ଭୁବନେଶ୍ୱର: ଦୀର୍ଘ ୩୨ ବର୍ଷର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଚାକିରିକୁ ନିୟମିତ କରିବା ପାଇଁ ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଲଢ଼ୁଥିବା ସରକାରୀ ଛାପାଖାନାର ୧୦୪ ଜଣ କର୍ମଚାରୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ସେମାନଙ୍କ ଚାକିରି ନିୟମିତ କରିବା ସମ୍ପର୍କରେ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ମୋହର ମାରିଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସରକାରୀ ଛାପାଖାନାର ନିର୍ଦ୍ଦେଶକ ଦାଖଲ କରିଥିବା ସ୍ୱତନ୍ତ୍ର ଅନୁମତି ଆବେଦନ (ଏସ୍ଏଲ୍ପି)କୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଫଳରେ ଦଶନ୍ଧି ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ ଥିବା କର୍ମଚାରୀଙ୍କ ପାଇଁ ଆର୍ଥିକ ସୁବିଧା ସହ ଚାକିରି ନିୟମିତ ହେବାର ରାସ୍ତା ସଫା ହୋଇଛି।
୧୯୯୪ରୁ ମିଳିବ ନିୟମିତ ଚାକିରିର ମାନ୍ୟତା
ଏହି ମାମଲାରେ ହାଇକୋର୍ଟ ଗତ ଏପ୍ରିଲ ମାସରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ୧୦୪ ଜଣ କର୍ମଚାରୀଙ୍କ ଚାକିରିକୁ ୧୯୯୪ ମସିହାରୁ ନିୟମିତ ଭାବେ ଗଣନା କରିବା ସହ ସେମାନଙ୍କୁ ସମସ୍ତ ଆର୍ଥିକ ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିଲା। ଏହା ସହ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲେ ସେମାନଙ୍କ ଉତ୍ତରାଧିକାରୀଙ୍କୁ ଚିହ୍ନଟ କରି ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା।
ତେବେ ଏହି ରାୟରେ ସନ୍ତୁଷ୍ଟ ନଥିବା ସରକାରୀ ଛାପାଖାନା କର୍ତ୍ତୃପକ୍ଷ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍ ପି.ଏସ୍. ନରସିମ୍ହା ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳବତ୍ତର ରହିଛି।
କାଜୁଆଲ ଲେବରରୁ ନିୟମିତ କର୍ମଚାରୀ, ୩୨ ବର୍ଷର ସଂଘର୍ଷ
ମାମଲାର ପୃଷ୍ଠଭୂମିକୁ ଦେଖିଲେ, ୧୯୯୨-୯୩ ମସିହାରେ ପ୍ରାୟ ୧୦୫ ଜଣଙ୍କୁ ସରକାରୀ ଛାପାଖାନାରେ କାଜୁଆଲ ଲେବର ଭାବେ ନିଯୁକ୍ତି ଦିଆଯାଇଥିଲା। ଦୁଇ ବର୍ଷ ପରେ, ଅର୍ଥାତ୍ ୧୯୯୪ ମସିହାରେ ବିଭାଗୀୟ ନିର୍ଦ୍ଦେଶକ ସେମାନଙ୍କ ଚାକିରି ନିୟମିତ କରିବା ପାଇଁ ପାଞ୍ଚଟି ପୃଥକ ଆଦେଶ ଜାରି କରିଥିଲେ।
