ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରାଗାର (ସର୍କଲ ଜେଲ୍) ଭିତରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ତାଙ୍କ ସହଯୋଗୀଙ୍କୁ କଥା ହେବା ପାଇଁ ମୋବାଇଲ୍ ଫୋନ୍ ଯୋଗାଇ ଦେବା ଅଭିଯୋଗରେ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ରହ୍ମପୁର ସିଟି ହସ୍ପିଟାଲରେ ନିଯୁକ୍ତ ତଥା ଜେଲ୍ରେ ବିଶେଷଜ୍ଞ ଭାବେ କାର୍ଯ୍ୟରତ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ପାଣିଗ୍ରାହୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର କମିଶନର-କମ୍-ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଓଡ଼ିଶା ସିଭିଲ୍ ସର୍ଭିସେସ୍ ନିୟମାବଳୀ, ୧୯୬୨ ଆଧାରରେ ଡାକ୍ତର ପାଣିଗ୍ରାହୀଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବନ ଅବଧି ମଧ୍ୟରେ ସେ ବ୍ରହ୍ମପୁର ସିଟି ହସ୍ପିଟାଲ୍ରେ ଅବସ୍ଥାପିତ ରହିବେ ଏବଂ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।


