ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ, ଆଉ ତାହାର ପ୍ରଭାବ ପଡ଼ିଛି ଗର୍ଭସ୍ଥ ଶିଶୁ ଉପରେ! ଛଅ ମାସର ଗର୍ଭଧାରଣ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା। ଅନ୍ୟପଟେ ଗର୍ଭପାତକୁ ବିରୋଧ କରି କୋର୍ଟରେ ପହଞ୍ଚିଛନ୍ତି ତାଙ୍କ ସ୍ୱାମୀ। ମହିଳା ଛାଡ଼ପତ୍ର ଚାହୁଁଥିବା ବେଳେ ସ୍ୱାମୀ ଶିଶୁକୁ ଜନ୍ମ ପରେ ନିଜ ପାଖରେ ରଖି ଲାଳନପାଳନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ଏହି ଜଟିଳ ପାରିବାରିକ ଓ ଆଇନଗତ ବିବାଦ ସୁପ୍ରିମକୋର୍ଟରେ ନୂଆ ପ୍ରଶ୍ନ ଛିଡ଼ା କରିଛି। ଗର୍ଭସ୍ଥ ଶିଶୁକୁ ନେଇ କେବଳ ମା’ଙ୍କ ନିଷ୍ପତ୍ତି ନା ବାପାଙ୍କର ମଧ୍ୟ କିଛି ଅଧିକାର ରହିଛି? ଏହି ପ୍ରସଙ୍ଗରେ ଶୁଣାଣି ବେଳେ ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ସହ ମହିଳାଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କହିଛନ୍ତି।
ଘଟଣା ଅନୁସାରେ, ସ୍ୱାମୀଙ୍କ ସହ ବିବାଦ ଓ ଶ୍ୱଶୁର ଘର ଲୋକଙ୍କ ନିର୍ଯାତନା ଅଭିଯୋଗ ମଧ୍ୟରେ ମହିଳା ଜଣକ ଛଅ ମାସର ଗର୍ଭଧାରଣ ଜାରି ରଖିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ସେ ଗର୍ଭପାତ ସହ ଛାଡ଼ପତ୍ର ମଧ୍ୟ ଚାହୁଁଥିବା କୋର୍ଟଙ୍କୁ ଜଣାଇଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଏହାର ତୀବ୍ର ବିରୋଧ କରିଥିଲେ। ତାଙ୍କ ଯୁକ୍ତି ଥିଲା, ଗର୍ଭସ୍ଥ ଶିଶୁ ଉପରେ ତାଙ୍କର ମଧ୍ୟ ଅଧିକାର ରହିଛି। ସେ ଶିଶୁଟିକୁ ଜନ୍ମ ପରେ ନିଜ ପାଖରେ ରଖିବା ସହ ସମସ୍ତ ଦାୟିତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ ଗର୍ଭପାତ ପାଇଁ ଅନୁମତି ନଦେବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ।
