ନୂଆଦିଲ୍ଲୀ: ନାଇଜେରିଆର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଏକ ଦୁଃଖଦ ସେନା ବିମାନ ଦୁର୍ଘଟଣା ଘଟି ୩୨ ଜଣଙ୍କର ମୃତ୍ୟୁ ହୋଇଛି। ବେନିନ୍ ସିଟିରୁ ଆର୍ଥିକ ରାଜଧାନୀ ଲାଗୋସ୍ ଅଭିମୁଖେ ଗସ୍ତ କରୁଥିବା ନାଇଜେରିଆ ଆକାଶବାହିନୀର ‘ATR-42’ ବିମାନଟି ଓଣ୍ଡୋ ରାଜ୍ୟର ଇଗବୋକୋଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ ବିମାନ କର୍ମଚାରୀ (କ୍ରିୟୁ ମେମ୍ବର) ଥିଲେ, ଏବଂ ଦୁର୍ଘଟଣାରେ ସମସ୍ତଙ୍କର ପ୍ରାଣହାନି ଘଟିଛି।
ଏହି ସୂଚନା ନିଶ୍ଚିତ କରି ନାଇଜେରିଆ ରାଷ୍ଟ୍ରପତି ବୋଲା ଟିନୁବୁ ଗଭୀର ଶୋକ ପ୍ରକାଶ କରିବା ସହ ଦେଶବ୍ୟାପୀ ୩ ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି। ମୃତକଙ୍କ ସମ୍ମାନାର୍ଥେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେନା ଓ ସମଗ୍ର ଦେଶ ପାଇଁ ଏହା ଏକ ଗ୍ରହଣ କରିହେଉନଥିବା କ୍ଷତି ବୋଲି ରାଷ୍ଟ୍ରପତି କହିଛନ୍ତି।
ନୌସେନା ଘାଟି ନିକଟସ୍ଥ ଏକ ନଦୀ ନିକଟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ଏହାର ତୁରନ୍ତ ଓ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନାଇଜେରିଆ ଆକାଶବାହିନୀକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ଜଣାଇବା ପରେ ସେମାନଙ୍କ ପରିଚୟ ସାର୍ବଜନୀନ କରାଯିବ।


