ମୁମ୍ବାଇ: ବଲିଉଡ୍ର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ନିଜ ବ୍ୟକ୍ତିଗତ ଜୀବନରେ ପୁଣି ଥରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ୬୧ ବର୍ଷ ବୟସରେ ସେ ତାଙ୍କ ଦୀର୍ଘଦିନର ସାଥୀ ଗୌରୀ ସ୍ପ୍ରେଟଙ୍କୁ ଏକ ସରଳ ଓ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ଉଭୟେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ପାଲି ହିଲ୍ରେ ଥିବା ଆମିରଙ୍କ ବାସଭବନରେ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ ଅନୁଯାୟୀ ପଞ୍ଜିକୃତ ବିବାହ କରିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ରବିବାର ଦିନ ପ୍ରାୟ ୧୨ଟା ୪୫ ମିନିଟ୍ରେ ଉଭୟ ବିବାହ ପଞ୍ଜିକରଣ ଦଲିଲରେ ସ୍ୱାକ୍ଷର କରିଥିଲେ। ଏହି ଅବସରରେ ଆମିରଙ୍କ ପୁଅ ଆଜାଦ ଏବଂ ଗୌରୀଙ୍କ ପୂର୍ବ ବିବାହର ପୁଅ ସାକ୍ଷୀ ଭାବେ ଉପସ୍ଥିତ ଥିଲେ। ପରିବାର ସଦସ୍ୟଙ୍କ ସହ କିଛି ଘନିଷ୍ଠ ବନ୍ଧୁ ମଧ୍ୟ ଏହି ଅନ୍ତରଙ୍ଗ ସମାରୋହରେ ଯୋଗ ଦେଇଥିଲେ। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶିଳ୍ପପତି ମୁକେଶ ଅମ୍ବାନୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକରଙ୍କ ସମେତ କିଛି ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଆମିର ଖାନଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଛି। ପ୍ରଥମେ ସେ ରୀନା ଦତ୍ତଙ୍କୁ ବିବାହ କରିଥିଲେ। ଏହି ବିବାହରୁ ତାଙ୍କର ଦୁଇ ସନ୍ତାନ ଜୁନୈଦ ଓ ଇରା ଖାନ ଅଛନ୍ତି। ପ୍ରାୟ ୧୫ ବର୍ଷର ଦାମ୍ପତ୍ୟ ଜୀବନ ପରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା।
ପରେ ଆମିର ଚଳଚ୍ଚିତ୍ର ନିର୍ଦ୍ଦେଶକ କିରଣ ରାଓଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ପୁଅ ଆଜାଦ ଅଛନ୍ତି। ୨୦୨୧ରେ ଦୁହେଁ ଅଲଗା ହେବାର ଘୋଷଣା କରିଥିଲେ ମଧ୍ୟ ପୁଅର ଲାଳନପାଳନ ଓ ପେସାଗତ କାର୍ଯ୍ୟରେ ପରସ୍ପରକୁ ସହଯୋଗ କରିଆସୁଛନ୍ତି।
ଆମିର ଓ ଗୌରୀ ପ୍ରାୟ ୨୫ ବର୍ଷ ଧରି ପରସ୍ପରକୁ ଜାଣିଥିବାବେଳେ, ଗତ ଦୁଇ ବର୍ଷ ଧରି ସେମାନେ ସମ୍ପର୍କରେ ଥିଲେ। ଗୌରୀ ସ୍ପ୍ରେଟ ଜଣେ ଉଦ୍ୟୋଗୀ ହେବା ସହ ପୂର୍ବ ବିବାହରୁ ତାଙ୍କର ଏକ ପୁଅ ମଧ୍ୟ ଅଛି। ଏହି ବିବାହକୁ ଆମିରଙ୍କ ଜୀବନର ନୂଆ ଆରମ୍ଭ ବୋଲି ଦେଖାଯାଉଛି।


