ରେଢ଼ାଖୋଲ(କନ୍ଦର୍ପ ବେହେରା): “ ସାମ୍ବାଦିକମାନଙ୍କ ଦାବିଗୁଡ଼ିରେ ଯଥାର୍ଥତା ରହିଛି। ସରକାର ଯଥାଶୀଘ୍ର ଏ ବାବଦରେ ସଠିକ୍ ନିଷ୍ପତ୍ତି ନିଅନ୍ତୁ” ଏହା କହିଛନ୍ତି ରାଜନୈତିକ ଦଳର ନେତୃବୃନ୍ଦ। ଶୁକ୍ରବାର ଓୟୁଜେ ୪ ଦଫା ଦାବି ନେଇ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦେଇଥିଲା। ଏହି ପରିପ୍ରେକ୍ଷିରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ସଭାପତି ପ୍ରଭାତ ବେହେରାଙ୍କ ନେତୃତ୍ୱରେ ଗଣଧାରଣା ଦିଆଯାଇଛି।
ପୂର୍ବ ଘୋଷଣା ଅନୁଯାୟୀ ସାମାଜିକ ନିରାପତ୍ତା ଓ ମାସିକ ୩୦ ହଜାର ଟଙ୍କା ପେନ୍ସନ୍, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ଅଧିସ୍ୱୀକୃତି କମିଟି ଗଠନ ସହ ନିୟମରେ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ ବୀମା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ପିତାମାତା ଙ୍କୁ ସାମିଲ କରିବା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଓୟୁଜେ ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଏକ ଗଣଧାରଣା ଦିଆଯାଇଥିଲା। ଏଥିରେ ୯ଟି ବ୍ଲକ ସମେତ ସମ୍ବଲପୁର ମହାନଗର ଶାଖାରୁ ପ୍ରାୟ ଶତାଧିକରୁ ଊର୍ଦ୍ଧ୍ଵ ସାମ୍ବାଦିକ ଯୋଗଦେଇ ଦାବି ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ। ବିରୋଧୀ ବିଜେଡ଼ି ଓ କଂଗ୍ରେସର ସ୍ଥାନୀୟ ନେତା, ବିଭିନ୍ନ ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତା, ଶ୍ରମିକ ସଂଗଠନ, ବରିଷ୍ଠ ସାମ୍ବାଦିକ ଧାରଣାରେ ଯୋଗଦେଇ ସାମ୍ବାଦିକଙ୍କ ଦାବି ସପକ୍ଷରେ ମତ ରଖିଥିଲେ । ଏହି ଗଣସମାବେଶରେ ଜିଲ୍ଲାପରିଷଦ ଅଧ୍ୟକ୍ଷା କୁମୁଦୁନୀ ନାୟକ, ପୂର୍ଵ ଏସଡିଏ ଅଧକ୍ଷ ବିଜୟ ମହାନ୍ତି, ଶ୍ରମିକ ନେତା ସଂଜିତ ମହାନ୍ତି, ଚାଷୀ ନେତା ସରୋଜ ମହାନ୍ତି , ରାଜୀବ ମିଶ୍ର ପ୍ରମୁଖ ଯୋଗ ଦେଇ ଓୟୁଜେ ପକ୍ଷରୁ ଉପସ୍ଥାପିତ ଦାବି ଯଥାର୍ଥ ଓ ଏହାକୁ ତୁରନ୍ତ ପୁରଣ କରିବା ପାଇଁ ସରକାର ଙ୍କ ଉପରେ ଚାପ ସୃଷ୍ଟି କରିବା ସହିତ ଆଗାମୀ ବିଧାନସଭାରେ ପ୍ରଭାବୀ ଢଙ୍ଗରେ ଉତ୍ଥାପନ କରାଯିବା ବୋଲି ବିଜେଡି ଓ କଂଗ୍ରେସ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ।
ସେହିପରି ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଣ୍ଡା, ସୁବାଷ ପାଣିଗ୍ରାହୀ, ଶିବ ନନ୍ଦ, ସୁଜିତ ପାଣିଗ୍ରାହୀ, ମନୋରଞ୍ଜନ ପଟ୍ଟନାୟକ, ବୀରେନ୍ଦ୍ର ପାଣିଗ୍ରାହୀ, ସୁକାନ୍ତ କର, ରାଜାରାମ ପାଢ଼ୀ, ପ୍ରମୋଦ ବହିଦାର, ଦେବେନ୍ଦ୍ର ମିଶ୍ର, ଶରତ ବେହେରା, ଅମୁଲ୍ୟ ମିଶ୍ର, ରାଜ୍ୟ କୋଷାଧକ୍ଷ ଅମୁଲ୍ୟ ସ୍ୱାଇଁ, ସାଧାରଣ ସମ୍ପାଦକ ଶରତ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସଞ୍ଜୟ ମିଶ୍ର, ଜାତୀୟ ପରିଷଦ ସଭ୍ୟ ସଚ୍ଚିକାନ୍ତ ସାହୁ, ଉପସଭାପତି ସତୀଶ ମିଶ୍ର ଓ ଦିନେଶ ମହାନା, ସମ୍ପାଦକ ମନୋଜ ରାଜ ଓ ସୁଶାନ୍ତ ନାଗ, କୋଷାଧ୍ୟକ୍ଷ ହେମନ୍ତ ରାଉତ, ସଂଗଠନ ସମ୍ପାଦକ ରାଜେନ୍ଦ୍ର ନାୟକ, ବ୍ଲକ ସଭାପତି କନ୍ଦର୍ପ ବେହେରା, ସରୋଜ ସାହୁ, ଦିନେଶ ନନ୍ଦ, ତପନ ଦାଶ, ମନୋଜ ମୁଦୁଲି, ସନ୍ତୋଷ ପଟେଲ, ସନ୍ତୋଷ ଶୁକ୍ଲା, କ୍ଷୀରୋଦ ସା, ରାଧାମୋହନ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ସାହୁ ଓ ଜୟନ୍ତ ଖଡ଼ିରତ୍ନ ପ୍ରମୁଖ ବକ୍ତବ୍ୟ ରଖି ସାମ୍ବାଦିକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ତୁରନ୍ତ ପାଳନ କରାଯାଉ ବୋଲି ଦାବି କରିଥିଲେ।
ଶେଷରେ ଜିଲ୍ଲା ମିଡିଆ ସଂଯୋଜକ ସୁନୀଲ ନାଥ ଗଣଧାରଣାର ଏହିଭଳି ବ୍ୟାପକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।


