କଟକ: ବହୁଚର୍ଚ୍ଚିତ ଚୌଦ୍ୱାର ଜେଲ୍ରୁ କଏଦୀ ଫେରାର ଏବଂ କାଗଜପତ୍ର ଜାଲିଆତି ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗିରଫଦାରୀରୁ ବଞ୍ଚିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଚଳାଇଥିବା ପୂର୍ବତନ ଜେଲ୍ ସୁପରିଟେଣ୍ଡେଣ୍ଟ ସୁଜିତ କୁମାର ରାଉଳଙ୍କୁ ଶେଷରେ ପୋଲିସ ଗିରଫ କରିଛି। ହାଇକୋର୍ଟରୁ ଜାମିନ ଆବେଦନ ଖାରଜ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୨୫ ଅକ୍ଟୋବର ୨ ରାତିରେ ଚୌଦ୍ୱାର ଜେଲରୁ ଗ୍ରିଲ୍ କାଟି ଓ ପାଚେରୀ ଡେଇଁ ବିହାରର ଦୁଇ ବିଚାରାଧୀନ କଏଦୀ ରାଜା ସାହାନୀ ଏବଂ ମଧୁକାନ୍ତ କୁମାର ଫେରାର ହୋଇଯାଇଥିଲେ। ଏହି ଭୟଙ୍କର ପ୍ରଶାସନିକ ଅବହେଳା ପାଇଁ ଜେଲ୍ ବିଭାଗରେ ସୃଷ୍ଟି ହୋଇଥିଲା ତୀବ୍ର ଆଲୋଡ଼ନ, ଏବଂ ଘଟଣା ପରେ ସୁଜିତ ରାଉଳଙ୍କୁ ପଦରୁ ନିଲମ୍ବିତ କରାଯାଇଥିଲା। କଏଦୀ ଫେରାର ଦିନ ସୁପରିଟେଣ୍ଡେଣ୍ଟ ସୁଜିତ ରାଉଳ ଜେଲ୍ ଗେଟ୍ରେ ଉପସ୍ଥିତ ନଥିଲେ। ମାତ୍ର କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସେ ଗେଟ୍ ରେଜିଷ୍ଟରରେ ନିଜର ଉପସ୍ଥିତି ଦେଖାଇବାକୁ ଚେଷ୍ଟା କରିଥିଲେ। ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା ଯେ ସେହି ଦିନ ତାଙ୍କ ମୋବାଇଲ୍ ଲୋକେସନ୍ ଖୋର୍ଦ୍ଧାରେ ଥିଲା। ନିଜ ଦୋଷ ଲୁଚାଇବାକୁ ସେ ସେତେବେଳର ଜେଲର ସନ୍ତୋଷିନୀ ଦାଶଙ୍କ ଜାଲ୍ ଦସ୍ତଖତ କରି ଏକ ନକଲି ରିପୋର୍ଟ ପ୍ରସ୍ତୁତ କରିଥିଲେ। ଏହାକୁ ନେଇ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଏଫଆଇଆର୍ ଦାୟର କରିଥିଲେ।
ଗିରଫଦାରୀରୁ ବର୍ତ୍ତିବା ପାଇଁ ସୁଜିତ ରାଉଳ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସେ ମୂଳ ଜେଲ୍ ମିନିଟ୍ ବୁକ୍ ଏବଂ ଅସଲି କାଗଜପତ୍ର ପୋଲିସକୁ ହସ୍ତାନ୍ତର କରିନଥିଲେ। ଫଳରେ ଗତ ଅଗଷ୍ଟ ୨୯ ରେ ଓଡ଼ିଶା ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରିବା ସହ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ହଟାଇ ଦେଇଥିଲେ। ହାଇକୋର୍ଟରୁ ନିରାଶ ହେବା ପରେ ସେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ସୁପ୍ରିମକୋର୍ଟରୁ କୌଣସି ଆଇନଗତ ଆଶ୍ୱସ୍ତି ମିଳିବା ପୂର୍ବରୁ ହିଁ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।


