ରଣପୁର: ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ‘ଉଲ୍ଲାସ’ ଅଧୀନରେ ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ପରୀକ୍ଷା ରବିବାର ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସୁଚାରୁ ଭାବେ ଅନୁଷ୍ଠିତ ହୋଇଛି। ବ୍ଲକର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
ପରୀକ୍ଷାର ସୁପରିଚାଳନା ଓ ବ୍ୟବସ୍ଥାର ତଦାରଖ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶିକା ନିବେଦିତା ପାଣି ପର୍ଯ୍ୟବେକ୍ଷକ ଭାବେ ରଣପୁର ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ସେ ପରୀକ୍ଷାର୍ଥୀମାନଙ୍କ ସହ ଆଲୋଚନା କରି ପ୍ରଶ୍ନପତ୍ରର ବିଷୟବସ୍ତୁ, ପରୀକ୍ଷା ପରିଚାଳନା ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ଅବସରରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶିକାଙ୍କ ସହ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷାର ସୁଚାରୁ ପରିଚାଳନା ନିରୀକ୍ଷଣ କରିଥିଲେ।

ଅତିରିକ୍ତ ନିର୍ଦ୍ଦେଶିକା ବିଭିନ୍ନ କେନ୍ଦ୍ର ପରିଦର୍ଶନ ସମୟରେ ସି.ଆର.ସି.ସି. ସୁଶୀଲ କୁମାର ରଣା, ଅକ୍ରୁର ରାଉତରାୟ ଏବଂ ସି.ଆର.ଜି. ମାନସ କୁମାର ପଟ୍ଟନାୟକ ଉପସ୍ଥିତ ରହି ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।
ବୟସର କୌଣସି ସୀମା ନୁହେଁ, ଶିକ୍ଷା ହାସଲ କରିବାର ଇଚ୍ଛା ହିଁ ସଫଳତାର ପ୍ରଥମ ପାହାଚ—ଏହି ବାର୍ତ୍ତାକୁ ନେଇ ଉଲ୍ଲାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିକ୍ଷାର୍ଥୀମାନଙ୍କ ଉତ୍ସାହ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବେଶ୍ ଉତ୍ସାହଜନକ ପରିବେଶ ସୃଷ୍ଟି କରିଥିଲା।
ଏହି ଅବସରରେ ସି.ଆର.ସି.ସି. ସଞ୍ଜୟ କୁମାର ବରାଡ଼, ରାଜୀବ ବେହେରା, ସୁଧାକର ମିଶ୍ର, ପବିତ୍ର ପ୍ରଧାନ, ଚିତ୍ତରଞ୍ଜନ କୁଣ୍ଡ, ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରଦୀପ କୁମାର ଜେନା ଓ ଅଜୟ କୁମାର ପ୍ରଧାନଙ୍କ ସମେତ ରଣପୁର ବ୍ଲକର ସମସ୍ତ ସି.ଆର.ସି.ସି. ନିଜ ନିଜ କ୍ଲଷ୍ଟର ଅଧୀନରେ ଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷାର ସୁଚାରୁ ପରିଚାଳନା ଓ ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରୀକ୍ଷାର୍ଥୀଙ୍କ ସୁବିଧା, ପ୍ରଶ୍ନପତ୍ର ବଣ୍ଟନ, ପରୀକ୍ଷା ପରିଚାଳନା ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ସି.ଆର.ସି.ସି. ମାନେ ତଦାରଖ କରିଥିଲେ। ଏଥିସହ ପରୀକ୍ଷାର୍ଥୀମାନଙ୍କ ସହ ଆଲୋଚନା କରି ପ୍ରଶ୍ନପତ୍ର ସମ୍ବନ୍ଧରେ ମଧ୍ୟ ପଚାରି ବୁଝିଥିଲେ।


