ଭୁବନେଶ୍ଵର: କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାରେ RDC ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର କାରଣ ଜାଣିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଛି । ଘଟଣା କାହିଁକି ଘଟିଲା ଓ ଏହାର ଯେପରି ପୁନରବୃତି ନ ହୁଏ ସେଥିପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସଂପୂର୍ଣ୍ଣ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତାକାଲି ଠାରୁ ଉତ୍ତରାଞ୍ଚଳ RDC ତଦନ୍ତ ଆରମ୍ଭ କରିବେ।
କେନ୍ଦୁଝର ଜିଲ୍ଲା ପାଟଣାର ଏହି ଉଦବେଗଜନକ ଘଟଣା ତୀବ୍ର ସମାଲୋଚିତ ହେବା ପରେ, ଜିତୁ ମୁଣ୍ଡାଙ୍କ ପାଖରେ ପହଞ୍ଚିଛି ପ୍ରଶାସନ । ଏପରିକି ଏହି ଘଟଣାରେ ମୁଖମନ୍ତ୍ରୀ ନିଜେ ହସ୍ତକ୍ଷେପ କରିଥିଲେ। ଏହା ପରେ ଜିତୁ ତାଙ୍କ ଭଉଣୀ ବ୍ୟାଙ୍କରେ ଜମା କରିଥିବା ଟଙ୍କା ଫେରିପାଇଥିଲେ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଡିଆନାଳି ଗାଁକୁ ଯାଇ ଜିତୁଙ୍କୁ ତାଙ୍କ ଭଉଣୀ ଜମା କରିଥିବା ପ୍ରାୟ ୧୯ ହଜାର ଟଙ୍କା ସହିତ ରେଡ୍କ୍ରସ୍ ପାଣ୍ଠିରୁ ଆଉ ୩୦ ହଜାର ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମଧ୍ୟ ଏହି ଘଟଣାକୁ ନେଇ ମାମଲା ରୁଜୁ ହେବା ସହ ତଦନ୍ତ ଦାବି କରାଯାଇଛି ।


