ପୁରୀ: କାର୍ତ୍ତିକ କୃଷ୍ଣ ପକ୍ଷ ଦଶମୀ ତିଥି ଅବସରରେ ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ସମ୍ପନ୍ନ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଆରମ୍ଭ ହେବାକୁଥିବା ଏହି ସ୍ୱତନ୍ତ୍ର ନୀତି ସମୟରେ ଗର୍ଭଗୃହର ଜୟ-ବିଜୟ ଦ୍ୱାର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏକ ସ୍ୱତନ୍ତ୍ର ସୂଚନା ଅନୁଯାୟୀ, କାର୍ତ୍ତିକ କୃଷ୍ଣ ପକ୍ଷ ଦଶମୀ ତିଥିରେ ଏହି ସ୍ୱତନ୍ତ୍ର ଗୁପ୍ତ ନୀତି ସମ୍ପନ୍ନ ହେବ। ସମୟ ନିର୍ଘଣ୍ଟ ଏବଂ ଦର୍ଶନ କଟକଣା ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନରୁ ଏହି ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ସନ୍ଧ୍ୟା ୬:୦୦ ରୁ ରାତି ୧୦:୦୦ ପର୍ଯ୍ୟନ୍ତ (ପ୍ରାୟ ୪ ଘଣ୍ଟା) କଟକଣା ସମୟ ରହିବ। ଗୁପ୍ତ ନୀତିର ଗୋପନୀୟତା ରକ୍ଷା କରିବା ପାଇଁ ଗର୍ଭଗୃହର ଜୟ-ବିଜୟ ଦ୍ୱାର ବନ୍ଦ ରହିବ। ଅସୁବିଧା ଏଡ଼ାଇବା ପାଇଁ ଏହି ସଂଶୋଧିତ ସମୟସାରଣୀ ଅନୁଯାୟୀ ଦର୍ଶନ ଯୋଜନା କରିବାକୁ ମନ୍ଦିର ପ୍ରଶାସନ ଭକ୍ତମାନଙ୍କୁ ପରାମର୍ଶ ଦେଇଛି। ତେବେ ବନକଲାଗି ନୀତି ସମ୍ପନ୍ନ ହୋଇ ଠାକୁରମାନଙ୍କ ମହାସ୍ନାନ ଶେଷ ହେବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ପ୍ରକାଶ, “ବନକଲାଗି’ ହେଉଛି ମହାପ୍ରଭୁଙ୍କର ଏକ ପ୍ରାଚୀନ ତଥା ଅତ୍ୟନ୍ତ ଗୁପ୍ତ ନୀତି, ଯେଉଁଥିରେ ସମ୍ପୂର୍ଣ୍ଣ ପ୍ରାକୃତିକ ଓ ଦେଶୀୟ ଉପାଦାନ ବ୍ୟବହାର କରି ଚତୁର୍ଦ୍ଧାମୂର୍ତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ।


