Categories
ଆଜିର ଖବର ଆଞ୍ଚଳିକ

ବାଣପୁର ପ୍ରଶାସନର ଅବହେଳା ଯୋଗୁଁ କ୍ଷୁର୍ଣ୍ଣ ହେଉଛି ଐତିହାସିକ ପଲଟଣ ପଡିଆର ଅସ୍ଥିତ୍ଵ: ବିରୋଧ କଲା ସାମ୍ବାଦିକ ସଂଘ

ସୀତାରାମ ଅଗ୍ରୱାଲ

ବାଣପୁର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟନ ପଡିଆରେ ବେଆଇନ ଭାବେ ଜନୈକ ଠିକାଦାର ଏକାଧିକ ଟ୍ରିପ ବାଲି, ଗୋଡି ଗଦାଇବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉକ୍ତ ପଡିଆ ପାଇକ ବିଦ୍ରୋହର ମୁକସାକି ହୋଇଥିବାବେଳେ ଏହା ସହ ବାଣପୁରବାସୀଙ୍କ ଭାବନା ଯୋଡି ହେଇଛି। ତେବେ ପୂର୍ବରୁ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ଉକ୍ତ ସ୍ଥାନରୁ ଏଯାବତ ସମସ୍ତ ସାମଗ୍ରୀ ପୂର୍ବପରି ପଡି ରହିଛି।  ଏହାକୁ ଗମ୍ଭୀରତାର ସହ ନେଇ ଆଜି ଅପରାହ୍ନରେ ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ କୁମାର ସାହୁ ଏବଂ ଉପସଭାପତି ଅନିଲ ପାଇକରାୟଙ୍କ ନେତୃତ୍ୱରେ ଏକ ଟିମ ପଲଟନ ପଡିଆ ପରିଦର୍ଶନ କରିଥିଲେ।

ତେବେ ଆଶ୍ଚର୍ଯ୍ୟର କଥା ଘନ ଘନ ଖବର ପ୍ରସାରଣ ପରେ ମଧ୍ୟ ଉକ୍ତ ସ୍ଥାନରୁ ସମସ୍ତ ସାମଗ୍ରୀ ଖାଲି କରିବା ପରିବର୍ତ୍ତେ ନୂତନ ନିର୍ମାଣକାରୀ ସାମଗ୍ରୀମାନ ଆସି ଜମା ହେଉଥିବାର ଏହି ଟିମ ଦେଖିବାକୁ ପାଇଥିଲା। ତେଣୁ ଏଥିରେ କ୍ଷୁବ୍ଧ ହୋଇ ସଙ୍ଗେସଙ୍ଗେ ଶାଳିଆ ପ୍ରେସ କ୍ଲବର ସଦସ୍ୟମାନେ ବାଣପୁର ତହସିଲଦାର ମନ୍ମଥ ବେହରାଙ୍କ ନିକଟକୁ ଯାଇ ଘଟଣାର ଉଦ୍ଦେଶ୍ୟ ବିଷୟରେ ପଚାରି ବୁଝିଥିଲେ।

ତହସିଲଦାରଙ୍କ କହିବା ମୁତାବକ ସେ ଉକ୍ତ ଘଟଣାର ଏକ ରିପୋର୍ଟ ଯଥାଶୀଘ୍ର ଦେବାପାଇଁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସାମ୍ବାଦିକମାନେ ଜନୈକ ଠିକାଦାର ଙ୍କୁ ଘଟଣାସ୍ଥଳକୁ ଡକାଇ ସମସ୍ତ ତଥ୍ୟ ଜଣେଇବା ପାଇଁ ତହସିଲଦାରଙ୍କୁ ଦାବି କରିଥିଲେ।  ଏହାପରେ ତହସିଲଦାର ସମ୍ପୃକ୍ତ କମ୍ପାନୀରେ କାମ କରୁଥିବା ସୁପରଭାଇଜରଙ୍କୁ ତହସିଲ କାର୍ଯ୍ୟାଳୟକୁ ଡକାଇ ଘଟଣାର କାରଣ ପଚାରିବା ସହ ଯଥା ଶୀଘ୍ର ଉକ୍ତ ପଡିଆରୁ ସମସ୍ତ ସାମଗ୍ରୀ ଖାଲି କରିବାପାଇଁ ନିର୍ଦ୍ଦେଶ ଦେଇଥଲେ।

ତେବେ ଜନୈକ ସୁପରଭାଇଜର ନିର୍ମାଣ ସାମଗ୍ରୀ ଗଦେଇବାର କୌଣସି ସନ୍ତୁଷ୍ଟମୂଳକ ଉତ୍ତର ଦେଇପାରିନଥିବା ବେଳେ ଆସନ୍ତା ୨୩ ତାରିଖ ସୁଦ୍ଧା ପଡିଆରୁ ସମସ୍ତ ସାମଗ୍ରୀ ଖାଲି କରିଦେବେ ବୋଲି ପ୍ରତିଶୃତି ଦେଇଥିବା ନେଇ ବାଣପୁର ତହସିଲଦାର ସୂଚନା ଦେଇଛନ୍ତି। ଯଦି ଉକ୍ତ ପ୍ରତିଶୃତି ଜନୈକ ସୁପରଭାଇଜର ରକ୍ଷା ନକରିପାରିବେ ତେବେ ତହସିଲଦାର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।