ରାମର ମୂକସାକ୍ଷୀ ହୋଇ ରହିଛି ଅନେକ ସ୍ଥାନ। ଏଠାରେ କ୍ଷରିଛି ସଂଗ୍ରାମୀଙ୍କ ରକ୍ତ। ସେହି ରକ୍ତ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିଛି ଭାରତକୁ ସେପରି କିଛି ବୀରପୁରୁଷଙ୍କ ପାଇଁ ଖୋର୍ଦ୍ଧାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ବର୍ଷତମାମ ପାଳନ କରିବା ପାଇଁ ସୁଯୋଗ ମିଳିଛି। ଶେଷ ସ୍ଵାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ ଭାବେ ପରିଚିତ ଏ ମାଟି ଶସ୍ୟଶ୍ୟାମଳା।

ସମୃଦ୍ଧ ପବିତ୍ର ମାଟିର ପ୍ରତିଭା, ପାଇକପଟଳ, ସାହିତ୍ୟ, ସଂସ୍କୃତି, ସଂହତି, ଐତିହ୍ୟ, କଳାକାର, ସମରକଳା, ସ୍ଥପତି ଓ ସ୍ଥାପତ୍ୟ ସମଗ୍ର ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିଛନ୍ତି। ନୈସର୍ଗିକ ଶୋଭା ପସରା ବେଷ୍ଟିତ ବରୁଣେଇ ପାହାଡ଼ ପାଦଦେଶରେ ଦୁର୍ଭେଦ୍ୟ ଖୋର୍ଦ୍ଧା ଗଡ଼ ନିର୍ମାଣ କରି ତତ୍କାଳୀନ ଖୋର୍ଦ୍ଧା ରାଜା ଗଜପତି ରାମଚନ୍ଦ୍ର ଦେବଙ୍କ ଅକ୍ଷୟ କୀର୍ତ୍ତି ସ୍ଵର୍ଣ୍ଣାକ୍ଷରରେ ଇତିହାସ ପୃଷ୍ଠା ମଣ୍ଡନ କରିଛି। ଦୁଦ୍ଧର୍ଷ ଯବନ କଳାପାହାଡର ଆକ୍ରମଣ ଯୋଗୁ ଓଡ଼ିଶାର ନୀଳ ଆକାଶରେ ଯେତେବେଳେ ଆତଙ୍କର କଳାବାଦଲ ଘାଟି ଯାଇଥିଲା ସେତେବେଳେ ଉତ୍କଳର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ପ୍ରଧାନସେବକ ଗଜପତି ଓ ପୂଜକମାନେ ନେଇ ଆଶ୍ରୟ ଦେଇଥିଲେ ଘଞ୍ଚ ଅରଣ୍ୟ ପରିବେଷ୍ଟିତ ବରୁଣେଇ ପାହାଡ ପାଦଦେଶସ୍ଥ ଖୋର୍ଦ୍ଧା ଗଡ଼ରେ।

ଶ୍ରୀମନ୍ଦିରରୁ ଦାରୁ ଦେବତାଙ୍କୁ ଅପସାରିତ କରିବା ଅବସରରେ ଶ୍ରୀବିଷ୍ଣୁ ଭକ୍ତ ତଥା ମୃଦଙ୍ଗବାଦକ ବିଶର ମହାନ୍ତି ମୃଦଙ୍ଗ ଗର୍ଭରେ ଶ୍ରୀଜୀଉମାନଙ୍କ ବ୍ରହ୍ମ ନେଇ ରଖିଥିଲେ କୁଜଙ୍ଗ ଜମିଦାରଙ୍କ ଓଳିଆ ଉପରେ। ଖୋର୍ଦ୍ଧାର ଗଜପତି ରାମଚନ୍ଦ୍ର ଦେବ କୁଜଙ୍ଗରୁ ବ୍ରହ୍ମଙ୍କୁ ଅଣାଇ ଖୋର୍ଦ୍ଧାଗଡରେ ବନଯାଗ ପୂର୍ବକ ମୂର୍ତ୍ତି ନିର୍ମାଣ କରାଇ ୧୫୭୫ରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ରତ୍ନ ସିଂହାସନରେ ବିଜେ କରାଇବା ଗୌରବର କଥା। ଜାଗୁଳେଇପାଟଣାରେ ବିଜେ ହାତଗୋଡ ଥିବା ଅନନ୍ତ ପୁରୁଷୋତ୍ତମ ଦେବ ଜଗନ୍ନାଥ) ଗଜପତି ଦିବ୍ୟସିଂହଦେବ ୩ୟଙ୍କୁ ଚତୁର୍ଦ୍ଧାମୂର୍ତ୍ତି ରୂପେ ଦର୍ଶନ ଦେଇଥିବାରୁ ଏଠାକାର ଦାରୁମୂର୍ତ୍ତି ପୂର୍ଣ୍ଣାବୟବରେ ପୂଜିତ। ବ୍ରହ୍ମାଣ୍ଡ ଠାକୁର କାଳିଆ ସାଆନ୍ତଙ୍କ ନବକଳେବର ପାଇଁ ଉଦ୍ଦିଷ୍ଟ ଦେବଲାଗି ଦାରୁ ଖୋର୍ଦ୍ଧା ନିକଟ ଚମ୍ପାଝର ଓ ଦମାଛଗାଡିଆ ପରି ପବିତ୍ର ମୃତ୍ତିକାରେ ବର୍ଦ୍ଧିତ ହୋଇ ଶ୍ରୀଜୀଉଙ୍କ ମୂର୍ତ୍ତି ଗଠନରେ ବ୍ୟବହୃତ ହେବା ଅତୀବ ଗୌରବର ବିଷୟ। ଶ୍ରୀକ୍ଷେତ୍ର ସହିତ ଖୋର୍ଦ୍ଧାର ସମ୍ପର୍କ ବହୁ ପୁରାତନ ଓ ନିବିଡ।

ଖୋର୍ଦ୍ଧା କହିଲେ ଅତୀତରେ ଖୋର୍ଦ୍ଧା ରାଜ୍ୟକୁ ବୁଝାଉଥିଲା, ଯାହାର କେନ୍ଦ୍ରାଞ୍ଚଳ ରାଜଧାନୀ ଗଡ଼ଖୋର୍ଦ୍ଧା ନାମରେ ପରିଚିତ। ଖୋର୍ଦ୍ଧାଗଡ଼ ଭାରତର ଶେଷ ସ୍ୱାଧୀନ ଦୁର୍ଗ ଭାବରେ ସର୍ବବିଦିତ। ତେବେ ଗଡ଼ଖୋର୍ଦ୍ଧାକୁ ଛାଡିଦେଲେ ବର୍ତ୍ତମାନର ଖୋର୍ଦ୍ଧା ସହର। ସେତେବେଳେ ବଣଜଙ୍ଗଲରେ ଭରପୂର ଥିଲା। କାଳକ୍ରମେ ବଣଜଙ୍ଗଲକୁ ସଫା କରି ଜନବସତି ଗଢ଼ିଉଠିଲା।

ଅନ୍ୟପକ୍ଷେ ଖୋର୍ଦ୍ଧାଗଡ଼ ୧୫୬୮ରେ ରାମଚନ୍ଦ୍ର ଦେବଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା। ପରେ ୨୩୫ ବର୍ଷ ଧରି ୧୮୦୪ ଡିସେମ୍ବର ପର୍ଯ୍ୟନ୍ତ ଗଜପତିମାନେ ଶାସନ କରି ଆସୁଥିଲେ। ୧୮୦୪ ଡିସେମ୍ବର ଶେଷ ସପ୍ତାହରେ ଖୋର୍ଦ୍ଧାଗଡ଼ ବ୍ରିଟିଶମାନଙ୍କ ଦଖଲକୁ ଯାଇଥିଲା। ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଓ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ହୋଇଥିଲା, ଯାହାକି ବ୍ରିଟିଶମାନଙ୍କୁ ଭୟଭୀତ କରାଇଥିଲା।

ଜୟୀ ରାଜଗୁରୁଙ୍କୁ ବ୍ରିଟିଶମାନେ ପଶ୍ଚିମବଙ୍ଗର ମେଦିନପୁରଠାରେ ବରଗଛର ଦୁଇ ଡାଳକୁ ଟାଣି ଆଣି ଫାଶୀ ଦେଇଥିଲେ। ସେ ସମୟରେ ଆନ୍ଦୋଳନର ନେତୃତ୍ଵ ନେଉଥିବା ବୀରମାନଙ୍କୁ ସମ୍ମାନ ଜଣାଇ ଗଡ଼ଖୋର୍ଦ୍ଧା ଛକରେ ୧୬ ନଂ. ଜାତୀୟ ରାଜପଥ କଡରେ ପଞ୍ଚପାଇକ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟଶାଣୀ, ତାପଙ୍ଗ ଦଳବେହେରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

