ନୂଆଦିଲ୍ଲୀ: ଉତ୍ତର ଭାରତରୁ ପୂର୍ବୋତ୍ତର ପର୍ଯ୍ୟନ୍ତ କ୍ରମାଗତ ଭୂକମ୍ପ ଝଟକା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡ ଏବଂ ଦିଲ୍ଲୀ-ଏନସିଆରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଆଜି ଭୋର ସମୟରେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଦୁଇ ଦୁଇଟି ଭୂମିକମ୍ପ ଝଟ୍କା ରେକର୍ଡ କରାଯାଇଛି।
ମଙ୍ଗଳବାର ରାତିରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାକୁ କେନ୍ଦ୍ରବିନ୍ଦୁ କରି ରିକ୍ଟର ସ୍କେଲରେ ୪.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଏହାର ପ୍ରଭାବ ଚାମୋଲି ସମେତ ପୌଡ଼ି ଗଡ଼ୱାଲ, ଉଧମ ସିଂହ ନଗର, ହରିଦ୍ୱାର, ନୈନିତାଲ, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ, ନୋଏଡା ଓ ଗାଜିଆବାଦ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। କମ୍ପନ ଅନୁଭବ କରି ଅନେକ ସ୍ଥାନରେ ଲୋକମାନେ ଭୟଭୀତ ହୋଇ ରାତିରେ ଘରୁ ବାହାରକୁ ଚାଲିଆସିଥିଲେ।
ଏହାର କିଛି ସମୟ ପରେ ଜାତୀୟ ଭୂକମ୍ପ ଗବେଷଣା କେନ୍ଦ୍ରର ତଥ୍ୟାନୁସାରେ, ଅରୁଣାଚଳ ପ୍ରଦେଶରେ ଭୋର ସମୟରେ ଦୁଇଟି ଭୂମିକମ୍ପ ହୋଇଥିଲା। ପ୍ରଥମଟି ରାତି ୨:୨୨ ରେ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଏବଂ ଦ୍ୱିତୀୟଟି ସକାଳ ୬:୨୭ ରେ କୁରୁଙ୍ଗ କୁମେ ଜିଲ୍ଲାରେ ରେକର୍ଡ କରାଯାଇଥିଲା। ଏହି ଦୁଇଟିଯାକ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୦ ଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠରୁ ୫ କିଲୋମିଟର ଥିଲା। ତେବେ ସୌଭାଗ୍ୟବଶତଃ, ଏହି କ୍ରମାଗତ ଭୂକମ୍ପ ଯୋଗୁଁ କୌଣସି ସ୍ଥାନରେ ଜୀବନହାନି କିମ୍ବା ବଡ଼ ଧରଣର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି।


