ବାଙ୍କୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ଘଟିଛି ଏକ ଗୁରୁତର ଆକ୍ରମଣ ଘଟଣା। ଖଣ୍ଡାରେ ଦୁଇ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବାରୁ ଉଭୟ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଯୁବକ ହେଲେ ବେଦପୁର ଗାଁର ସୋମନାଥ ପଣ୍ଡା ଓ ରାକେଶ ପଣ୍ଡା।
ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ ନେଇ ଦୁଇ ଯୁବକଙ୍କ ସହ କିଛି ଦୁର୍ବୃତ୍ତଙ୍କର ବିବାଦ ରହିଥିବା କୁହାଯାଉଛି। ଏହି ବିବାଦକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ଉଭୟଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଉଭୟଙ୍କ ଶରୀରରେ ଗୁରୁତର ଆଘାତ ଲାଗିଛି।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଦୁଇ ଯୁବକଙ୍କୁ ପ୍ରଥମେ ବାଙ୍କୀ ମେଡିକାଲକୁ ନିଆଯାଇଥିଲା। ତେବେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପରେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ, ଆକ୍ରମଣ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ବାଙ୍କୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଆକ୍ରମଣର କାରଣ, ଏଥିରେ କେତେଜଣ ସମ୍ପୃକ୍ତ ଥିଲେ ଏବଂ ଅଭିଯୁକ୍ତମାନଙ୍କ ପରିଚୟ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଛି।