ଖୋର୍ଦ୍ଧା ରାଜ୍ୟରେ ଭୋଇବଂଶର ଶାସନ ଚାଲିଥିଲା। ଏଣୁ ୧୫୬୮ରୁ ୧୮୧୭ ଇତିହାସ ହିଁ ଭୋଇବଂଶର। ଇତିହାସ ପ୍ରଥମ ଗଜପତି ଭାବେ ରାମଚନ୍ଦ୍ର ଦେବ (୧୫୬୮-୧୬୦୦) ରାଜ୍ୟ ଶାସନ କରିଥିଲେ। ପରେ ପୁରୁଷୋତ୍ତମଦେବ (୧୬୦୦ରୁ ୧୬୨୧), ନରସିଂହଦେବ (୧୬୨୧ରୁ ୧୬୪୭), ଗଙ୍ଗାଧର ଦେବ (ସ୍ଵଳ୍ପ ସମୟ ରାଜୁତି), ବଳଭଦ୍ର ଦେବ (୧୬୪୭ରୁ ୧୬୫୬), ପ୍ରଥମ ମୁକୁନ୍ଦଦେବ (୧୬୫୭ ରୁ ୧୬୮୯), ପ୍ରଥମ ଦିବ୍ୟସିଂହଦେବ (୧୬୮୯ ରୁ ୧୭୧୬), ହରେକୃଷ୍ଣ ଦେବ (୧୭୧୬ ରୁ ୧୭୨୦),ଗୋପୀନାଥଦେବ (୧୭୨୦ ରୁ ୧୭୨୭), ୨ୟ ରାମଚନ୍ଦ୍ର। ଦେବ (୧୭୨୭ ରୁ୧୭୩୬), ବୀରକେଶରୀଦେବ (୧୭୩୭ ରୁ ୧୭୯୩), ୨ୟ ଦିବ୍ୟସିଂହଦେବ (୧୭୯୩ ରୁ୧୭୯୮) ପର୍ଯ୍ୟନ୍ତ ରାଜ୍ୟ ଶାସନ କଲେ। ଗଜପତି ୨ୟ ମୁକୁନ୍ଦଦେବ ଶେଷ ରାଜା, ଯିଏକି (୧୭୯୮ ରୁ ୧୮୧୭) ପର୍ଯ୍ୟନ୍ତ ଶାସନ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର ମା’ ବରୁଣେଈ ପୀଠ,ଅଟ୍ରି ସ୍ଥିତ ବାବା ହଟକେଶ୍ବର ମନ୍ଦିର, ଚ଼ଣ୍ଡେଶ୍ବର ସ୍ଥିତ ବାବା ଚ଼ଣ୍ଡିହର ଦେବ ମନ୍ଦିର,ହରିପୁର ସ୍ଥିତ ବାବା ପ୍ରତାପେଶ୍ବର ଦେବ ମନ୍ଦିର, ଜୀବନଦେଈପୁର ସ୍ଥିତ ବାବା ବାଲୁଙ୍କେଶ୍ବର ମନ୍ଦିର, ଜୀବନଦେଈପୁର ସ୍ଥିତ ମା’ ସର୍ବମଙ୍ଗଳା ମନ୍ଦିର, ବାଣପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର, ମା’ ବିରଜାଈ ମନ୍ଦିର, ଚ଼ିଲିକା ସ୍ଥିତ ମା’ କାଳିଜାଈ ମନ୍ଦିର, ଭାଟପଡ଼ା ସ୍ଥିତ ମା’ ସିଦ୍ଧେଶ୍ବରୀ ମନ୍ଦିର, ମା’ ନାରାୟଣୀ ମନ୍ଦିର, ବାଣପୁର ସ୍ଥିତ ମା’ ଟିକିରାଇ ମନ୍ଦିର, ଧୂଆଁନଳୀ ସ୍ଥିତ ମା’ ତାରିଣୀ ମନ୍ଦିର, ବାଣପୁର ସ୍ଥିତ ପ୍ରଭୁ ଶ୍ରୀ ରଙ୍କନାଥ ଦେବ ମନ୍ଦିର,ବଡ଼ହନ୍ତୁଆଡ଼ ସ୍ଥିତ ପ୍ରଭୁ ଶ୍ରୀ ଚ଼ରଣ ଚ଼କାଦେବ ମନ୍ଦିର,ବାଣପୁର ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦକ୍ଷେଶ୍ବର ଦେବ ମନ୍ଦିର, ଶ୍ରୀ ସ୍ବପ୍ନେଶ୍ବର ଦେବ ମନ୍ଦିର,ପଙ୍କାଳ ସ୍ଥିତ ମା’ ଖିଲାମୁଣ୍ଡା ମନ୍ଦିର, ସୁନାଖଳା ସ୍ଥିତ ବାବା ନୀଳକଣ୍ଠଶ୍ବର ଦେବ ମନ୍ଦିର, ନାଚ଼ୁଣୀ ସ୍ଥିତ ମା’ ପାଣ୍ଡବାଶୁଣୀ ଦେବୀ ମନ୍ଦିର,ବରପାଟଣା ସ୍ଥିତ ବାବା ବାଙ୍କନିଧି ଦେବ ମନ୍ଦିର ଆଦି ଅନେକ ଶୈବ ପୀଠ,ବିଷ୍ଣୁ ମନ୍ଦିର,ଶକ୍ତିପୀଠ ରହିଛି।

ଚ଼ିଲିକା ହ୍ରଦ ଖୋର୍ଦ୍ଧା ଜିଲ୍ଲା ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ,ଚ଼ିଲିକା ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ପ୍ରାୟତଃ ସବୁଦିନ ପର୍ଯ୍ୟଟକ ମାନେ ଆସିଥାନ୍ତି,ବିଶେଷତଃ ଶୀତ ଋତୁରେ ଚ଼ିଲିକା କୁ ବହୁତ ପର୍ଯ୍ୟଟକ ମାନେ ଆସିଥାନ୍ତି,କାରଣ ଶୀତ ଋତୁ ରେ ବହୁ ଦୂରଦୂରାନ୍ତରୁ ବହୁ ପ୍ରଜାତି ର ପକ୍ଷୀ ମାନେ ଚ଼ିଲିକା କୁ ଆସିଥାନ୍ତି, ଚ଼ିଲିକା ର ନଳବଣ ଠାରେ ପକ୍ଷୀ ବିହାର ହୋଇଥାଏ,ପର୍ଯ୍ୟଟକ ମାନେ ପ୍ରାକୃତିକ ପରିବେଶ,ସୌନ୍ଦର୍ଯ୍ୟ କୁ ଉପଭୋଗ କରିଥାନ୍ତି।

ବାଣପୁର ସ୍ଥିତ ଶାଳିଆ ଡ଼୍ୟାମ ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳୀ। ଏସିଆ ମହାଦେଶର ସର୍ବବୃହତ ଶାଳ ଶାଗୁଆନ୍ ଜଙ୍ଗଲ ଏହି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଦାମିଆ ବରବରା ଠାରେ ଅବସ୍ଥିତ। ରାଜ୍ୟର ରାଜଧାନୀ ଭୂବନେଶ୍ବର ଏହି ଜିଲ୍ଲାରେ ଅବସ୍ଥିତ।

ଶିକ୍ଷାକୁ ନେଇ ସମୃଦ୍ଧ ଖୋର୍ଦ୍ଧା ଜିଲ୍ଲା। ଉଚ୍ଚ ଶିକ୍ଷା ପାଇଁ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଓ ଯୁକ୍ତ ୨ ଜୁନିୟର କଲେଜ, ମହିଳା ମହାବିଦ୍ୟାଳୟ, ଗମ୍ଭାରିମୁଣ୍ଡା ସ୍ଥିତ ପର୍ଶୁରାମ ମହାବିଦ୍ୟାଳୟ ରହିଛି। ଆଇନ ମହାବିଦ୍ୟାଳୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ଆବାସିକ ମହାବିଦ୍ୟାଳୟ, ବିବେକାନନ୍ଦ ଆବାସିକ ମହାବିଦ୍ୟାଳୟ ମଧ୍ୟ ଅଛି। ବୈଷୟିକ ଶିକ୍ଷା ପାଇଁ ସରକାରୀ ସ୍ତରରେ ଆଇଟିଆଇ ନ ଥିବାବେଳେ ବେସରକାରୀ ଭାବେ ବିଶ୍ୱକର୍ମା ଆଇଟିଆଇ ଶିକ୍ଷାନୁଷ୍ଠାନ ରହିଛି। ବରୁଣେଇରେ ହାଇଟେକ୍, ଅମିତ୍, ଟେଲ ସିଟି ପ୍ରଭୃତି ଟି ଘରୋଇ ଇଞ୍ଜିନିୟରିଂ କଲେଜ ରହିଛି। ଶିକ୍ଷକ ପ୍ରଶିକ୍ଷଣ ପାଇଁ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର, ସ୍କାଉଟ୍ ଗାଇଡ୍ ଓ ରୋଭର ରେଞ୍ଜରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ର ରହିଛି।

ଏହି ଜିଲ୍ଲାରେ ଅନେକ ମହାପୁରୁଷ ଜନ୍ମ ନେଇ ଏହି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। “ଛୋଟ ମୋର ଗାଁଟି “ର କବି ଜ୍ଞାନପୀଠ ବିଜେତା ଗୁରୁଜଙ୍ଗର ପଦ୍ମଶ୍ରୀ ସଚ୍ଚି ରାଉତରାୟ ଏହି ମାଟିର ଗୌରବ। ଯଶସ୍ବୀ କବୟତ୍ରୀ କୁନ୍ତଳା କୁମାରୀ ସାବତ ଏହି ମାଟିର ଗର୍ବ। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର, ମାଧବଚ଼ନ୍ଦ୍ର ରାଉତରାୟ ଏହି ମାଟିର ଗର୍ବ ଓ ଗୌରବ।

