ଭୁବନେଶ୍ୱର: ହାତରେ ବହି ଅଛି, କିନ୍ତୁ ସେହି ବହିରେ ଶହ ଶହ ତ୍ରୁଟି। ଏପରି ସ୍ଥିତିରେ ପିଲାମାନେ କେଉଁ ପାଠକୁ ବିଶ୍ୱାସ କରିବେ? ଭୁଲ୍ ବହିକୁ ଫେରାଇ ନୂଆ ବହି ମିଳିବ, ନା ସେହି ବହିରେ ପାଠପଢ଼ା ଚାଲିବ? ଏହି ପ୍ରଶ୍ନକୁ ନେଇ ଗତ କିଛିଦିନ ଧରି ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦ୍ୱର ଅବସାନ ଘଟାଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ପାଇଁ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ ନାହିଁ। ବରଂ ଯେଉଁ ସବୁ ସ୍ଥାନରେ ତ୍ରୁଟି ଚିହ୍ନଟ ହୋଇଛି, ସେଗୁଡ଼ିକର ସଂଶୋଧିତ କପି ପ୍ରସ୍ତୁତ କରି ସମସ୍ତ ବିଦ୍ୟାଳୟ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଠାଯିବ। ଛାତ୍ରଛାତ୍ରୀମାନେ ସେହି ସଂଶୋଧିତ କପି ଆଧାରରେ ପାଠପଢ଼ା କରିବେ।
ନୂଆ ଶିକ୍ଷାବର୍ଷ ଆରମ୍ଭ ହୋଇ ପ୍ରାୟ ଦୁଇ ମାସ ବିତିଯାଇଥିବା ବେଳେ ପାଠ୍ୟପୁସ୍ତକରେ ହଜାର ହଜାର ତ୍ରୁଟି ସାମ୍ନାକୁ ଆସିଥିଲା। ଏହାପରେ ବିଭିନ୍ନ ଶିକ୍ଷାବିତ୍, ସାମାଜିକ ସଂଗଠନ ଓ ବିରୋଧୀ ଦଳ ପକ୍ଷରୁ ବହି ପ୍ରତ୍ୟାହାର କରି ପୁରୁଣା ପାଠ୍ୟପୁସ୍ତକରେ ପାଠପଢ଼ା ଆରମ୍ଭ କରିବାକୁ ଦାବି ଉଠିଥିଲା। ଫଳରେ କେଉଁ ବହିରେ ପିଲା ପଢ଼ିବେ, ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।
ଏହି ପରିସ୍ଥିତିରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏବେ ସବୁ ବହି ପ୍ରତ୍ୟାହାର କରି ପୁଣି ନୂଆ ବହି ଛପାଇ ବଣ୍ଟନ କରିବା ବ୍ୟବହାରିକ ଭାବେ ସମ୍ଭବ ନୁହେଁ। ତେଣୁ ତ୍ରୁଟିଗୁଡ଼ିକୁ ସଂଶୋଧନ କରି ପୃଥକ ପୁସ୍ତିକା କିମ୍ବା କପି ମାଧ୍ୟମରେ ପିଲାଙ୍କୁ ସଠିକ୍ ପାଠ୍ୟ ସାମଗ୍ରୀ ଯୋଗାଇ ଦିଆଯିବ। ଡ଼ିଇଓ ବା ପ୍ରଧାନଶିକ୍ଷକଙ୍କ ଜରିଆର ଦିଆଯିବ ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସରକାରଙ୍କ ଗଠିତ ଉଚ୍ଚସ୍ତରୀୟ କମିଟି ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ୧୪ଟି ପ୍ରମୁଖ ସୁପାରିସ କରିଛି। ମନ୍ତ୍ରୀଙ୍କ କହିବା ଅନୁଯାୟୀ, ସେହି ସୁପାରିସକୁ ଆଧାର କରି ସଂଶୋଧନ କରାଯିବ ଏବଂ ସେହି ଅନୁସାରେ ଶ୍ରେଣୀଗୃହରେ ପାଠପଢ଼ା ଚାଲିବ।
ସେ ଆହୁରି କହିଛନ୍ତି ଯେ, ତଦନ୍ତ ରିପୋର୍ଟ ଆଧାରରେ ଯେଉଁମାନଙ୍କର ଦାୟିତ୍ୱହୀନତା ସାମ୍ନାକୁ ଆସିଛି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ଆବଶ୍ୟକ ହେଲେ ଆଗକୁ ମଧ୍ୟ ପଦକ୍ଷେପ ନିଆଯିବ।
ବହି ପ୍ରତ୍ୟାହାର ନେଇ ସରକାରଙ୍କ ନିଷ୍ପତ୍ତି ସ୍ପଷ୍ଟ ହେବା ପରେ ଏବେ ସବୁଙ୍କ ନଜର ସଂଶୋଧିତ ପୁସ୍ତିକା ଉପରେ। ଶିକ୍ଷକ ସଂଘ ଦାବି କରିଛି ଯେ, ଯେତେଶୀଘ୍ର ସମ୍ଭବ ସମସ୍ତ ବିଦ୍ୟାଳୟକୁ ତ୍ରୁଟିଶୂନ୍ୟ ସଂଶୋଧିତ କପି ଯୋଗାଇ ଦିଆଯାଉ, ଯାହାଦ୍ୱାରା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଉ କୌଣସି ବିଭ୍ରାନ୍ତି ନ ରହେ।
ଅନ୍ୟପଟେ, ବିରୋଧୀ ଦଳ ବିଜେଡି ପୁଣି ଥରେ ସମସ୍ତ ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର କରି ନୂଆ ବହି ବଣ୍ଟନ କରିବାକୁ ଦାବି ଦୋହରାଇଛି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ପ୍ରକାଶିତ ୫୫ଟି ପାଠ୍ୟପୁସ୍ତକରେ ପ୍ରାୟ ୨ ହଜାରରୁ ଅଧିକ ତ୍ରୁଟି ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଘଟଣାକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ଏଥିରେ ଷଡ଼ଯନ୍ତ୍ରର ସମ୍ଭାବନା ଥିବା କହି ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। କମିଟିର ତଦନ୍ତ ରିପୋର୍ଟ ଆଧାରରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।


