ବାରିପଦା: ଶିମିଳିପାଳ ପାଦଦେଶରେ ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଳପଳା ନଈରେ ହଠାତ୍ ବନ୍ୟାଜଳ ବଢ଼ିବା ସହ ପାହାଡ଼ ଉପରୁ ନାଲି କାଦୁଅ ମିଶା ପାଣି ତଳକୁ ଆସିଛି। ଫଳରେ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି।
ପାଳପଳା ନଈରେ ବନ୍ୟାଜଳ ବଢ଼ିବା ପରେ ବାଲିଡିହ ପୋଲ ପାଣିରେ ବୁଡ଼ିଯାଇଛି। ଏହା ଯୋଗୁଁ ଭୁଆଶୁଣି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୋଲ ଉପରେ ପାଣି ଚାଲୁଥିବାରୁ ଯାତାୟାତ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ବନ୍ୟାଜଳ ବୃଦ୍ଧି ପାଉଛି। ଲଗାଣ ବର୍ଷା ଯୋଗୁଁ ନଦୀର ଜଳସ୍ତର ଉପରମୁହାଁ ହୋଇଥିବା ବେଳେ ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି।
ପରିସ୍ଥିତି ଆହୁରି ଗମ୍ଭୀର ହୋଇଛି ନାଲୁଆ ନଈ ଅଞ୍ଚଳରେ। ନାଲୁଆ ନଈ ପୋଲ ଉପରେ ପ୍ରାୟ ୪ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ଏଥିପାଇଁ ଏହି ରାସ୍ତାରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ବନ୍ୟା ପାଣି ଉଦଳା-ବାରିପଦା ରାଜ୍ୟ ରାଜପଥ-୧୯ରେ ମଧ୍ୟ ପ୍ରବେଶ କରିଛି। ରାଜପଥରେ ପାଣି ଜମିବା ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ ବାରିପଦା ସହ ଅନ୍ୟ ଅଞ୍ଚଳର ଯୋଗାଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବନ୍ୟା ପରିସ୍ଥିତିର ସବୁଠାରୁ ବଡ଼ ପ୍ରଭାବ ପଡ଼ିଛି ବାରିପଦା-ଭୁବନେଶ୍ୱର ଯୋଗାଯୋଗ ଉପରେ। ରାସ୍ତାରେ ବନ୍ୟାପାଣି ଜମିବା ଏବଂ ବିଭିନ୍ନ ପୋଲ ଉପରେ ପାଣି ପ୍ରବାହିତ ହେବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଶିମିଳିପାଳ ପାଦଦେଶରେ ହଠାତ୍ ବନ୍ୟାଜଳ ଆସିବା ଏବଂ ନାଲି କାଦୁଅ ମିଶା ପାଣି ପ୍ରବାହିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ନଦୀ ଓ ନଈଗୁଡ଼ିକର ଜଳସ୍ତର ବଢ଼ୁଥିବାରୁ ପରିସ୍ଥିତି ଉପରେ ନଜର ରଖାଯାଉଛି।