ପାଇକ ବିଦ୍ରୋହର ଶିଖା ବାଣପୁରରେ ପ୍ରଜ୍ଜ୍ବୋଳିତ ହୋଇଥିଲା ଓ ଏହାର ନେତୃତ୍ବ ନେଇଥିଲେ ବିପ୍ଲବୀ ବୀର କୃତ୍ତିବାସ ପାଟ୍ଟଶାଣୀ। ବିପ୍ଲବୀ ବୀର ପାଟ୍ଟଶାଣୀଙ୍କ ନେତୃତ୍ବରେ ପାଇକ ଯୋଦ୍ଧା ମାନଙ୍କୁ ନେଇ ବାଣପୁର ପଲଟଣ ପଡ଼ିଆ ଇଂରେଜ ମାନଙ୍କ ମଧ୍ୟରେ ସଶସ୍ତ୍ର ସଂଗ୍ରାମ ହୋଇଥିଲା, ସେହି ସଂଗ୍ରାମରେ ଇଂରେଜ ସେନାଧ୍ୟକ୍ଷ ବେଲ ସାହେବଙ୍କୁ ପରାସ୍ତ କରି ବାଣପୁରକୁ ୩ ଦିନ ସ୍ବାଧିନତା କଲେ ବିପ୍ଲବୀ ବୀର ପାଟ୍ଟଶାଣୀ। ପାଟ୍ଟଶାଣୀଙ୍କ ସଂଗ୍ରାମ ଦେଖି ଇଂରେଜ ମାନଙ୍କ ଭିତରେ ହୃଦ୍ କମ୍ପନ ଜାତ ହେଲା, କିନ୍ତୁ କିଛି କୁଚ଼କ୍ରୀ ଗୋଷ୍ଠୀ ଇଂରେଜ ସହିତ ହାତ ମିଳାଇ ବିପ୍ଲବୀ ବୀର ପାଟ୍ଟଶାଣୀଙ୍କୁ ଇଂରେଜ ହାତରେ ଧରେଇ ଦେଲେ, ଇଂରେଜମାନେ ବୀର ପାଟ୍ଟଶାଣୀଙ୍କୁ ଆଣ୍ଡାମାନ ଦୀପପୁଞ୍ଜକୁ ନେଇ କାରାଗାରରେ ରଖିଲେ।

ଓଡ଼ିଆ ସାହିତ୍ୟ ଜଗତର ସାରସ୍ବତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର, କବି ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ବିପ୍ଲବୀ ଜନନେତା ତଥା ଜାତୀୟତାବାଦୀ ନାଟ୍ୟକାର ପର୍ଶୁରାମ ହରିଚ଼ନ୍ଦନ, ପାଇକ କବି କୃଷ୍ଣଚ଼ନ୍ଦ୍ର ତ୍ରିପାଠୀ, ସମବାୟବିତ୍ ଶଶୀଭୂଷଣ ହରିଚ଼ନ୍ଦନ, ଯାହାଙ୍କର କାନ୍ତ,କୋମଳ, ଭାବମୟ ତଥା ମଧୁମୟ ଗାଥା କବିତା ଯୁଗେଯୁଗେ ଓଡ଼ିଆ ସାହିତ୍ୟର ଅମୂଲ୍ୟ ଓ ଅକ୍ଷୟ ସମ୍ପଦ। ପଣ୍ଡିତ ରଘୁନାଥ ମିଶ୍ର, ପ୍ରାଣନାଥ ପଟ୍ଟନାୟକ ଆହୁରି ଅନେକ ଖୋର୍ଦ୍ଧା ଜିଲ୍ଲା ର ଗର୍ବ ଓ ଗୌରବ।

ସୁପ୍ରିମକୋର୍ଟ ପ୍ରଥମ ଓଡ଼ିଆ ମୁଖ୍ୟ ବିଚ଼ାରପତି ବାଣପୁର ମାଟିର ପୁଅ ଚ଼ିଫ୍ ଜଷ୍ଟିସ ରଙ୍ଗନାଥ ମିଶ୍ର, ଜଷ୍ଟିସ୍ ତୃତୀୟ ମୁଖ୍ୟ ବିଚ଼ାରପତି ଚ଼ିଫ୍ ବାଣପୁର ମାଟିର ପୁଅ ଜଷ୍ଟିସ୍ ଦୀପକ ମିଶ୍ର ଆଦି ରହିଛନ୍ତି। ଓଡ଼ିଶାରୁ ଦଶ ଜଣ ରାଜ୍ୟପାଳ ବିଭିନ୍ନ ପ୍ରଦେଶରେ ରହିସାରିଛନ୍ତି। ବାଣପୁର ମାଟିର ପୁଅ ଶ୍ରୀ ଲୋକନାଥ ମିଶ୍ର, ସେ ଆସାମର ଓ ନାଗାଲାଣ୍ଡର ରାଜ୍ୟପାଳ ଥିଲେ। ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆସାମର ରାଜ୍ୟପାଳ ଥିଲେ। ବାଣପୁର ମାଟିର ଗର୍ବ ଓ ଗୌରବ ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଅଛନ୍ତି। ଖୋର୍ଦ୍ଧାର ଷ୍ଟେପଲ ଲୁଙ୍ଗି, ଜର୍ଦା ଗାମୁଛାର ବାଣପୁରର ବେତ କାର୍ଯ୍ୟର ସ୍ବତତ୍ନ ପରିଚ଼ୟ ରହିଛି।

ବିଶ୍ବବିଜୟୀ ଦାଶ, ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ଫୋନ ନଂ- ୬୩୭୦୨୦୮୪୨୮

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଆମାନେ ଅତୀତ ବୀରତ୍ୱ କାହାଣୀକୁ ମନେ ପକାଇବାକୁ ଆନ୍ଧ୍ର ରାଜ୍ୟପାଳଙ୍କ ପରାମର୍ଶ

ଭୁବନେଶ୍ୱର: ବରୁଣେଇରେ ପାଇକ ବିଦ୍ରୋହର ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଜମି ଯୋଗାଇ ଦେବାକୁ ଆନ୍ଧ୍ରପଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେବା ସହ ଅନୁରୋଧ କରିଛନ୍ତି। ଆଜି ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବୁଦ୍ଧିଜୀବୀ, ସାହିତ୍ୟିକ, ଐତିହାସିକ ତଥା କଳାକାରମାନଙ୍କ ସମାବେଶ ଓ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଲେ, ଓଡ଼ିଆ ଜାତିର ଗର୍ବିତ ପରମ୍ପରା ସମଗ୍ର ବିଶ୍ୱବିଦିତ। ଇଂରେଜ ସରକାର ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଏହି ବୀରତ୍ୱପୂର୍ଣ୍ଣ ରକ୍ତାକ୍ତ ସଂଗ୍ରାମର ସ୍ମୃତିକୁ ପ୍ରତ୍ୟେକ ଓଡ଼ିଆ ମନେ ପକାଇବା ସହିତ ନିଜ ମାଟି ଓ ମାତୃଭାଷା ପ୍ରତି ମମତାବୋଧ ପ୍ରକାଶ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ସବୁଜ ବିଶ୍ୱ ପାଇଁ ଆମେ ବୃକ୍ଷରୋପଣ କରିବା ଅଭିଯାନର’ର ଲୋଗୋକୁ ଉନ୍ମୋଚନ କରି ଶ୍ରୀ ହରିଚନ୍ଦନ କହିଲେ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି ଜନିତ ଯେଉଁ ସମସ୍ୟା ଦେଖା ଦେଇଛି ସେଥିପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ବୃକ୍ଷରୋପଣ କରିବା ନିତାନ୍ତ ଆବଶ୍ୟକ।

ଏହି ଉତ୍ସବରେ ବିଶିଷ୍ଟ ଅତିଥି ରୂପେ ପୂର୍ବତନ କେନ୍ଦ୍ର ସାହିତ୍ୟ ଏକାଦେମୀ ସଭାପତି ପଦ୍ମ ଭୂଷଣ ବିଶିଷ୍ଟ କବି ରମାକାନ୍ତ ରଥ ଯୋଗଦେଇ ଆମର ପୂର୍ବଜ ସାହିତ୍ୟିକ କାହ୍ନୁଚରଣ ମହାନ୍ତି, କାଳନ୍ଦୀ ପାଣିଗ୍ରାହୀ ଆଦିଙ୍କର କୃତିକୁ ସଂରକ୍ଷଣ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିବା ନିମନ୍ତେ ମତ ରଖିଥିଲେ। ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଯେ, ପ୍ରତ୍ୟେକ ଓଡ଼ିଆ ନିଜ ଜାତିର ଇତିହାସକୁ ମନେ ପକାଇ ଆଗକୁ ନିଜର ସ୍ୱାଭିମାନ ବଞ୍ଚାଇବା ପାଇଁ ଚେଷ୍ଟା କରିବା ସହ ବିଶ୍ୱର ପରିବେଶଜନିତ ସଙ୍କଟକୁ ଉଦ୍ଧାର କରିବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଆଚିଭର ଫାଉଣ୍ଡେସନର ସଭାପତି ଡଃ ଅଶୋକ ସୁନ୍ଦରାୟ, ଚଳଚ୍ଚିତ୍ର ଓ ଧାରାବାହିକ ପ୍ରଯୋଜିକା ବିନି ସାମଲ, ରୋଟାରିଆନ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇ ଉତ୍କଳ ଜନନୀର ବୀରତ୍ୱପୂର୍ଣ୍ଣ ଗାଥା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଡଃ ସୁଭାଷ ଚନ୍ଦ୍ର ନାୟକ, ସମାଜସେବୀ ଓ ଶିକ୍ଷାବିତ୍ ଲାୟନ୍ସ ସ୍ମୃତିସୁଧା ନାୟକ, ଶିକ୍ଷାବିତ୍ ଡଃ ପତିତପାବନ ପଣ୍ଡା, ସକାଳ ଖବରକାଗଜର ସାମ୍ବାଦିକ ଅନୁରାଧା ବାରିକ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ନମ୍ରତା ସିଂହଦେଓ, ଧାରାବାହିକ ଓ ଚଳଚ୍ଚିତ୍ର ଅଭିନେତ୍ରୀ ତୃପ୍ତି ସାହୁ, ଚଳଚ୍ଚିତ୍ର ଧାରାବାହିକ ଅଭିନେତ୍ରୀ ଆଲିସା ବ୍ରହ୍ମା, ଧାରାରବାହିକ ଅଭିନେତ୍ରୀ ମାନସୀ ପାଲ, ସ୍ନିଗ୍ଧା, ଅଭିନେତା ନୀଲ୍ ପଣ୍ଡା, ସାମ୍ବାଦିକ ସୁସ୍ମିତା ମିଶ୍ର ଓ ଚଳିତବର୍ଷର ଶ୍ରେଷ୍ଠ ଧାରାବାହିକ ଓ ଚଳଚ୍ଚିତ୍ର ପ୍ରଯୋଜିକା ଭାବେ ବିନି ସାମଲଙ୍କୁ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସମ୍ବର୍ଦ୍ଧିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ବିରାଟ ପାଇକ ଜନ ଗର୍ଜନ ସମାବେଶ ଓ ସଂଗ୍ରାମ

