ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଜାତୀୟ ସେବା ଯୋଜନା (NSS) ର ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ରିଡିଂ ରୁମ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ NSS ସ୍ୱେଚ୍ଛାସେବୀମାନଙ୍କୁ ସମାଜସେବା, ଦାୟିତ୍ୱବୋଧ ଓ ଜରୁରୀ ପରିସ୍ଥିତିରେ ମାନବିକ ସହାୟତା ପ୍ରଦାନ ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ତର୍କଶାସ୍ତ୍ର ଓ ଦର୍ଶନଶାସ୍ତ୍ର ଅଧ୍ୟାପକ ତଥା ପୂର୍ବତନ NSS Programme Officer ଶ୍ରୀ ସେଖ୍ ଫରିଦ୍ ଯୋଗଦେଇଥିଲେ। ତାଙ୍କର ଅଭିଜ୍ଞତା ଓ NSS ସହ ଦୀର୍ଘଦିନର ସମ୍ପୃକ୍ତତାକୁ ଆଧାର କରି ସେ “NSS Orientation Programme with Emergency, Response and Care” ବିଷୟରେ ସ୍ୱେଚ୍ଛାସେବୀମାନଙ୍କୁ ବିସ୍ତୃତ ଭାବେ ମାର୍ଗଦର୍ଶନ କରିଥିଲେ।
ସେ ଜରୁରୀ ପରିସ୍ଥିତିରେ ତୁରନ୍ତ ଓ ସଠିକ୍ ପ୍ରତିକ୍ରିୟା, ଆବଶ୍ୟକ ସହାୟତା ପ୍ରଦାନ, ସଙ୍କଟ ସମୟରେ ନିଜକୁ ନିୟନ୍ତ୍ରଣରେ ରଖି ସମୂହଗତ ଭାବେ କାର୍ଯ୍ୟ କରିବା ଏବଂ ମାନବିକତାର ସହ ଅନ୍ୟମାନଙ୍କ ପାଖରେ ଠିଆ ହେବାର ଗୁରୁତ୍ୱ ବୁଝାଇଥିଲେ। “ସେବା କେବଳ ଏକ କାର୍ଯ୍ୟ ନୁହେଁ, ଏହା ଦାୟିତ୍ୱ ଓ ଚରିତ୍ର ଗଠନର ଏକ ମାଧ୍ୟମ” ବୋଲି ସେ ସ୍ୱେଚ୍ଛାସେବୀମାନଙ୍କୁ ପ୍ରେରଣା ଦେଇଥିଲେ।
କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କୁ ସମ୍ମାନର ସହ ମଞ୍ଚକୁ ନିଆଯାଇଥିଲା ଏବଂ ସବୁଜ ସ୍ୱାଗତର ପ୍ରତୀକ ଭାବେ ଅତିଥିମାନଙ୍କୁ ଚାରାଗଛ ପ୍ରଦାନ କରାଯାଇଥିଲା। ପରେ ଦୀପ ପ୍ରଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମର ଔପଚାରିକ ଉଦ୍ଘାଟନ ହୋଇଥିଲା। NSS ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଏସ୍.ପି.ଏନ୍.ଏସ୍. ବର୍ମା ତାଙ୍କ ଅଭିଭାଷଣରେ NSSର ଉଦ୍ଦେଶ୍ୟ ଓ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ଏଥିସହ HS Wing ର ଭାରପ୍ରାପ୍ତ. ଅଧ୍ୟକ୍ଷ ଆଦିତ୍ୟ ସାରଥୀ ବେଦମତ୍ତା ମଧ୍ୟ ସ୍ୱେଚ୍ଛାସେବୀମାନଙ୍କୁ ପ୍ରେରଣାଦାୟକ ମାର୍ଗଦର୍ଶନ ଦେଇଥିଲେ।ଏହି ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ଏହି କାର୍ଯ୍ୟକ୍ରମର ଦିତୀୟ ଭାଗରେ ସ୍ୱେଚ୍ଛସେଵୀ ମାନଙ୍କୁ power point ମାଧ୍ୟମରେ ଯୋଜନାର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇ ସୁଯୋଗ ପାଇଲେ ଏଗୁଡ଼ିକୁ ପାଳନ କରିବାପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା। ପରିଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


