କଟକ: ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ କରିବା ପାଇଁ ଆଜିଠାରୁ ବାରବାଟୀ ପ୍ୟାଲେସ୍ଠାରେ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ପ୍ରଥମ ୪ ଦିନ ପୂଜା କମିଟିଗୁଡ଼ିକ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଏହି ସୁବିଧା ମାଧ୍ୟମରେ ସମସ୍ତ ଆବଶ୍ୟକୀୟ ଏନଓସି ଓ ଅନୁମତିପତ୍ର ପାଇଁ ଆବେଦନ କରିପାରିବେ। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଦ୍ୱାରା ପୂଜା କମିଟିଗୁଡ଼ିକୁ ତ୍ୱରିତ ସେବା ଯୋଗାଇ ଦିଆଯିବ। ତହସିଲ, ଆରଟିଓ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅନୁମତି ସହ ଆବଶ୍ୟକ ଫି’ ମଧ୍ୟ ଗୋଟିଏ ସ୍ଥାନରେ ଦାଖଲ କରାଯାଇପାରିବ। ବାରବାଟୀ ପ୍ୟାଲେସ୍ରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ ଆବେଦନ ଗ୍ରହଣ ଓ ସମ୍ପାଦନ କରୁଛନ୍ତି। ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ପରିଚାଳିତ ହେଉଥିବା ବେଳେ କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ସିଂଙ୍କୁ ଏହାର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।