ଭୁବନେଶ୍ୱର: ୧୮୧୭ ମସିହା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବିରେ ଓଡ଼ିଶା ବୀର ମହାସଂଘ ତରଫରୁ ବିରାଟ ପାଇକ ଜନଗର୍ଜନ ସମାବେଶ ଓ ସଂଗ୍ରାମ ଆସନ୍ତା ଏପ୍ରିଲ ମାସ ୨୭ ତାରିଖ ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ହୋଟେଲ କେଶରୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘର ସଭାପତି ଡ଼ଃ ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ଼ଃ ଦିଲ୍ଲୀପ ଶ୍ରୀଚନ୍ଦନ, କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି, ଅଶୋକ ସୁନ୍ଦରାୟ ଓ ଗଣେଶ ସାମନ୍ତ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ, ମାର୍ଚ୍ଚ ୨୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସମାବେଶକୁ ପୌର ନିର୍ବାଚନ ଦୃଷ୍ଟିକୋଣରୁ ଘୁଞ୍ଚାଇ ଦିଆଗଲା। କିନ୍ତୁ ଓଡ଼ିଶାର ସ୍ୱାଭିମାନ, ବୀରତ୍ୱ ବ୍ୟଞ୍ଜକ ଇତିହାସ ସମ୍ପର୍କରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବି ଓ ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ପାଇଁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସଂଗ୍ରାମ ପର୍ଯ୍ୟାୟକ୍ରମେ ଜାରି ରହିବ।

ତେବେ ଆସନ୍ତା ଏପ୍ରିଲ ୨୭ ତାରିଖ ଦିନ ଖୋର୍ଦ୍ଧାରୁ ସକାଳ ୮ ଘଟିକା ସମୟରେ ପାଇକ ବାହିନୀ ଏକ ବିରାଟ ପଟୁଆରରେ ଆସିବେ ଓ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ପାଇକ ବାହିନୀ ଭୁବନେଶ୍ୱରରେ ଏକତ୍ରିତ ହେବେ। ଏହାପରେ ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରା ବାହାରି ପ୍ରଦର୍ଶନୀ ପଡ଼ିଆ ପର୍ଯ୍ୟନ୍ତ ଯିବ। ସେଠାରେ ଏକ ଜନଗର୍ଜନ ସମାବେଶ ଅନୁଷ୍ଠିତ ହେବ। ଏହି ସମାବେଶକୁ ସଫଳ କରିବା ଓ ଓଡ଼ିଶାର ସ୍ୱାଭିମାନ ପାଇଁ ଜନସାଧାରଣ ଯୋଗଦାନ କରିବାକୁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ ବିଶାଳ ଜନଗର୍ଜନ ପାଇକ ସମାବେଶ, ଜାନୁୟାରୀ ୨୪ରେ ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓ ଖୋର୍ଦ୍ଧାରେ ପ୍ରସ୍ତାବିତ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ଜାଗାକୁ ବିନା ମୂଲ୍ୟରେ ପ୍ରଦାନ କରିବା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ବିଶାଳ ଜନଗର୍ଜନ ପାଇକ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ୫୦୦୦ରୁ ଉର୍ଦ୍ଧ୍ୱ ପାଇକ ଯୋଗଦେଇ ରଣବାଦ୍ୟର ତାଳେ ତାଳେ ପାରମ୍ପରିକ ପାଇକ ବେଶପୋଷାକ ପିନ୍ଧି, ଗଦା, ମୁଦ୍‌ଗର, ଖଣ୍ଡା, ବନାଟି ଆଦି ଚାଳନା କରିବା ସହ ପାଇକ ବୋଲି ଗାନ କରି ଦାବି ପୂରଣ ପାଇଁ ବିରାଟ ଶୋଭାଯାତ୍ରାରେ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଦେଇ ଏକାମ୍ରହାଟ ସମ୍ମୁଖ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ପ୍ରାରମ୍ଭରେ ମହାସଂଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ, ଓଡ଼ିଆଜାତିର ଗର୍ବିତ ସାମରିକ ପରମ୍ପରା ଉପରେ କୁଠାରଘାତ ହୋଇଥିବାରୁ ଏହା ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ମନରେ ଆଘାତ ସୃଷ୍ଟି ହୋଇଛି। ତେଣୁ ଆସନ୍ତା ଜାନୁୟାରୀ ମାସ ୨୩ ତାରିଖ ସୁଦ୍ଧା ଯଦି ଆମର ଦାବି ପୂରଣ ନହୁଏ, ତେବେ ୨୪ ତାରିଖ ଦିନ ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସରେ ମହାସଂଘ ତରଫରୁ ଦିଲ୍ଲୀ ଯାତ୍ରା କରିବୁ। ଦିଲ୍ଲୀର ଲାଲ୍ଲକିଲାରେ ପାଇମାନଙ୍କ ସମାବେଶ ଅନୁଷ୍ଠିତ ହେବା ସହ ଏକ ପ୍ରତିବାଦ ସଭା ଆୟୋଜନ କରାଯିବ। ସେହି ପ୍ରତିବାଦ ସଭାକୁ ବିଜେପି, ବିଜେଡ଼ି ଓ କଂଗ୍ରେସର ଦଳର ସାଂସଦମାନଙ୍କୁ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଯିବ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଓଡ଼ିଶାର ପ୍ରତିନିଧିତ୍ୱ କରୁଥିବା ଅନ୍ୟ କେନ୍ଦ୍ରମନ୍ତ୍ରୀଦ୍ୱୟଙ୍କୁ ଯୋଗଦାନ ପାଇଁ ନିମନ୍ତ୍ରଣ କରାଯିବ ଏବଂ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଆମର ଦାବି ପୂରଣ ପାଇଁ ସ୍ମାରକପତ୍ର ପ୍ରଦାନ କରାଯିବ। ଯଦି ଏହା ସତ୍ତ୍ୱେ ଆମର ଦାବି ପୂରଣ ନହୁଏ, ତେବେ ପ୍ରୟୋଜନ ହେଲେ ପାର୍ଲାମେଣ୍ଟ ଘେରାଉ କରାଯିବ ବୋଲି ଡ. ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି।

ଏହି ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଦଳମତ ନିର୍ବିଶେଷରେ ଓଡ଼ିଆଜାତିର ସ୍ୱାଭିମାନ ସୁରକ୍ଷା ପାଇଁ ଆମେ ସମସ୍ତେ ଓଡ଼ିଆଭାବରେ ଏଥିରେ ସାମିଲ ହେବା ନିତାନ୍ତ ଆବଶ୍ୟକ। ତେଣୁ ପ୍ରତ୍ୟେକ ଦଳର ପ୍ରତିନିଧିମାନେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ସଂଯୋଜକ ଗଣେଶ ଚନ୍ଦ୍ର ସାମନ୍ତ, ଐତିହାସିକ ରବୀନ୍ଦ୍ର ପରିଡ଼ା, ଗବେଷକ ଗୋପାଳକୃଷ୍ଣ ଦାସ, ପାଇକଗୁରୁ ହାପି କୁମାର, ରଞ୍ଜନ କୁମାର, ଭାସ୍କର ସୁନ୍ଦରାୟ, ଅବନୀ ଜେନା, ମାନସ ଶ୍ରୀଚନ୍ଦନ, ସନ୍ତୋଷ ଶ୍ରୀଚନ୍ଦନ ପ୍ରମୁଖ ବହୁ ସଂଗଠକ, ସମାଜସେବୀ, ସାହିତ୍ୟିକ, ବୁଦ୍ଧିଜୀବୀ ଓ ରାଜନେତାମାନେ ଯୋଗଦେଇ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନିଜର ମତାମତ ପ୍ରଦାନ କରିଥିଲେ।

ଏହି ଶୋଭାଯାତ୍ରା ଖୋର୍ଦ୍ଧାର ମା’ ବରୁଣେଇ ପୀଠରୁ ବାହାରି ଗଡ଼ଖୋର୍ଦ୍ଧାରେ ସମାବେଶ, ଶୋଭାଯାତ୍ରା ଓ ପ୍ରତିବାଦ ସଭା କରିବା ପରେ ପଞ୍ଚପାଇକ ବୀରଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଖୋର୍ଦ୍ଧା ସହର ପରିକ୍ରମା କରିବା ପରେ ଭୁବନେଶ୍ୱରରେ ପହଞ୍ଚିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

