ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ହିନ୍ତରାଇ ଗ୍ରାମରେ ଜଣେ ଯୁବକଙ୍କୁ ବନ୍ଧୁକରୁ ଗୁଳି କରି ହତ୍ୟା କରି ଥିବା ଖବର ହସ୍ତଗତ ହୋଇଛି। ହତ୍ୟା କରି ଅଭିଯୁକ୍ତଜଣଙ୍କ ଫେରାର ହୋଇଥିବା ଜଣାପଡିଛି।
ବିଶେଷ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା ଡଇଁଚା ପଞ୍ଚାୟତ ହିତରାଇ ଖଡିଆ ସାହିର ଭରତ ଧରୁଆ ଗ୍ରାମର କରୁଣାକର ମାଝିଙ୍କ ବାଇଗଣ ବଗିଚାକୁ କାମ କରିବାକୁ ଯାଇଥିଲେ। ଅଭିଯୁକ୍ତ କରୁଣାକର ମାଝୀ ସହ ମିଶି ବାଇଗଣ ବଗିଚାରେ କାମ କରିଥିଲେ। ସେଇ ବଗିଚାରେ ଭୋଜି ଭାତର ଆୟୋଜନ ହୋଇଥିଲା। ଅପରାହ୍ନ ୨ ଟା ରେ କୌଣସି କଥାକୁ ନେଇ କଥା କଟି ହୋଇ କରୁଣାକର ମାଝୀ ନିଜେ ବଗିଚାର କୁଡ଼ିଆ ଘରେ ରଖିଥିବା ଚୋରା ବନ୍ଧୁକରୁ ମୃତକ ଭରତଙ୍କ ମୁଣ୍ଡକୁ ଲକ୍ଷ କରି ଗୁଳି କରିଥିଲା।
ଭରତ ଦଣ୍ଡସେନା ସେଇ ବଗିଚା ପାଖରେ ହିଁ ମୃତ୍ୟୁବରଣ କରିଥିଲେ। ଅଭିଯୁକ୍ତ କରୁଣାକର ନିଜ ବାଇଗଣ ବଗିଚାରେ କାମ କରିବାକୁ ଡାକି ହତ୍ୟା କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ହତ୍ୟାର ଶିକାର ହୋଇଥିବା ଭାରତ ଶାନ୍ତ ସ୍ୱଭାବର ପିଲା ଥିଲା। କରୁଣାକର କଣ ପାଇଁ ଭରତକୁ ହତ୍ୟା କଲା ତାହା ତଦନ୍ତ କଲେ ଜଣାପଡିବ।
ଅଭିଯୁକ୍ତ ପ୍ରଚୁର ମଦ୍ୟ ପାନ କରିଥିଲା ବୋଲି ଜଣା ପଡିଛି। ପୋଲିସ କୌଣସି ସୂତ୍ରରୁ ଖବର ପାଇ ହିତରାଇ ଗ୍ରାମକୁ ଯାଇ ତଦନ୍ତ କରୁଥିବା ଜଣାପଡିଛି। ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ସହ ସଂଧାନୀ କୁକୁର ଆସିଲା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣା ପଡିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଶବ ପଡ଼ିରହିଥିବା ବେଳେ ପୋଲିସ ଶବକୁ ଜଗି ରହିଛି। ପୋଲିସ ଏହାର ତଦନ୍ତ ଜାରି ରଖିଛି।


