ବଲାଙ୍ଗୀର: ଟ୍ରେନ୍ ମାଧ୍ୟମରେ ଦୂରଦୂରାନ୍ତକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛି ଟିଟିଲାଗଡ଼ ଜିଆର୍ପି ପୁଲିସ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସ୍ ଗାଡ଼ିରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ ହେବା ସହ ଏହି ବେଆଇନ କାରବାରରେ ସଂପୃକ୍ତ ୬ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ମହିଳାମାନଙ୍କ ନିକଟରୁ ମୋଟ ୩୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୂର୍ବରୁ ଗୁପ୍ତ ସୂଚନା ପାଇବା ପରେ ଟିଟିଲାଗଡ଼ ଜିଆର୍ପି ପୁଲିସ ସମତା ଏକ୍ସପ୍ରେସ୍ର ବିଭିନ୍ନ ବଗିରେ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରିଥିଲା। ଏହି ଯାଞ୍ଚ ସମୟରେ କିଛି ମହିଳା ସନ୍ଦେହଜନକ ଭାବେ ଯାତ୍ରା କରୁଥିବା ପୁଲିସର ନଜରକୁ ଆସିଥିଲେ। ପୁଲିସ ସେମାନଙ୍କୁ ଅଟକାଇ ପଚରାଉଚରା କରିବା ସହ ସେମାନଙ୍କ ପାଖରେ ଥିବା ବ୍ୟାଗଗୁଡ଼ିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବ୍ୟାଗ ଭିତରୁ ବିପୁଳ ଗଞ୍ଜେଇ ଠାବ ହୋଇଥିଲା। ଏହାପରେ ପୁଲିସ ଗଞ୍ଜେଇ ଜବତ କରିବା ସହ ସେହି ୬ ଜଣ ମହିଳାଙ୍କୁ ଗିରଫ କରିଥିଲା।
ଗିରଫ ମହିଳାମାନଙ୍କ ମଧ୍ୟରେ ସଇଁତଳାର କୁଆରଗାଁ, କଳାହାଣ୍ଡିର କର୍ଲାମୁଣ୍ଡା ଓ ବରଗଡ଼ର ବିଜେପୁର ଅଞ୍ଚଳର ମହିଳା ଥିବା ବେଳେ ଦକ୍ଷିଣ ଦିଲ୍ଲୀର ଦୁଇ ଜଣ ମହିଳା ମଧ୍ୟ ସାମିଲ ରହିଛନ୍ତି। ଏହି ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା, ସେ ନେଇ ଜିଆର୍ପି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।