୨୭ରେ ଭୁବନେଶ୍ୱର ଓ ଜାନୁୟାରୀ ୨୪ରେ ଦିଲ୍ଲୀରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଜନଗର୍ଜନ ସମାବେଶ

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓ ଖୋର୍ଦ୍ଧାରେ ପ୍ରସ୍ତାବିତ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ଜାଗାକୁ ବିନା ମୂଲ୍ୟରେ ପ୍ରଦାନ କରିବା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱରସ୍ଥ ହୋଟେଲ କେଶରୀରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି ଓ ସଂଯୋଜକ ଗଣେଶ ସାମନ୍ତ ଯୋଗଦାନ କରିଥିଲେ।

ବୀର ମହାସଂଘର ସଭାପତି ଡଃ ପ୍ରକଶ ଶ୍ରୀଚନ୍ଦନ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି ଯେ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବିରେ ଓ ଖୋର୍ଦ୍ଧାରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ପ୍ରସ୍ତାବିତ ସ୍ଥାନକୁ ବିନା ମୂଲ୍ୟରେ ପ୍ରଦାନ ଦାବିରେ ଆସନ୍ତା ୨୭ରେ ଆଉ ଏକ ରାଜ୍ୟସ୍ତରୀୟ ବିଶାଳ ଜନଗର୍ଜନ ପାଇକ ସମାବେଶ ଓ ଶୋଭାଯାତ୍ରା ଦିବା ୧୨ ଘଟିକା ସମୟରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଛକ ଦେଇ ଏକାମ୍ର ହାଟ ନିକଟରେ ପହଞ୍ଚିବେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ଯେପର୍ଯ୍ୟନ୍ତ ଏହି ଦାବିଗୁଡ଼ିକ ପୂରଣ ନହୋଇଛି, ସେପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରହିବ।

ସେହିପରି ପାଇକ ବିଦ୍ରୋହର କର୍ଣ୍ଣଧାର ବକ୍ସି ଜଗବନ୍ଧୁଙ୍କର ଶ୍ରାଦ୍ଧ ଉତ୍ସବ ଜାନୁୟାରୀ ୨୪ ତାରିଖ ଦିନ ଦେଶର ରାଜଧାନୀ ଦିଲ୍ଲୀର ଲାଲ୍ଲକିଲାରେ ପାଳନ କରାଯିବ।

ଏହି ଉତ୍ସବକୁ ବିଜେଡ଼ି ଦଳର ସମସ୍ତ ସାଂସଦ, ବିଜେପି ଦଳର ସମସ୍ତ ସାଂସଦ ଏବଂ କଂଗ୍ରେସ ଦଳର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିମନ୍ତ୍ରଣ କରାଯିବ। ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଯଦି ଏହା ସତ୍ତ୍ୱେ ଦାବି ପୂରଣ ନ ହୁଏ, ତେବେ ପ୍ରୟୋଜନ ହେଲେ ପାର୍ଲାମେଣ୍ଟ ଘେରାଉ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିରେ ଯୋଗଦାନ କରିବାକୁ ଚାହୁଁଥିବା ପାଇକ ଦଳମାନେ ଫୋନ୍ ନମ୍ବର ୯୪୩୭୨୮୭୮୦୬ ସହ ଯୋଗାଯୋଗ କରିବାକୁ ସଂଘ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଡିସେମ୍ବର ୨୭ରେ ଆଉ ଏକ ରାଜ୍ୟସ୍ତରୀୟ ବିଶାଳ ଜନଗର୍ଜନ ପାଇକ ସମାବେଶ

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ମହାମହୀମ ରାଜ୍ୟପାଳଙ୍କ ମାଧ୍ୟମରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ଓଡ଼ିଶା ବୀର ମହାସଂଘର ସାଧାରଣ ସମ୍ପାଦକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ, କାର୍ଯ୍ୟକ୍ରମ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ବିଶିଷ୍ଟ ଐତିହାସିକ ରବୀନ୍ଦ୍ରନାଥ ପରିଡ଼ା, ସମାଜସେବୀ ଗଣେଶ ସାମନ୍ତ ପ୍ରମୁଖ ଏକ ପ୍ରତିନିଧି ଦଳ ମହାସଂଘ ପକ୍ଷରୁ ରାଜଭବନ ଯାଇ, ପାଇକ ବିଦ୍ରୋହ କିପରି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ସେ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। କାରଣ ୧୮୧୭ ମସିହାରେ ପାଇକ ବିଦ୍ରୋହ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିବା ବେଳେ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ତେଣୁ ଐତିହାସିକ ତଥ୍ୟ ଦୃଷ୍ଟିକୋଣରୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବୋଲି ଘୋଷଣା କରିବାକୁ ରାଜ୍ୟପାଳଙ୍କ ମାଧ୍ୟମରେ ଦେଶର ମହାମହୀମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମହାସଂଘର ପ୍ରତିନିଧିମାନେ ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଆଉ ଏକ ରାଜ୍ୟସ୍ତରୀୟ ବିରାଟ ଜନଗର୍ଜନ ସମାବେଶ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି ମହାସଂଘ ତରଫରୁ ଘୋଷଣା କରାଯାଇଛି । ଯଦି ସରକାର ଏହା ସତ୍ତ୍ୱେ ଦାବି ପୂରଣ ନ କରନ୍ତି, ତେବେ ଆସନ୍ତା ଜାନୁୟାରୀ ମାସ ୨୪ ତାରିଖ ପାଇକ ବିଦ୍ରୋହର ମହାନ୍ ସେନାପତି ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଉତ୍ସବ ଦିଲ୍ଲୀର ଲାଲକିଲ୍ଲାରେ ପାଳନ କରାଯିବ।

ଏହି ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପି ଦଳର ସମସ୍ତ ସାଂସଦ, ବିଜେଡ଼ି ଦଳର ସମସ୍ତ ସାଂସଦ ଓ କଂଗ୍ରେସ ଦଳର ସାଂସଦଙ୍କୁ ନିମନ୍ତ୍ରଣ କରାଯିବ। ଏହା ସହ ପାଇକ ଆଖଡ଼ା ସେଠାରେ ପ୍ରଦର୍ଶନ କରାଯିବ ଓ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସଂସ୍କୃତିମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ପାଇଁ ବୋଲି ମହାସଂଘ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି।

ଏହି ରାଜ୍ୟସ୍ତରୀୟ ପାଇକ ସମାବେଶରେ ଯୋଗଦାନ କରିବା ପାଇଁ ଯେଉଁ ପାଇକ ଦଳମାନେ ଚାହୁଁଛନ୍ତି, ସେମାନେ ଫୋନ୍ ନଂ-୯୪୩୭୨୮୭୮୦୬ ସହ ଯୋଗାଯୋଗ କରିବାକୁ ମହାସଂଘ ତରଫରୁ ନିବେଦନ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ନାଗରିକ ସମାଜର ଦାବି: ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଉ

ଭୁବନେଶ୍ୱର: ଓଡ଼ିଶା ନାଗରିକ ସମାଜର ୧୨ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ’ ଶୀର୍ଷକ ଆଲୋଚନା ଚକ୍ରରେ ରାଜ୍ୟର ବହୁ ବୁଦ୍ଧିଜୀବୀ, ଐତିହାସିକ, ଗବେଷକ, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଯୋଗଦେଇ ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ।

ଓଡ଼ିଶା ନାଗରିକ ସମଜାର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଐତିହାସିକ ପ୍ରଫେସର ନାରାୟଣ ରାଓ ମତବ୍ୟକ୍ତ କରି କହିଥିଲେ ଯେ, ଓଡ଼ିଶା ପାଇକ ବିଦ୍ରୋହ ଯେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ, ଏ ନେଇ ଅନେକ ଗବେଷଣାତ୍ମକ ତଥ୍ୟ ରହିଛି ଏବଂ ଏହାକୁ ଗବେଷଣା ପରିଷଦରେ ସଠିକ୍ ଭାବରେ ଉପସ୍ଥାପନ କରି ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ମାନ୍ୟତା ଦେବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଆ ଏକବଦ୍ଧ ହୋଇ ଆଗେଇ ଆସିବା ଉଚିତ୍ ବୋଲି ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ଓ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ।

ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନେତା ପ୍ରସାଦ ହରିଚନ୍ଦନ ଓଡ଼ିଆ ଜାତିର ବୀରତ୍ୱ ଓ ଐତିହ୍ୟର ସ୍ମୃତି ରୋମନ୍ଥନ କରିଥିଲେ। ଲଢୁଆ ଓଡ଼ିଆ ଜାତି କେବେ ଶୋଇନାହିଁ କି ଶୋଇବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ।

ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପାଇକ ବିଦ୍ରୋହ ଯେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଗଣବିଦ୍ରୋହ ଏହା ଦୃଢ ଭାବେ କହିଥିଲେ।

ପୂର୍ବତନ ସାଂସଦ ବ୍ରଜକିଶୋର ତ୍ରିପାଠୀ ଓ ଓଡ଼ିଶା ନାଗରିକ ସମାଜର ମୁଖ୍ୟ ଉପଦେଷ୍ଟା ଡଃ ଭଗବାନ ପ୍ରକାଶଙ୍କ ସୁଚିନ୍ତିତ ମାର୍ଗ ଦର୍ଶନରେ ଏହି ଦାବୀ ପୂରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ଏବଂ ଆବଶ୍ୟକସ୍ଥଳେ ଏହା ଏକ ଆନ୍ଦୋଳନରେ ପରିଣତ କରାଯିବାର ପ୍ରସ୍ତାବ ମଧ୍ୟ ଦେଇଥିଲେ।

