ନୂଆଦିଲ୍ଲୀ: ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ସ୍କିମ୍କୁ ନେଇ ମତଭେଦ ଏବଂ ପେନ୍ସନ୍ ସମ୍ବନ୍ଧୀୟ ଦାବି ପୂରଣ ନହେବାରୁ ସେପ୍ଟେମ୍ବର ୧୧ ଦିନ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (ୟୁଏଫବିୟୁ) ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଧର୍ମଘଟର ଡାକରା ଦିଆଯାଇଛି। ଫଳରେ ଆସନ୍ତାକାଲିଠାରୁ ଲଗାତାର ୩ରୁ ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କିଂ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଏହି ଧର୍ମଘଟ ଯୋଗୁଁ କାର୍ଯ୍ୟପନ୍ଥା ବାଧାପ୍ରାପ୍ତ ହୋଇପାରେ ବୋଲି ଗ୍ରାହକମାନଙ୍କୁ ପୂର୍ବରୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୨୪ ମାର୍ଚ୍ଚ ୮ରେ ଆଇବିଏ ଏବଂ ୟୁନିୟନ୍ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ସୋମବାରରୁ ଶୁକ୍ରବାର ଦୈନିକ ୪୦ ମିନିଟ୍ ଅତିରିକ୍ତ କାମ ବଦଳରେ ସବୁ ଶନିବାର ଛୁଟି ରହିବ। ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ସରକାର ଏହାକୁ ଲାଗୁ କରିନାହାନ୍ତି। ସରକାର ଆଣିଥିବା ନୂଆ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ନୀତିକୁ ବ୍ୟାଙ୍କ କର୍ମଚାରୀମାନେ ପକ୍ଷପାତମୂଳକ ବୋଲି ଦର୍ଶାଇ ଏହାର ପ୍ରତ୍ୟାହାର କିମ୍ବା ସଂଶୋଧନ ଦାବି କରୁଛନ୍ତି। ଦାବି ପୂରଣ ନହେଲେ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ୩ ଦିନିଆ ଧର୍ମଘଟ ଏବଂ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ କରାଯିବ ବୋଲି ୟୁଏଫ୍ବିୟୁ ଚେତାବନୀ ଦେଇଛି।


