ଛତ୍ରପୁର: ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ମାମଲାରେ ନ୍ୟାୟ ନମିଳିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ବ୍ୟକ୍ତି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଛି।
ଆହତ ବ୍ୟକ୍ତି ହେଲେ ବୁଗୁଡ଼ା ବ୍ଲକ ଗୌଡ଼ସିଙ୍ଗିପୁର ଗାଁର ଜଗବନ୍ଧୁ ପ୍ରଧାନ। ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ଏକ ମାମଲାରେ ଜଣେ ରାଜସ୍ବ ନିରୀକ୍ଷକ ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଆସୁଥିଲେ। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ।
ମଙ୍ଗଳବାର ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦିନତମାମ ଧାରଣା ଦେଇଥିଲେ। ତେବେ କୌଣସି ଅଧିକାରୀ ତାଙ୍କୁ ଭେଟିନଥିବା ଅଭିଯୋଗ କରି ସନ୍ଧ୍ୟା ପ୍ରାୟ ୭ଟାରେ ସେ ବ୍ୟାଗ୍ରୁ କୀଟନାଶକ ବାହାର କରି ପିଇ ଦେଇଥିଲେ।
ଘଟଣା ପରେ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ହସ୍ପିଟାଲକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍କେସିଜିକୁ ପଠାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।