ସୋମବାର ଏହି ମାମଲାର ଶୁଣାଣି କରିଥିଲେ ବିଚାରପତି ବି.ଭି. ନାଗାରଥନା ଓ ଆର୍. ମହାଦେବନଙ୍କ ଖଣ୍ଡପୀଠ। ଶୁଣାଣି ସମୟରେ ଖଣ୍ଡପୀଠ କହିଥିଲେ ଯେ, ଦୁଷ୍କର୍ମ କିମ୍ବା ଯୌନ ନିର୍ଯାତନା ଯୋଗୁଁ ଗର୍ଭଧାରଣ ହୋଇଥିଲେ କିମ୍ବା ଭ୍ରୁଣରେ ଗୁରୁତର ସମସ୍ୟା ଥିଲେ ଗର୍ଭପାତ ଅନୁମତିର ପ୍ରଶ୍ନ ଭିନ୍ନ ହୋଇପାରେ। କିନ୍ତୁ ବର୍ତ୍ତମାନର ମାମଲା ସେଭଳି ନୁହେଁ। ଏଠାରେ ଦାମ୍ପତ୍ୟ କଳହ ଓ ପାରିବାରିକ ବିବାଦକୁ ଗର୍ଭପାତର କାରଣ ଭାବେ ଦର୍ଶାଯାଇଛି। ଭ୍ରୁଣ ସୁସ୍ଥ ଥିବା ମଧ୍ୟ କୋର୍ଟଙ୍କ ନଜରକୁ ଆସିଛି।
ମହିଳାଙ୍କ ଆବେଦନ ଉପରେ ପ୍ରଶ୍ନ ଉଠାଇ ଖଣ୍ଡପୀଠ କହିଥିଲେ ଯେ, ସ୍ୱାମୀ କିମ୍ବା ଶ୍ୱଶୁର ଘର ଲୋକଙ୍କ ସହ ବିବାଦ ହେଲେ ଜଣେ ମହିଳା ଗର୍ଭପାତକୁ ଏକମାତ୍ର ବିକଳ୍ପ ଭାବେ ବାଛିବା ଉଚିତ କି? ଏହା ସମାଜକୁ କେଉଁ ଦିଗକୁ ନେବ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହେବା ସ୍ୱାଭାବିକ, କିନ୍ତୁ ଏହାର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିବା ଉଚିତ କି ନାହିଁ, ସେନେଇ ମଧ୍ୟ ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
ଗର୍ଭସ୍ଥ ଶିଶୁକୁ ପ୍ରେମର ପ୍ରତୀକ ବୋଲି ଉଲ୍ଲେଖ କରି ଖଣ୍ଡପୀଠ ମହିଳାଙ୍କୁ ଗର୍ଭପାତ ପାଇଁ ଜିଦ୍ ନକରିବାକୁ ବୁଝାଇଥିଲେ। ଏଥିସହ ବାପାଙ୍କ ଭାବନା ଓ ଶିଶୁକୁ ଲାଳନପାଳନ କରିବାର ଇଚ୍ଛାକୁ ମଧ୍ୟ ବିଚାରକୁ ନେଇଥିଲେ। ତେବେ ଏହି ମାମଲାରେ ଗର୍ଭପାତ ନିଷ୍ପତ୍ତି ଉପରେ ଆଇନଗତ ପ୍ରଶ୍ନ ରହିଥିବାରୁ ଶୁଣାଣି ଜାରି ରହିଛି।
ଅନ୍ୟପଟେ, ମାମଲାରେ ସ୍ୱାମୀଙ୍କ ପକ୍ଷରୁ ସ୍ତ୍ରୀଙ୍କ ଚରିତ୍ରକୁ ନେଇ ଅଭିଯୋଗ ଅଣାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ଖଣ୍ଡପୀଠ ସ୍ୱାମୀଙ୍କୁ ନିଜ ଅଭିଯୋଗ ପ୍ରତ୍ୟାହାର କରିବା ଏବଂ ଏନେଇ କୋର୍ଟରେ ଶପଥପତ୍ର ଦାଖଲ କରିବାକୁ କହିଛନ୍ତି। ବିବାଦର ସମାଧାନ ପାଇଁ ପ୍ରଥମ ପଦକ୍ଷେପ ନେବାକୁ ମଧ୍ୟ ସ୍ୱାମୀଙ୍କୁ ପରାମର୍ଶ ଦିଆଯାଇଛି।
ଏହି ମାମଲାରେ ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଉପରେ ରହିଛି। ମହିଳା ନିଜ ନିଷ୍ପତ୍ତିରେ ଅଟଳ ରହିବେ ନା ଦାମ୍ପତ୍ୟ ବିବାଦର ସମାଧାନ ପାଇଁ ନୂଆ ପଥ ବାହାରିବ, ତାହା ଆଗାମୀ ଶୁଣାଣିରୁ ସ୍ପଷ୍ଟ ହେବ। ବୁଧବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି।


