ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ଜ୍ଞାନ ଓ ସାହିତ୍ୟର ମହାକୁମ୍ଭ ପ୍ରଥମ “ଚିଲିକା ପୁସ୍ତକ ମେଳା”ର ଶୁଭ ଉଦଘାଟନୀ ସମାରୋହରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ଏହି ପୁସ୍ତକ ମେଳାକୁ ଉଦଘାଟନ କରିଥିଲେ । ଏଇ କାର୍ଯ୍ୟକ୍ରମକୁ ସମୋଧିତ କରି ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ପୁସ୍ତକ ମେଳା ହେଉଛି ଜ୍ଞାନର ଏକ ମହାନ ଉତ୍ସବ, ଯେଉଁଠାରେ ବିଭିନ୍ନ ପ୍ରକାରର ବହି ଏକ ସ୍ଥାନରେ ମିଳେ, ଯାହା ମାଧ୍ୟମରେ ପାଠକମାନେ ନୂତନ ଜ୍ଞାନ ଅର୍ଜନ କରନ୍ତି।ଯିଏ ଥରେ ବହି ପଢିବାର ସୁଯୋଗ ପାଏ ଏବଂ ନିଜ ଭିତରେ ବହି ପଢିବାର ଇଚ୍ଛା ଜାଗ୍ରତ କରେ, ସେ ବାସ୍ତବରେ ବହିର ନିଶାରେ ପଡ଼ିଯାଏ । ବହି ସହିତ ମଣିଷର ସମ୍ପର୍କ ଏକ ଅପୂର୍ବ ନିଶା। ଯଦି ଏହି ‘ଆସକ୍ତି’ (Addiction) ଆମ ଭିତରେ ସୃଷ୍ଟି ହୁଏ, ତେବେ ତାହା ମଣିଷକୁ ଏକ ପ୍ରକୃତ ମଣିଷ ଭାବେ ଗଢ଼ି ଠିଆ କରିବାରେ ସହାୟକ ହେବ। ‘ଗଛଟିଏ ଏବଂ ବହିଟିଏ’ ଉପହାର ଦେବାର ଏକ ନୂତନ ପରମ୍ପରା ସୃଷ୍ଟି କରିବା । ସଭାସମିତି ଓ ବିବାହ ଉତ୍ସବରେ ଫୁଲତୋଡ଼ା ବଦଳରେ ପୁସ୍ତକ ଏବଂ ବୃକ୍ଷଚାରା ପ୍ରଦାନ କରିବାର ଅଭ୍ୟାସ ଆରମ୍ଭ କରିବା ଆଜିର ସମୟର ଆବଶ୍ୟକତା ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ପୂର୍ବତନ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ଃ Achyuta Samanta, ବିଶିଷ୍ଟ ସାହିତ୍ୟିକ ଡ଼ଃ ଶଶାଙ୍କ ଶେଖର ଚୂଡ଼ାମଣି,ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ବାଣପୁର ଏନ.ଏ.ସି ଅଧ୍ୟକ୍ଷ ଶ୍ରୀ ମିଟୁ ନାୟକ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚନ୍ଦନ, ଚିଲିକା ପୁସ୍ତକ ମେଳା କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଶରତ ପାଇକରାୟ, ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।
ଏହି ପୁସ୍ତକ ମେଳା ଆସନ୍ତା ୨୮ ତାରିଖ ଯାଏଁ ଚାଲିବ । ଓଡ଼ିଶାର ବିଶିଷ୍ଟ ପ୍ରକାଶକମାନଙ୍କ ଦ୍ୱାରା ପ୍ରାୟ ୮୦ଟି ଷ୍ଟଲରେ ସୁଲଭ ଦରରେ ପୁସ୍ତକ ବିକ୍ରି କରିବାର ବ୍ୟବସ୍ଥା ହୋଇଛି । ମେଳାର ପ୍ରଥମ ଦିନରେ ଭାରି ଭିଡ଼ ଦେଖିବାକୁ ମିଳିଥିଲା । ପୁସ୍ତକ କିଣିବା ପାଇଁ ଲୋକଙ୍କର ଆଗ୍ରହ ଦେଖି ପ୍ରକାଶକମାନେ ଖୁସିବ୍ୟକ୍ତ କରିଥିଲେ । ଏହା ସହିତ ଏହି ମେଳାରେ ଲୋକମାନେ ‘ଖାଦ୍ୟ ଷ୍ଟଲ’ରେ ବିକ୍ରି ହେଉଥିବା ସୁସ୍ୱାଦୁ ଖାଦ୍ୟର ମଜା ନେଉଥିବା ଦେଖିବାକୁ ମିଳିଥିଲା।


