ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗ ଛୁଇଁଛି। ଯାହାର ପ୍ରଭାବ ଓଡ଼ିଶା ଉପରେ କମ୍ ରହିଥିବା ବେଳେ ମୌସୁମୀ ନିମ୍ନଚାପ ରେଖା ଏବଂ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷପ ଯୋଗୁଁ ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଉତ୍ତର-ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।
ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାରେ ବର୍ଷା, ବିଜୁଳି ଏବଂ ଘଡ଼ଘଡ଼ି ସହ ଝଟକା ପବନ ହେବାର ସମ୍ଭାବନାକୁ ନେଇ ଏହି ୨୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ମଙ୍ଗଳବାର ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା, ବିଜୁଳି ଏବଂ ଘଡ଼ଘଡ଼ି ସହ ଝଟକା ପବନ ହେବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବା ପୂର୍ବରୁ ପୁଣି ଥରେ ସକ୍ରିୟ ହେଉଛି। ତେବେ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଏହି ସପ୍ତାହରେ ଭାରତର ଅନେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର, କେନ୍ଦ୍ରୀୟ, ପୂର୍ବ, ଉତ୍ତର-ପୂର୍ବ ଏବଂ ପଶ୍ଚିମ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରବଳ ପବନ ସହିତ ଘଡ଼ଘଡ଼ି ମାରିବା ସହ ବର୍ଷା ହୋଇପାରେ। ନୈରୃତ ମଧ୍ୟପ୍ରଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଏକ ଲଘୁଚାପ କ୍ଷେତ୍ର ଦକ୍ଷିଣ ରାଜସ୍ଥାନ ଏବଂ ଉତ୍ତର ଗୁଜରାଟ ଆଡ଼କୁ ଗତି କରୁଛି। ଏହା ସହିତ, ମୌସୁମୀ ଟ୍ରଫ୍ ଏବଂ ଅନ୍ୟାନ୍ୟ ପାଣିପାଗ ପ୍ରଣାଳୀ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ବର୍ଷା କରାଇପାରେ। ଉତ୍ତର-ପଶ୍ଚିମ ଭାରତରେ ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହ ଏହା ୬୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ଆକାଶ ମୁଖ୍ୟତଃ ମେଘୁଆ ରହିବ ଏବଂ କେବଳ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି।


