ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଇଁ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି।
ଏହି ବୈଠକରେ ଖୋର୍ଦ୍ଧା ପୋଲିସ, ଜାତୀୟ ରାଜପଥ ପ୍ରାଧିକରଣର ଭୁବନେଶ୍ୱର ଓ ବ୍ରହ୍ମପୁର କାର୍ଯ୍ୟାଳୟର ଅଧିକାରୀ, ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଭୁବନେଶ୍ୱର-୧ ଓ ୨ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।
ରାଜ୍ୟର ଅଧିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ଅନ୍ୟତମ ହୋଇଥିବାରୁ ଏହାକୁ ଗୁରୁତ୍ୱର ସହ ଆଲୋଚନା କରାଯାଇଥିଲା।
ବିଶେଷକରି ତିନୋଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା – ଟ୍ରାଫିକ ନିୟମର କଡ଼ାକଡ଼ି ଅନୁପାଳନ ଓ ଯାଞ୍ଚ, ସଡ଼କ ଭିତ୍ତିଭୂମିର ଉନ୍ନତି ଓ ତ୍ରୁଟି ସୁଧାର ଏବଂ ଦୁର୍ଘଟଣା ପରବର୍ତ୍ତୀ ତ୍ୱରିତ ଚିକିତ୍ସା ଓ ଜରୁରୀକାଳୀନ ସହାୟତା ବ୍ୟବସ୍ଥାକୁ ସୁଦୃଢ଼ କରିବା।


