ପାନାମା: ପାନାମାରେ ଏକ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଏହି ଭୂମିକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଛି। ଭୂମିକମ୍ପର ପ୍ରଭାବରେ ଅନେକ କୋଠା ଭୁଶୁଡ଼ି ପଡ଼ିବା ସହ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି ଏବଂ ରାସ୍ତାଘାଟରେ ଭଗ୍ନାବଶେଷ ଜମି ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି ହୋଇଥିବା ନେଇ ସୂଚନା ମିଳିନାହିଁ।
ଦେଶର ଦକ୍ଷିଣ ପାଶ୍ୱର୍କୁ ପ୍ରଶାନ୍ତ ମହାସାଗରୀୟ ପାର୍ଶ୍ୱରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିବାବେଳେ ଏହାର କେନ୍ଦ୍ରସ୍ଥଳ ପାନାମାର ପିଟାଲୋଜା ଆରିବାଠାରୁ ୧୨ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ରହିଥିଲା। ମୁଖ୍ୟ ଭୂମିକମ୍ପ ପରେ ଏପର୍ଯ୍ୟନ୍ତ ଏକାଧିକ ପରବର୍ତ୍ତୀ ଭୂକମ୍ପ ଅନୁଭୂତ ହୋଇଛି, ଯେଉଁଥିରେ ରିଓ ଗ୍ରାଣ୍ଡ୍ ନିକଟରେ ୬.୬ ଏବଂ ଏଲ୍ କାକାଓ ନିକଟରେ ୫.୮ ତୀବ୍ରତାର ଭୂକମ୍ପ ସାମିଲ ଅଛି।
ପାନାମା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକଳାପକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଜାତୀୟ ନାଗରିକ ସୁରକ୍ଷା ବାହିନୀ କ୍ଷୟକ୍ଷତିର ଆକଳନ ଜାରି ରଖିଥିବାବେଳେ ବର୍ତ୍ତମାନ ପାଇଁ କୌଣସି ଆନ୍ତର୍ଜାତୀୟ ସହାୟତା ଲୋଡ଼ାଯାଇ ନାହିଁ। ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଏହି ସମଗ୍ର ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।


