ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପୋଲିସ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ଏନେଇ ଆଜି ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରକ୍ରିୟାରେ ଉଚ୍ଚପଦସ୍ଥ ଆଇପିଏସ ଏବଂ ଓପିଏସ ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯିବା ସହ କେତେକ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ସମ୍ଭାଳିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟ ଜେଲ୍ ଏବଂ ସଂଶୋଧନ ସେବା ମହାନିରୀକ୍ଷକ ଭାବେ କାର୍ଯ୍ୟରତ ୧୯୯୩ ବ୍ୟାଚର ଆଇପିଏସ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ସ୍ୱରାଷ୍ଟ୍ର ବିଭାଗର ବିଶେଷ କର୍ତ୍ତବ୍ୟରତ ଅଧିକାରୀ ଭାବେ ବଦଳି କରାଯାଇଛି। ସେହିପରି ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ ଡକ୍ଟର ସନ୍ତୋଷ ବାଲା, ଯିଏ କି ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲାବୋରେଟାରୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି, ତାଙ୍କୁ ଜେଲ୍ ଏବଂ ସଂଶୋଧନ ସେବାର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ଅନୁମତି ଦିଆଯାଇଛି।
୧୯୯୮ ବ୍ୟାଚର ଆଇପିଏସ ଅଧିକାରୀ ଅମିତାଭ ଠାକୁର, ଯିଏ କଟକସ୍ଥିତ ପରିବହନ ଆୟୁକ୍ତ ସହ ଜେଲ୍ ପୋଲିସର ଅତିରିକ୍ତ ମହାନିରୀକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ, ତାଙ୍କୁ ଏବେ ପୂର୍ଣ୍ଣକାଳୀନ ପରିବହନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ୧୯୯୮ ବ୍ୟାଚର ଅନ୍ୟଜଣେ ଆଇପିଏସ ଅଧିକାରୀ ରାଜେଶ କୁମାର, ଯିଏ ସ୍ୱଶସ୍ତ୍ର ପୋଲିସର ଅତିରିକ୍ତ ମହାନିରୀକ୍ଷକ ଭାବେ କାର୍ଯ୍ୟରତ, ତାଙ୍କୁ ସ୍ୱରାଷ୍ଟ୍ର ବିଭାଗର ବିଶେଷ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୧୦ ବ୍ୟାଚର ଆଇପିଏସ ଅଧିକାରୀ ସାରା ଶର୍ମାଙ୍କୁ ରାଜ୍ୟ ଆରକ୍ଷୀ ଗୋଇନ୍ଦା ବିଭାଗ ବା ଦୁର୍ନୀତି ନିବାରଣ ବିଭାଗର ଉପ-ମହାନିରୀକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ୨୦୧୯ ବ୍ୟାଚର ଆଇପିଏସ ଅଧିକାରୀ ତଥା ଝାରସୁଗୁଡ଼ା ପୋଲିସ ଅଧୀକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କୁ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟର ସହକାରୀ ଆରକ୍ଷୀ ମହାନିରୀକ୍ଷକ ଭାବେ ବଦଳି କରାଯାଇଛି।
ସେହିପରି ୨୦୨୧ ବ୍ୟାଚର ଆଇପିଏସ ଅଧିକାରୀ ତଥା ନୂଆପଡ଼ା ପୋଲିସ ଅଧୀକ୍ଷକ ଅମୃତପାଲ ସିଂହଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟର ପୋଲିସ ଅଧୀକ୍ଷକ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ୨୦୨୨ ବ୍ୟାଚର ଆଇପିଏସ ଅଧିକାରୀ ତଥା ଖୋର୍ଦ୍ଧାର ଅତିରିକ୍ତ ପୋଲିସ ଅଧୀକ୍ଷକ ସୋନାଲି ସିଂହ ପରମାରଙ୍କୁ ଝାରସୁଗୁଡ଼ାର ନୂତନ ପୋଲିସ ଅଧୀକ୍ଷକ ଭାବେ ପଦୋନ୍ନତି ସହ ବଦଳି କରାଯାଇଛି। ଏତଦବ୍ୟତୀତ ରାଜ୍ୟ ପୋଲିସ ମୁଖ୍ୟାଳୟର ସହକାରୀ ଆରକ୍ଷୀ ମହାନିରୀକ୍ଷକ ଭାବେ କାର୍ଯ୍ୟରତ ଓପିଏସ ଅଧିକାରୀ ତପନ ନାରାୟଣ ରଥଙ୍କୁ ନୂଆପଡ଼ା ଜିଲ୍ଲାର ନୂତନ ପୋଲିସ ଅଧୀକ୍ଷକ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ନୂତନ ପଦବୀ ଓ ବଦଳି ନିର୍ଦ୍ଦେଶାବଳୀ ତୁରନ୍ତ ଲାଗୁ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।


