ଭୁବନେଶ୍ବର: MMDR ସଂଶୋଧନ ବିଲ୍-୨୦୨୬କୁ ନେଇ ରାଜ୍ୟ ରାଜନୀତିରେ ତେଜିଛି ଚର୍ଚ୍ଚା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପତ୍ରର ପ୍ରତିଉତ୍ତର ରଖିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟକୁ ଗୋପନ ରଖି ଭୟ ସୃଷ୍ଟି କରିବା କିମ୍ବା ଲୋକଙ୍କୁ ବିଭ୍ରାନ୍ତ କରିବା ଅନୁଚିତ ବୋଲି ସେ କହିଛନ୍ତି।
ଧର୍ମେନ୍ଦ୍ରଙ୍କ ଦାବି ଅନୁଯାୟୀ, ନୂଆ ଆଇନ ଦ୍ୱାରା ଖଣିଜ ରାଜସ୍ୱର ପ୍ରାୟ ୯୦% ସିଧାସଳଖ ରାଜ୍ୟ କୋଷାଗାରକୁ ଯିବ। ଓଡ଼ିଶା ନିଲାମ ପ୍ରିମିୟମର ୧୧୦%, ରୟାଲଟି ଏବଂ ୧୫% DMF ପାଣ୍ଠି ସମ୍ପୂର୍ଣ୍ଣ ଭାବେ ପାଇବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ୨୦୧୪ ପୂର୍ବରୁ ଓଡ଼ିଶାର ବାର୍ଷିକ ଖଣି ରାଜସ୍ୱ ପ୍ରାୟ ୫ ହଜାର କୋଟି ଟଙ୍କା ଥିଲା। ୨୦୧୫ରେ ସ୍ୱଚ୍ଛ ଇ-ନିଲାମ ନୀତି ଲାଗୁ ହେବା ପରେ ଏହା ପ୍ରାୟ ୫୦ ହଜାର କୋଟି ଟଙ୍କାରେ ପହଞ୍ଚିଥିବା ସେ ଦାବି କରିଛନ୍ତି।
କଞ୍ଚାମାଲର ଦର ବୃଦ୍ଧି ନହେଲେ ଇସ୍ପାତ, ସିମେଣ୍ଟ ଓ ବିଦ୍ୟୁତ ଭଳି କ୍ଷେତ୍ରର ଦର ନିୟନ୍ତ୍ରିତ ରହିବ ବୋଲି ଧର୍ମେନ୍ଦ୍ର ଯୁକ୍ତି ଦେଇଛନ୍ତି। ଓଡ଼ିଶାର ବିକାଶ ଓ ଯୁବପିଢ଼ିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ MMDR ସଂଶୋଧନ ବିଲ୍କୁ ସମର୍ଥନ କରିଥିବା କହିଛନ୍ତି।
ଦଳୀୟ ମନୋଭାବରୁ ଊର୍ଦ୍ଧ୍ୱକୁ ଯାଇ ଓଡ଼ିଶାର ବୃହତ୍ତର ସ୍ୱାର୍ଥରେ ଏହି ବିଲ୍କୁ ସମର୍ଥନ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି।