ଏହି ଅବସରରେ ଐତିହାସିକ ପ୍ରଫେସର ନାରାୟଣ ରାଓ, ରିକ୍ସାଚାଳକଙ୍କୁ ସମସ୍ତ ସମ୍ପତ୍ତି ଦାନ କରି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିବା ଶ୍ରୀମତୀ ମିନତୀ ପଟ୍ଟନାୟକ ଓ ନାଲ୍‌କୋର ପୂର୍ବତନ ନିର୍ଦ୍ଦେଶକ ଶଶୀଭୂଷଣ ନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମର କୁନି କୁନି ଝିଅମାନେ ନୃତ୍ୟ ପରିବେଷଣ କରିଥିଲେ।

ଓଡ଼ିଶା ନାଗରିକ ସମାଜର ଉପସଭାପତି ଡଃ ରୀନା ରାଉତରାୟଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମ ପ୍ରରମ୍ଭରେ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରତିଷ୍ଠାତା ସମ୍ପାଦକ ମଜୋନ ଜେନା ଓଡ଼ିଶା ନାଗରିକ ସମାଜର ଦୀର୍ଘ ବାରବର୍ଷର ଯାତ୍ରା, ସଂଘର୍ଷ ଓ ସଫଳତା ଉପରେ ଆଲୋକପାତ କରିଥିଲେ। ଲିଲି ଜେନାମଣି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ଭକ୍ତଚରଣ ଧନ୍ୟବାଦ ଅର୍ପଣ କରିଥିଲେ। ଅପର୍ଣ୍ଣା ନାୟକ, ଡଃ ଅରୁନ୍ଧତୀ ଦେବୀ, ଆଇନଜୀବୀ ବୀର କିଶୋର ନାୟକ, ଦିଲ୍ଲୀପ ହରିଚନ୍ଦନ, ମାନସ ଜେନା, ସଞ୍ଜୟ ପଟ୍ଟନାୟକ, ପ୍ରମୋଦ ସାମନ୍ତରାୟ, ଜ୍ୟୋତ୍ସ୍ନା ଦାସ, ବାସୁଦେବ ଭଟ୍ଟ ପ୍ରମୁଖଙ୍କ ପରିଚାଳନାରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ସେମାନଙ୍କର ସୁଚିନ୍ତିତ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶାଳ ରାଜ୍ୟସ୍ତରୀୟ ପାଇକ ସମାବେଶ: ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ଦାବି

ଭୁବନେଶ୍ୱର: ୧୮୧୭ ମସିହାର ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଦାବି ଓ ଖୋର୍ଦ୍ଧାର ବରୁଣେଇଠାରେ ପାଇକ ସ୍ମୃତିସ୍ତମ୍ଭ ପାଇଁ ରାଷ୍ଟ୍ରପତି ଶିଳାନ୍ୟାସ କରିଥିବା ସ୍ଥାନକୁ ବିନା ମୂଲ୍ୟରେ ପ୍ରଦାନ ଦାବିରେ ଓଡ଼ିଶା ବୀର ମହାସଂଘ ପକ୍ଷରୁ ଆଜି ଖୋର୍ଦ୍ଧାର ବରୁଣେଇ ଠାରୁ ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ୱ ପାଇକ ଆଖଡ଼ା ଦଳ, ଦଳେଇ, ଦଳବେହେରା, ପାଇକ ସର୍ଦ୍ଦାର, ଐତିହାସିକ ଓ ସାମରିକ ପରମ୍ପରାର ଗବେଷକ ମା’ ବରୁଣେଇଙ୍କୁ ପୂଜାର୍ଚ୍ଚନା କରି ଏକ ବିଶାଳ ଶୋଭାଯାତ୍ରାରେ ଖୋର୍ଦ୍ଧାଗଡ଼ରୁ ବୀର ମାଟି ସଂଗ୍ରହ କରି ପଞ୍ଚପାଇକ ମହାରଥୀଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଖୋର୍ଦ୍ଧା ସହର ପରିକ୍ରମା କରିଥିଲେ। ଏହା ପରେ ଏହି ପାଇକବାହିନୀ ଓ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୫୦୦୦ ପାଇକବାହିନୀ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକରୁ ଯୁଦ୍ଧ ବାଦ୍ୟର ତାଳେ ତାଳେ ପାଇକ ଆଖଡ଼ା ପ୍ରଦର୍ଶନ କରି ଦାବି ପୂରଣ ପାଇଁ ସ୍ଲୋଗାନ ଦେଇ ବିରାଟ ଶୋଭାଯାତ୍ରାରେ ରାମ ମନ୍ଦିର ଛକ ଦେଇ ଏକାମ୍ର ହାଟ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ବୀର ମହାସଂଘର ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଥିଲେ ଆମର ନ୍ୟାର୍ଯ୍ୟଦାବି ପୂରଣ ପାଇଁ ଆଜି ଆଉ ଏକ ପାଇକ ସଂଗ୍ରାମର ବିଗୁଲ୍ ବାଜିଲା। ଯଦି ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନ କରନ୍ତି, ଏହାପରେ ଦିଲ୍ଳୀ ଯାଇ ପାଇକ ବାହିନୀ ସେଠାରେ ବିପ୍ଲବ କରିବା ସହିତ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ସଂସ୍କୃତିମନ୍ତ୍ରୀ ଆଦିଙ୍କୁ ଦାବିପତ୍ର ପ୍ରଦାନ କରିବେ। ଯେପର୍ଯ୍ୟନ୍ତ ଦାବି ହାସଲ ନ ହୋଇଛି, ସେପର୍ଯ୍ୟନ୍ତ ସଂଗ୍ରାମ ଚାଲୁ ରହିବ ବୋଲି ଡଃ ଶ୍ରୀଚନ୍ଦନ କହିଥିଲେ।

ସେହିପରି ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଖୋର୍ଦ୍ଧାର ବରୁଣେଇଠାରେ ଶିଳାନ୍ୟାସ କରିଥିବା ସ୍ଥାନକୁ ପାଇକ ସ୍ମୃତିସ୍ତମ୍ଭ ନିର୍ମାଣ ପାଇଁ ଯଥାଶୀଘ୍ର ଜାଗା ଯୋଗାଇ ନଦେଲେ ବିପ୍ଲବର ବହ୍ନି ଅନୁରୂପ ଭାବେ ଚାଲୁ ରହିବ ବୋଲି ସେ ଚେତାବନୀ ଦେଇଥିଲେ।

ଏହି ସଭାରେ ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ, ଚିଲିକାର ପୂର୍ବତନ ବିଧାୟକ ଡା ଦେବେନ୍ଦ୍ର ମାନସିଂ, କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି, ଅନ୍ୟତମ ସମାଜସେବୀ ଗଣେଶ ସାମନ୍ତରାୟ, ବିଶିଷ୍ଟ ଐତିହାସିକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟର ଡଃ ନାରାୟଣ ରାଓ, ଗବେଷକ ଡଃ ଗୋପାଳ କୃଷ୍ଣ ଦାସ, ବିଶିଷ୍ଟ ବିଜେପି ନେତା ଅବନୀ ଜେନା, ନିଖିଳ ଓଡ଼ିଶା ପାଇକ ମହାସଂଘର ସଭାପତି ଡଃ ଅଶୋକ ପାଲଟାସିଂହ, ପାଇକ ସର୍ଦ୍ଦାର କେଦାର ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଦୁଇଟିଯାକ ଦାବି ପୂରଣ ନକଲେ ବିପ୍ଲବ ଅନୁରୂପ ଭାବରେ ଚାଲୁ ରହିବ ବୋଲି ଚେତାବନୀ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ: ଓଡ଼ିଶା ନାଗରିକ ସମାଜ

ଭୁବନେଶ୍ୱର: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ କେନ୍ଦ୍ର ସରକାର ମନା କରିଦେବା ପରେ ରାଜ୍ୟର ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ରାଜ୍ୟର କୌଣସିସ୍ତରରେ ଏହାକୁ ଗ୍ରହଣ କରାଯାଉ ନଥିବାରୁ ଓଡ଼ିଶା ନାଗରିକ ସମାଜ ଏହି ଘଟଣାକୁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଛି। ଆବଶ୍ୟକ ହେଲେ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶାର ବହୁସଂଖ୍ୟକ ପାଇକ ଧାରଣା ଦେବେ।

ଏଭଳି ଏକ ସମ୍ବେଦନଶୀଳ ବିଷୟକୁ ଆଲୋଚନା କରିବା ପାଇଁ ଓଡ଼ିଶା ନାଗରିକ ସମାଜ ତାର ପ୍ରତିଷ୍ଠା ଦିବସରେ ଏକ ଆଲୋଚନାଚକ୍ରର ଆୟୋଜନ କରିଛି। ଏହି ଆଲୋଚନାଚକ୍ର ଡ଼ିସେମ୍ବର ୧୮ ତାରିଖ ୧୦.୩୦ମିନିଟ୍ ସମୟରେ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହେବ।

