କୋରାପୁଟ: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ଆଜି ସନ୍ଧ୍ୟାରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସନ୍ଧ୍ୟା ପ୍ରାୟ ୮ଟା ୩୯ ମିନିଟ୍ ସମୟରେ ହଠାତ୍ କିଛି ସେକେଣ୍ଡ ପାଇଁ ଭୂମିକମ୍ପନ ଅନୁଭବ କରିଥିଲେ ଅଞ୍ଚଳବାସୀ।
ଭୂକମ୍ପର ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ଅନେକ ଲୋକ ତୁରନ୍ତ ଘରୁ ବାହାରକୁ ଚାଲିଆସି ସୁରକ୍ଷିତ ସ୍ଥାନରେ ରହିଥିଲେ। ତେବେ ଭୂକମ୍ପ ଯୋଗୁଁ କୌଣସି ବଡ଼ଧରଣର କ୍ଷୟକ୍ଷତି କିମ୍ବା ଧନଜୀବନ ହାନି ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।
ଭୂକମ୍ପର ତୀବ୍ରତା କେତେ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ କେଉଁଠାରେ ଥିଲା, ସେନେଇ ଅଧିକାରିକ ସୂଚନାକୁ ଅପେକ୍ଷା କରାଯାଉଛି। ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଏବେ ବି ଭୂକମ୍ପକୁ ନେଇ ଚର୍ଚ୍ଚା ଜାରି ରହିଛି।