ହେଲେ ଏହି ନିଷ୍ପତ୍ତି ବେଶି ଦିନ ତିଷ୍ଠି ରହିଲା ନାହିଁ। ୧୯୯୪ ଏପ୍ରିଲ ୭ ତାରିଖରେ ହଠାତ୍ ଏହି ନିୟମିତକରଣ ଆଦେଶକୁ ସ୍ଥଗିତ ରଖାଗଲା। ଫଳରେ କର୍ମଚାରୀମାନେ ନିଜ ନିଯୁକ୍ତିର ମାନ୍ୟତା ଓ ଆର୍ଥିକ ଅଧିକାର ପାଇଁ ଆଇନର ଆଶ୍ରୟ ନେଇଥିଲେ। ପ୍ରଥମେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (SAT)ରେ ନିରାଶ ହେବା ପରେ ସେମାନେ ହାଇକୋର୍ଟରେ ମାମଲା ଲଢ଼ିଥିଲେ। ଦୀର୍ଘ ବର୍ଷର ଅପେକ୍ଷା ପରେ ଗତ ଏପ୍ରିଲରେ ହାଇକୋର୍ଟ ସେମାନଙ୍କ ସପକ୍ଷରେ ରାୟ ଦେଇଥିଲେ।
୨୧ ମୃତ, ୫୭ ଅବସରପ୍ରାପ୍ତ; ଉତ୍ତରାଧିକାରୀଙ୍କୁ ମିଳିବ ବକେୟା
ଏହି ମାମଲାର ସବୁଠାରୁ ଭାବବିହ୍ୱଳ କରିବା ଭଳି ଦିଗ ହେଉଛି, ନ୍ୟାୟ ପାଇଁ ଲଢ଼ୁଥିବା ଅନେକ କର୍ମଚାରୀ ଆଜି ଆଉ ଜୀବିତ ନାହାନ୍ତି। ୧୦୪ ଜଣଙ୍କ ମଧ୍ୟରୁ ୨୧ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୫୭ ଜଣ ଅବସର ନେଇଛନ୍ତି। ମାତ୍ର ୨୬ ଜଣ ଏବେ ବି କାର୍ଯ୍ୟରତ ଅଛନ୍ତି।
ତେଣୁ ଏହି ରାୟ କେବଳ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୁହେଁ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିବାର ପାଇଁ ମଧ୍ୟ ଗୁରୁତ୍ୱ ବହନ କରୁଛି। ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ଖୋଜି ବାହାର କରିବା ସହ ତିନି ମାସ ମଧ୍ୟରେ ସମସ୍ତ ବକେୟା ଅର୍ଥ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ନିର୍ଦ୍ଦେଶ ଅବମାନନା ହେଲେ ଅଧିକାରୀଙ୍କ ଦରମାରୁ କଟିବ ଟଙ୍କା!
ହାଇକୋର୍ଟ ଏହି ମାମଲାରେ ସରକାରୀ କର୍ତ୍ତୃପକ୍ଷଙ୍କ ଆଚରଣକୁ ନେଇ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏକ କଲ୍ୟାଣକାରୀ ରାଷ୍ଟ୍ରରେ ସରକାରୀ ଅଧିକାରୀମାନେ ‘ଇଷ୍ଟ ଇଣ୍ଡିଆ କମ୍ପାନି’ ଭଳି ଆଚରଣ କରିପାରିବେ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଥିଲେ।
ଏହା ସହ ନିର୍ଦ୍ଦେଶ ପାଳନରେ ବିଳମ୍ବ ହେଲେ ସରକାରଙ୍କୁ ପ୍ରଥମ ମାସ ପାଇଁ ୧ ପ୍ରତିଶତ ଓ ଦ୍ୱିତୀୟ ମାସରୁ ୨ ପ୍ରତିଶତ ସୁଧ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏହି ସୁଧର ଅର୍ଥ ଦାୟୀ ଅଧିକାରୀଙ୍କ ଦରମାରୁ ଭରଣା କରାଯିବାର ବ୍ୟବସ୍ଥା ମଧ୍ୟ ରହିଥିଲା। ଏଥିସହ ପ୍ରତ୍ୟେକ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମଧ୍ୟ ହାଇକୋର୍ଟ ଆଦେଶ ଦେଇଥିଲେ।
ସୁପ୍ରିମକୋର୍ଟରେ ସରକାରୀ ଛାପାଖାନା ନିର୍ଦ୍ଦେଶକଙ୍କ ଆବେଦନ ଖାରଜ ହେବା ପରେ ଏହି ରାୟର କାର୍ଯ୍ୟକାରିତା ନେଇ ଆଉ ଆଇନଗତ ପ୍ରତିବନ୍ଧକ ରହିନାହିଁ। ଦୀର୍ଘ ବର୍ଷର ସଂଘର୍ଷ ପରେ ଶେଷରେ ୧୦୪ କର୍ମଚାରୀଙ୍କ ନ୍ୟାୟିକ ଲଢ଼େଇରେ ବଡ଼ ବିଜୟ ହୋଇଛି।