ଏହି ଉତ୍ସବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପିର ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ପ୍ରସାଦ ରହିଚନ୍ଦନ, ପ୍ରଫେସର ନାରାୟଣ ରାଓ ଅତିଥି ଭାବେ ଯୋଗ ଦେବେ। ଏହି ଉତ୍ସବରେ କଟକର ବଦାନ୍ୟ ମହିୟସୀ ମହିଳା ମୀନତି ପଟ୍ଟନାୟକ, ଇଞ୍ଜିନିୟର ଶଶୀଭୂଷଣ ନାଏକ ଐତିହାସିକ ପ୍ରଫେସର ନାରାୟଣ ରାଓଙ୍କୁ ସମ୍ମାନିତ କରାଯିବ ବୋଲି ସଭାପତି ଲଳିତ ମୋହନ ପଟ୍ଟନାୟକ, ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ପ୍ରତିଷ୍ଠାତା ସମ୍ପାଦକ ମନୋଜ ଜେନା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଗାନ୍ଧୀ ମୂର୍ତ୍ତି ତଳେ ବିଜେଡ଼ିର ଧାରଣା, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ଦାବି

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନରେ ଜାରି ରହିଛି ହଟ୍ଟଗୋଳ। ବିରୋଧୀ ଦଳ ପକ୍ଷରୁ ମମିତା ମେହେର ହତ୍ୟାକାଣ୍ଡ ଘଟଣା ଉଠାଇ ସରକାର ବିରୋଧରେ ହଙ୍ଗାମା କରୁଥିବା ବେଳେ ବିରୋଧୀଙ୍କୁ ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେଡ଼ି ମଧ୍ୟ ଘେରିବାକୁ ଚେଷ୍ଟା କରୁଛି। ଆଜି ବିଧାନସଭାରେ ବିଜେଡ଼ି ସ୍ଵାଧୀନତା ସଂଗ୍ରାମ ପ୍ରସଙ୍ଗ ଉଠାଇଛି। ଏହି ପ୍ରସଙ୍ଗରେ ବିଜେଡ଼ି ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛି। ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ଗାନ୍ଧୀ ମୂର୍ତ୍ତି ତଳେ ବିଜେଡ଼ି ପ୍ରତିବାଦ କରୁଛି। ବିଜେଡ଼ି ପକ୍ଷରୁ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ଦାବି କରି ପ୍ରତିବାଦ କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ରର ଅବହେଳା କହି ବିଜେଡ଼ି ଆକ୍ରମଣ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ପାଇକ ବିଦ୍ରୋହ’କୁ ନେଇ କେନ୍ଦ୍ର ବିରୋଧରେ ଆଉ ଏକ ପାଇକ ବିଦ୍ରୋହ ଆବଶ୍ୟକ: ମହାସଂଘ

ଭୂବନେଶ୍ୱର: ରଣରଙ୍କା ପାଇକମାନଙ୍କର ‘ପାଇକ ବିଦ୍ରୋହ’ ଭାରତବର୍ଷର ପ୍ରଥମ ଇଂରେଜ ବିରୁଦ୍ଧ ସ୍ୱାଧୀନତା ସଂଗ୍ରାମ ନୁହେଁ। ଏଭଳି ଏକ ଭ୍ରମାତ୍ମକ ବିବୃତ୍ତି ଦେଇ କେନ୍ଦ୍ର ସରକାର ହୀନ ରାଜନୀତି କରୁଛନ୍ତି ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କ୍ଷୋଭ ପ୍ରକାଶ କରିଛନ୍ତି। ୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ନିଜ ମାଟି, ମାଆର ସୁରକ୍ଷା ପାଇଁ ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ ଭାରତବର୍ଷ ସର୍ବପ୍ରଥମ ସ୍ୱାଧୀନତା ସଂଗ୍ରାମ।

ଐତିହାସିକ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତ୍ତମାନ ଭାରତବର୍ଷର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହା ପ୍ରକାଶ କରିଥିଲେ। କେନ୍ଦ୍ର ବଜେଟରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଥିଲା। ପାଇକ ମହାସଂଘର ଦାବୀ ପରେ ମାନ୍ୟବର ଓଡ଼ିଆପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ବକ୍ସି ଜଗବନ୍ଧୁ’ ପାଇକ ଚେୟାର ପ୍ରତିଷ୍ଠା କରାଯାଇ ଏହା ଉପରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା। ଏପରିକି ମହା ଆଡ଼ମ୍ବରରେ ୨୦୧୯ରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଆଗମନ ସମୟରେ ପାଇକ ବିଦ୍ରୋହରେ ସାମିଲ ହୋଇ ସହୀଦ ହୋଇଥିବା ପାଇକ ପରିବାରର ଦାୟଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହି ସମୟରେ କେନ୍ଦ୍ରମନ୍ତ୍ରୀ ଉଚ୍ଚସ୍ୱରରେ ପ୍ରକାଶ କରିଥିଲେ, ଇତିହାସକୁ ପୁନରୁଦ୍ଧାର କରାଯାଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରମ ବୋଲି ପାଠ୍ୟପୁସ୍ତକରେ ସ୍ଥାନ ପାଇବ, ଆଗାମୀ ପିଢି ପାଇଁ ଏହା ଏକ ବାର୍ତ୍ତା ହେବ।

ବହୁ ଆଡ଼ମ୍ବର ଲଘୁକ୍ରିୟା ଭଳି ପୁନରାୟ କେନ୍ଦ୍ରର ହୀନ ରାଜନୈତିକ ମନୋଭାବ, ଫମ୍ପା ପ୍ରତିଶ୍ରୁତି, ମିଥ୍ୟା ବାର୍ତ୍ତା ମାଧ୍ୟମରେ ‘ପାଇକ ବିଦ୍ରୋହ’କୁ ପଦଦଳିତ କରି ପାଇକମାନଙ୍କୁ ଉପହାସ ବ୍ୟତୀତ ଆଉ କିଛି ନୁହେଁ। ପାଇକମାନେ ସ୍ୱାଭିମାନୀ, ଅସତ୍ୟ ଉପରେ ସତ୍ୟର ଜୟକୁ ବିଶ୍ୱାସ କରନ୍ତି। ନିଜ ମାଟି, ମା ପାଇଁ ପ୍ରାଣବଳୀ ପ୍ରଦାନ କରିପାରନ୍ତି। ଯେଉଁ ବାଜି ରାଉତ ୧୨ ବର୍ଷର ବାଳକ ନିଜ ମାଟି ପାଇଁ ପ୍ରାଣବଳୀ ପ୍ରଦାନ କରିଥିଲେ। ବେଜେଲ ଗେଟ୍‌କୁ ରଣପୁରଠାରେ ଠେଙ୍ଗାରେ ପିଟି ପିଟି ଯେଉଁ ପାଇକ ପୁଅ ହତ୍ୟା କରିଥିଲେ, ସେହି ରଣରଙ୍କା ପାଇକମାନଙ୍କର ପୁଣି ଢାଲ, ତରବାରୀ ଗର୍ଜି ଉଠିବ। ନିଜର ହକ୍ ପାଇଁ ରାଜରାସ୍ତାକୁ ବାହାରିବ। କେନ୍ଦ୍ର ସରକାରଙ୍କ କୁଶ୍ଚିତ ରାଜନୀତି ଓ ଓଡ଼ିଶା ସରକାରଙ୍କ ଅପାରଙ୍ଗମତା ବିରୁଦ୍ଧରେ ଆଉ ଏକ ‘ପାଇକ ବିଦ୍ରୋହ’ ଆରମ୍ଭ ହେବ ବୋଲି ପାଇକ ସର୍ଦ୍ଦାରମାନେ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରି ପାଠ୍ୟପୁସ୍ତକରେ ସ୍ଥାନ ଦିଅନ୍ତୁ।

ଆଜିର ଏହି ଗୁପ୍ତ ବୈଠକରେ ପ୍ରଫେସର ଗାୟନ ସାମଲ, ପାଇକଗୁରୁ କୋଦର ଦାସ, ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ଖୋର୍ଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ସଭାପତି ରାଜକିଶୋର ବେହେରା, ଅନୁଗୁଳ ସଭାପତି ସୁବୋଧ ସିଂହ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ରଞ୍ଜନ ବିଶୋଇ, ଢେଙ୍କାନାଳସ ସଭାପତି ନବ ସାମଲ, ଜଗତସିଂହପୁର ସଭାପତି ବିଦ୍ୟାଧର ନାଏକ, ବାଣପୁର ପାଇକ ସର୍ଦ୍ଦାର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନୟାଗଡ଼ର ଭରତ ଜେନା, ପାଇକ ମହାସଂଘର ଉପଦେଷ୍ଟା ବିଭୂତି ସ୍ୱାଇଁ, ଜଗତସିଂହପୁର ପାଇକ ସର୍ଦ୍ଦାର ଭୀମସେନ ବିଶ୍ୱାଳ, ଭୁବନେଶ୍ୱର ସଭାପତି ଅଜୟ ନାୟକ, ପାଇକ ମହାସଂଘର ମୁଖପାତ୍ର ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ଉତ୍କଳ ବିଶ୍ୱବିଦ୍ୟାଳୟର ସଭାପତି ହିମାଂଶୁ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ପ୍ରଶାସନର ଅବହେଳା ଯୋଗୁଁ କ୍ଷୁର୍ଣ୍ଣ ହେଉଛି ଐତିହାସିକ ପଲଟଣ ପଡିଆର ଅସ୍ଥିତ୍ଵ: ବିରୋଧ କଲା ସାମ୍ବାଦିକ ସଂଘ

