ବାଣପୁର: ଆଜି ଚିଲିକା ବିଧାୟକ ତଥା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ଚିଲିକା ଓ ବାଣପୁର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଚିଲିକା ବ୍ଲକର ଜରିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣିଦ୍ୱାର, ଜଗନ୍ନାଥପୁର, ଦଳବେହେରା ସାହି, ମାନସିଂହପୁର ପଞ୍ଚାୟତର ବରୁଣପଡ଼ା ଏବଂ ବାଣପୁର ବ୍ଲକର ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେଘାମ୍ବରୀ, ମାଟିଆପୋଖରୀ, ସାନହନ୍ତୁଆଡ଼ ଓ ନେହରୁ ସେବା ସଂଘ ଅଞ୍ଚଳକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଯାଇ ପ୍ରଭାବିତ ଅଞ୍ଚଳର ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଜଳ ନିଷ୍କାସନ, ଯାତାୟାତ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ସହ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ଓ ସମନ୍ୱିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା,ଚ଼ିଲିକା ବ୍ଲକ ବିଡିଓ ତଥା ବାଣପୁର ବ୍ଳକ ଭାରପ୍ରାପ୍ତ ବିଡ଼ିଓ ପୁନମ ମହାପାତ୍ର, ବାଣପୁର ତହସିଲଦାର,ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ,ସହାୟକ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ବିଭାଗର ସହାୟକ ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗର ସହାୟକ ନିର୍ବାହୀ ଯନ୍ତ୍ରୀ, ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ, ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବାଣପୁର ବ୍ଲକ ପରିସରରେ ବିଭାଗୀୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ନେଇଥିଲେ।


