ଭୁବନେଶ୍ୱର: ଭୁବନେଶ୍ୱରରେ ଗୁରୁବାର ତୃତୀୟ ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଯୋଗଦେଇ ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ଘୋଷଣାପତ୍ରର ଖସଡ଼ା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି।
ବୈଠକରେ ପାରମ୍ପରିକ ଓ ସ୍ୱଦେଶୀ ଜ୍ଞାନ ପ୍ରଣାଳୀ ସମ୍ବନ୍ଧୀୟ ବ୍ରିକ୍ସ ମାର୍ଗଦର୍ଶୀ ସିଦ୍ଧାନ୍ତ, ପ୍ରାରମ୍ଭିକ ଶିଶୁ ଯତ୍ନ ଓ ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ, ସହଯୋଗୀ ଗବେଷଣା ଓ ନବସୃଜନ ଏବଂ ଶୈକ୍ଷିକ ନେତୃତ୍ୱ ଭଳି ପ୍ରସଙ୍ଗ ଉପରେ ମତବିନିମୟ ହୋଇଛି। ପ୍ରତିନିଧିମାନେ ସମାବେଶୀ, ଏବଂ ଭବିଷ୍ୟତମୁଖୀ ଶିକ୍ଷା ବ୍ୟବସ୍ଥା ଗଠନ ଲକ୍ଷ୍ୟରେ ସଂସ୍ଥାଗତ ସହଯୋଗ, କ୍ଷମତା ବିକାଶ ଏବଂ ଜ୍ଞାନର ଆଦାନପ୍ରଦାନକୁ ଆହୁରି ସୁଦୃଢ଼ କରିବା ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।