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟନ ପଡିଆରେ ବେଆଇନ ଭାବେ ଜନୈକ ଠିକାଦାର ଏକାଧିକ ଟ୍ରିପ ବାଲି, ଗୋଡି ଗଦାଇବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉକ୍ତ ପଡିଆ ପାଇକ ବିଦ୍ରୋହର ମୁକସାକି ହୋଇଥିବାବେଳେ ଏହା ସହ ବାଣପୁରବାସୀଙ୍କ ଭାବନା ଯୋଡି ହେଇଛି। ତେବେ ପୂର୍ବରୁ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ଉକ୍ତ ସ୍ଥାନରୁ ଏଯାବତ ସମସ୍ତ ସାମଗ୍ରୀ ପୂର୍ବପରି ପଡି ରହିଛି।  ଏହାକୁ ଗମ୍ଭୀରତାର ସହ ନେଇ ଆଜି ଅପରାହ୍ନରେ ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ କୁମାର ସାହୁ ଏବଂ ଉପସଭାପତି ଅନିଲ ପାଇକରାୟଙ୍କ ନେତୃତ୍ୱରେ ଏକ ଟିମ ପଲଟନ ପଡିଆ ପରିଦର୍ଶନ କରିଥିଲେ।

ତେବେ ଆଶ୍ଚର୍ଯ୍ୟର କଥା ଘନ ଘନ ଖବର ପ୍ରସାରଣ ପରେ ମଧ୍ୟ ଉକ୍ତ ସ୍ଥାନରୁ ସମସ୍ତ ସାମଗ୍ରୀ ଖାଲି କରିବା ପରିବର୍ତ୍ତେ ନୂତନ ନିର୍ମାଣକାରୀ ସାମଗ୍ରୀମାନ ଆସି ଜମା ହେଉଥିବାର ଏହି ଟିମ ଦେଖିବାକୁ ପାଇଥିଲା। ତେଣୁ ଏଥିରେ କ୍ଷୁବ୍ଧ ହୋଇ ସଙ୍ଗେସଙ୍ଗେ ଶାଳିଆ ପ୍ରେସ କ୍ଲବର ସଦସ୍ୟମାନେ ବାଣପୁର ତହସିଲଦାର ମନ୍ମଥ ବେହରାଙ୍କ ନିକଟକୁ ଯାଇ ଘଟଣାର ଉଦ୍ଦେଶ୍ୟ ବିଷୟରେ ପଚାରି ବୁଝିଥିଲେ।

ତହସିଲଦାରଙ୍କ କହିବା ମୁତାବକ ସେ ଉକ୍ତ ଘଟଣାର ଏକ ରିପୋର୍ଟ ଯଥାଶୀଘ୍ର ଦେବାପାଇଁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସାମ୍ବାଦିକମାନେ ଜନୈକ ଠିକାଦାର ଙ୍କୁ ଘଟଣାସ୍ଥଳକୁ ଡକାଇ ସମସ୍ତ ତଥ୍ୟ ଜଣେଇବା ପାଇଁ ତହସିଲଦାରଙ୍କୁ ଦାବି କରିଥିଲେ।  ଏହାପରେ ତହସିଲଦାର ସମ୍ପୃକ୍ତ କମ୍ପାନୀରେ କାମ କରୁଥିବା ସୁପରଭାଇଜରଙ୍କୁ ତହସିଲ କାର୍ଯ୍ୟାଳୟକୁ ଡକାଇ ଘଟଣାର କାରଣ ପଚାରିବା ସହ ଯଥା ଶୀଘ୍ର ଉକ୍ତ ପଡିଆରୁ ସମସ୍ତ ସାମଗ୍ରୀ ଖାଲି କରିବାପାଇଁ ନିର୍ଦ୍ଦେଶ ଦେଇଥଲେ।

ତେବେ ଜନୈକ ସୁପରଭାଇଜର ନିର୍ମାଣ ସାମଗ୍ରୀ ଗଦେଇବାର କୌଣସି ସନ୍ତୁଷ୍ଟମୂଳକ ଉତ୍ତର ଦେଇପାରିନଥିବା ବେଳେ ଆସନ୍ତା ୨୩ ତାରିଖ ସୁଦ୍ଧା ପଡିଆରୁ ସମସ୍ତ ସାମଗ୍ରୀ ଖାଲି କରିଦେବେ ବୋଲି ପ୍ରତିଶୃତି ଦେଇଥିବା ନେଇ ବାଣପୁର ତହସିଲଦାର ସୂଚନା ଦେଇଛନ୍ତି। ଯଦି ଉକ୍ତ ପ୍ରତିଶୃତି ଜନୈକ ସୁପରଭାଇଜର ରକ୍ଷା ନକରିପାରିବେ ତେବେ ତହସିଲଦାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଐତିହ୍ୟ ସ୍ମାରକୀ ଶିଳାନ୍ୟାସକୁ ବର୍ଷେ ପୁରିଲା, ଏଯାଏ ଇଟା ଖଣ୍ଡେ ପଡିନି କି ଜବରଦଖଲ ଉଚ୍ଛେଦ ହେଉନି

ଭୁବନେଶ୍ୱର: ଠିକ ବର୍ଷେ ତଳେ ଡିସେମ୍ବର 8 ତାରିଖରେ ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼ ନିକଟରେ ପାଇକ ବିଦ୍ରୋହର ସ୍ମାରକୀକୁ ଭିତ୍ତି ପ୍ରସ୍ତର ପଡିଥିଲା। ପାଇକ ସ୍ମୃତି ସ୍ତମ୍ଭ ସଂଗ୍ରହାଳୟ ନିର୍ମାଣ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କଲାଭଳି ଅନେକ କାର୍ଯ୍ୟକ୍ରମ ହେବ ବୋଲି ପଦକ୍ଷେପ ନେଇଥିଲେ କେନ୍ଦ୍ର ସରକାର। ରାଷ୍ଟ୍ରପତି ରାମନାଥ କୋବିନ୍ଦ  ବରୁଣେଇ ଆସି ଏହି ଐତିହ୍ୟ ସ୍ମାରକୀ ପାଇଁ ଶିଳାନ୍ୟାସ କରିଥିଲେ। ସେତେବେଳେ ଏହି ଖବର ସମଗ୍ର ଦେଶରେ ଚର୍ଚ୍ଚା ହୋଇଥିଲା।

ଏଥିପାଇଁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିଲେ, ଅର୍ଥ ବି ମଞ୍ଜୁର କରିଛନ୍ତି। ସେହି ଅନୁସାରେ ରାଜ୍ୟ ସରକାର ୧୦ ଏକର ଜମି ବି ଯୋଗାଇଛନ୍ତି। ହେଲେ ବର୍ଷେ ପୂରଣ ହୋଇଥିଲେ ବି ଉକ୍ତ ସ୍ଥାନ ସେମିତି ଖାଲି ପଡିଛି। ନିର୍ମାଣ ଆରମ୍ଭ ନ ହେବାରୁ ସହିଦ ପାଇକଙ୍କ ପ୍ରତିମୂର୍ତ୍ତି ସେମିତି ଖୋଲାରେ ପଡିଛି। ଏହାକୁ ନେଇ ଖୋର୍ଦ୍ଧାବାସୀ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ତେବେ କେଉଁ କାରଣରୁ ଏଭଳି ବିଳମ୍ବ ହେଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଏହି ଐତିହ୍ୟ ସ୍ମାରକୀ ନିର୍ମାଣ ପାଇଁ ସବୁ ଦିଗରୁ ଦାବି ହୋଇଥିଲା। ୨୦୩ ବର୍ଷ ତଳେ ଓଡ଼ିଶାର ଖୋରଧାରୁ ହିଁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିବା ନେଇ ତଥ୍ୟ ପ୍ରମାଣ ଆଧାରରେ ଏହାକୁ କେନ୍ଦ୍ର ସରକାର ସ୍ୱୀକୃତି ଦେବା ପରେ ବରୁଣେଇରେ ସହିଦ ସ୍ମୃତିସ୍ତମ୍ଭ ନିର୍ମାଣକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବେଶ ତତ୍ପରତା ଦେଖାଇଥିଲେ। ହେଲେ ପରେ କଣ ହେଲା କେଜାଣି, ବର୍ଷେ ପୂରି ଯାଇଥିଲେ ବି ନା ସହିଦ ସ୍ତମ୍ଭ କିମ୍ବା ସଂଗ୍ରହାଳୟ କିଛି ବି ଆରମ୍ଭ ହୋଇପାରିଲା ନାହିଁ। ସେତେବେଳେ ରାଜ୍ୟ ସରକାର ଜମି ଯୋଗାଇବାରେ ଅବହେଳା କଥା ଉଠିଥିଲା କେନ୍ଦ୍ର। ହେଲେ ରାଜ୍ୟ ସରକାର ନିଜ ଦାୟିତ୍ୱ ନିର୍ବାହ କରିଥିଲେ ସୁଦ୍ଧା ଏଯାଏ ଏନେଇ କେନ୍ଦ୍ର ସରକାର ଚୁପ ରହିଛନ୍ତି।

ରାଜ୍ୟରେ ଏଭଳି ଏକ ଐତିହ୍ୟ ସ୍ମାରକୀ ପ୍ରତିଷ୍ଠା ହେବା ଗୌରବ ବିଷୟ ହୋଇଥିଲେ ବି ଉଭୟ ରାଜ୍ୟ ଓ କେନ୍ଦ୍ର ଏହାକୁ ନେଇ ଅବହେଳା ଦେଖାଉଥିବାର ଜଣାପଡିଛି। ତେବେ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା ଏହି ପ୍ରକଳ୍ପର ନିର୍ମାଣ ଦିଗରେ ଆଗଭର ନ ହେବାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓ ଏଥିରେ ବଳିଦାନ ଦେଇଥିବା ସହିଦଙ୍କ ସ୍ମାରକୀ ସ୍ତମ୍ଭ ରାଜନୈତିକ ପଶାପାଲିରେ ପେଶି ହେବାରେ ଲାଗିଛି।