ନବରଙ୍ଗପୁର: ବିନା ଅନୁମତିରେ ଗଛକଟା ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଜଣେ ଫରେଷ୍ଟର ନିଲମ୍ବିତ ହୋଇଛନ୍ତି। ଡାବୁଗାଁ ରେଞ୍ଜ ଅଧୀନ ମୈଦଲପୁର ସେକ୍ସନରେ କାର୍ଯ୍ୟରତ ଫରେଷ୍ଟର ବିପିନ କୁମାର ହରିଜନଙ୍କୁ ନବରଙ୍ଗପୁର DFO ନିଲମ୍ବନ କରିଛନ୍ତି।
ସୂଚନା ଅନୁଯାୟୀ, ବିପିନ କୁମାର ହରିଜନ ଝରିଗାଁ ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ଦେଓବନ୍ଧରୁ ଜାମାଦରପଡ଼ା ରାସ୍ତାରେ ଥିବା ୟୁକାଲିପ୍ଟସ୍ ବା ନୀଳଗିରି ଗଛ ବିନା ଅନୁମତିରେ କାଟିବା ନେଇ ଅଭିଯୋଗ ହୋଇଥିଲା।
ଏହି ଅଭିଯୋଗ ଆଧାରରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଗଛକଟା ସହିତ ଆର୍ଥିକ କାରବାରରେ ଅନିୟମିତତା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା।
ଅଭିଯୋଗ ନେଇ ବିଭାଗ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ବିପିନ କୁମାର ହରିଜନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ନୋଟିସର ଉତ୍ତର ବିଭାଗ ପକ୍ଷରୁ ସନ୍ତୋଷଜନକ ବିବେଚିତ ନହେବାରୁ ତାଙ୍କ ବିରୋଧରେ ନିଲମ୍ବନ ଭଳି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଏହି ଘଟଣା ପରେ ବନ ବିଭାଗରେ ଚର୍ଚ୍ଚା ଜୋର ଧରିଛି। ଅଭିଯୋଗ ସମ୍ପର୍କିତ ବିଭାଗୀୟ ପ୍ରକ୍ରିୟା ଆଗକୁ କିପରି ବଢ଼ିବ, ତାହା ଉପରେ ନଜର ରହିଛି।


