ପୁରୀ: ସାଢେ ଚାରିକୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ମହାପ୍ରସାଦର ଶୁଦ୍ଧତାକୁ ନେଇ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ରୋଷଘରରେ କେବଳ ଶୁଦ୍ଧ ଗୁଆ ଘିଅ ବ୍ୟବହାର ପାଇଁ ସ୍ପଷ୍ଟ ନିୟମ ଥିବା ସତ୍ତ୍ୱେ, ଡାଲଡା ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କିଛି ଅସାଧୁ ଚକ୍ର ଉଦ୍ୟମ କରିଥିବା ଅଭିଯୋଗ ଉଠିଛି ।
ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ସମୟରେ ଜଣେ ମହିଳା ବୋଝିଆଙ୍କ ନିକଟରୁ ପ୍ରାୟ ୩୦ରୁ ଅଧିକ ପ୍ୟାକେଟ୍ ଡାଲଡା ଘିଅ ଜବତ କରିଛନ୍ତି ଜଗନ୍ନାଥ ଟେମ୍ପଲ ପୁଲିସ ଓ ପୁଲିସ କର୍ମଚାରୀ। ଏହି ଘଟଣା ପରେ ମହାପ୍ରସାଦ ପ୍ରସ୍ତୁତିରେ ଅପମିଶ୍ରିତ ଘିଅ ବ୍ୟବହାରକୁ ନେଇ ସନ୍ଦେହ ଆହୁରି ଘନୀଭୂତ ହୋଇଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ନିମ୍ନମାନର ଘିଅ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ଭିତରକୁ ପଠାଇଥିଲା? ଏହା ପଛରେ କୌଣସି ସଂଗଠିତ କଳାବଜାରୀ ଚକ୍ର କାର୍ଯ୍ୟ କରୁଥିଲା କି? ନା ମହାପ୍ରସାଦ ବ୍ୟବସ୍ଥାକୁ କଳଙ୍କିତ କରିବା ପାଇଁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର?
ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର ହୋଇଥିବାବେଳେ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିରରେ ମହାପ୍ରସାଦ, ଖଜା ଓ ଦୀପ ପାଇଁ କେବଳ ଶୁଦ୍ଧ ଓମଫେଡ୍ ଗୁଆ ଘିଅ ବ୍ୟବହାର ନେଇ ପୂର୍ବରୁ ନିଷ୍ପତ୍ତି ହୋଇଛି। ଏହି ନିୟମ ଲାଗୁ ହେବା ପରେ ଖଜା, ଅବଢ଼ା ଓ ଅନ୍ୟାନ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି। ଭକ୍ତମାନେ ଅଧିକ ଦର ଦେଇ ଶୁଦ୍ଧତା ଉପରେ ଭରସା କରୁଥିବାବେଳେ, ଡାଲଡା ଘିଅ ଜବତ ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ଘଟଣାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁଦ୍ଧ ଘିଅ ବ୍ୟବହାର ନାମରେ ଦର ବଢ଼ାଯାଇଥିବା ସତ୍ତ୍ୱେ ଯଦି ଅପମିଶ୍ରିତ ଘିଅ ରୋଷଘରକୁ ପହଞ୍ଚୁଛି, ତେବେ ନିରୀକ୍ଷଣ ବ୍ୟବସ୍ଥା କେତେ ପ୍ରଭାବଶାଳୀ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଶ୍ରୀମନ୍ଦିର ପରିସରରୁ ଡାଲଡା ଘିଅ ଜବତ ଘଟଣା ପରେ ପୁରୀବାସୀ ଓ ଭକ୍ତମାନେ ଅନ୍ୟ ପ୍ରମୁଖ ମନ୍ଦିରଗୁଡ଼ିକରେ ମଧ୍ୟ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଓ ଶୁଦ୍ଧତା ଯାଞ୍ଚ କରିବାକୁ ଦାବି କରିଛନ୍ତି।
ମହାପ୍ରଭୁଙ୍କ ମହାପ୍ରସାଦ କେବଳ ଖାଦ୍ୟ ନୁହେଁ, କୋଟି କୋଟି ଭକ୍ତଙ୍କ ବିଶ୍ୱାସର ପ୍ରତୀକ। ସେହି ବିଶ୍ୱାସ ସହ ଖେଳିବାକୁ ହୋଇଥିବା ଯେକୌଣସି ଉଦ୍ୟମର ପର୍ଦାଫାସ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ହେଉ ବୋଲି ସାଧାରଣରେ ଦାବି ଜୋର ଧରିଛି।


