କଟକ: ଆସନ୍ତା ନଭେମ୍ବର ୧୧ ତାରିଖରେ କଟକ ସହରରେ ଅନୁଷ୍ଠିତ ହେବାକୁ ଥିବା ମା’ କାଳୀଙ୍କ ମେଢ଼ ଭସାଣି ଉତ୍ସବକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେହିଦିନ ସକାଳ ୭ଟାରୁ ଭସାଣି କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ସହରର ବିଭିନ୍ନ ରାସ୍ତାରେ ଯାନବାହନ ଚଳାଚଳ ଉପରେ କଡ଼ା କଟକଣା ଜାରି କରାଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ୨୭ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି।
କମିଶନରେଟ୍ ପୁଲିସର ଘୋଷଣା ଅନୁଯାୟୀ, ଓଏମ୍ପି ଛକରୁ ମାଲଗୋଦାମ ଫ୍ଲାଏଓଭର ଦେଇ ଆସୁଥିବା ଗାଡ଼ିଗୁଡ଼ିକ ସିଡିଏ ମାର୍କେଟ୍ କମ୍ପ୍ଲେକ୍ସ, ବମ୍ବେ ହୋଟେଲ ଓ ପୋଷ୍ଟ ଅଫିସ୍ ଛକ ଦେଇ କଲେଜ ଛକ ଆଡ଼କୁ ଯାଇପାରିବେ ନାହିଁ। ସେମାନେ ବିକଳ୍ପ ରାସ୍ତା ଭାବେ ବମ୍ବେ ହୋଟେଲ ଓ ଆଇ ଲଭ୍ କଟକ ଦେଇ ଜୋବ୍ରା ଆନିକଟ ଛକ ଆଡ଼କୁ ଯାଇପାରିବେ। ସେହିପରି ମାଲଗୋଦାମ ଷ୍ଟେଟ୍ ବ୍ୟାଙ୍କ ପାର୍ଶ୍ୱରୁ ଆସୁଥିବା ଗାଡ଼ିଗୁଡ଼ିକ ପିଲଗ୍ରିମ୍ ରୋଡ୍ ଦେଇ କଲେଜ ଛକ ଯାଇପାରିବେ ନାହିଁ। ଏଥିପାଇଁ ମାଲଗୋଦାମ ଭିତର ରାସ୍ତା ଦେଇ ଓଏମ୍ପି ଛକ ଅଭିମୁଖେ ଯାତାୟାତ କରିବାକୁ କୁହାଯାଇଛି। ମୋଚିସାହି ଛକରୁ ରଣିହାଟ ହାଇସ୍କୁଲ ଦେଇ ଘଣ୍ଟାଘର ଆଡ଼କୁ ଯାନବାହନ ଚଳାଚଳ ନିଷିଦ୍ଧ କରାଯାଇଛି। ଏହି ଗାଡ଼ିଗୁଡ଼ିକ ଡ. ତେଜେଶ୍ୱର ରାଓ ଛକ ଓ ତାଳଦଣ୍ଡା କେନାଲ ରାସ୍ତା ଦେଇ ଜୋବ୍ରା ଆଡ଼କୁ ଯାଇପାରିବେ। ମେଢ଼ ରଣିହାଟ ଛକ ଅତିକ୍ରମ କରୁଥିବା ସମୟରେ ବଜ୍ରକବାଟୀ ଛକରୁ ରଣିହାଟ ଆଡ଼କୁ ଗାଡ଼ି ଛଡ଼ାଯିବ ନାହିଁ। ସେହିପରି ମଙ୍ଗଳାବାଗ ଛକରେ ମେଢ଼ ଯାତାୟାତ ସମୟରେ କଥାଗୋଲା ଛକରୁ ମଙ୍ଗଳାବାଗ ଆଡ଼କୁ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହି ଗାଡ଼ିଗୁଡ଼ିକ ମହାନଦୀ ରିଂ ରୋଡ୍ ବ୍ୟବହାର କରିପାରିବେ।ଏହାବ୍ୟତୀତ ଭିଜିଲାନ୍ସ ଗଡ଼ାରୁ ମଛୁଆବଜାର ପେଟ୍ରୋଲ ପମ୍ପ ଏବଂ ମଠମଠ ପାର୍ଶ୍ୱରୁ ଆସୁଥିବା ଗାଡ଼ିଗୁଡ଼ିକୁ ହାୱଡ଼ା ମୋଟର ଛକ ଆଡ଼କୁ ଯିବାକୁ ଦିଆଯିବ ନାହିଁ। ଗିର୍ନାର ହୋଟେଲ ଛକରୁ ମାଣିସାହୁ ଛକ ଓ ମସ୍ତାନ ଦରଘା ଛକ ଆଡ଼କୁ, ବେପାରୀସାହି ଦୁର୍ଗାଘର ଓ ସମାଜ ଅଫିସ୍ ଛକରୁ ବକ୍ସିବଜାର ଆଡ଼କୁ ଯାନବାହନ ଚଳାଚଳ ଉପରେ ମଧ୍ୟ ରୋକ୍ ଲଗାଯାଇଛି।
ମେରିଆବଜାରରୁ ବାରପଥର, ବ୍ରାସ୍ ବ୍ୟାଣ୍ଡ ଓ କର୍ ପ୍ୟାଲେସ୍ ଛକରୁ ତ୍ରିକୋଣିଆ ବଗିଚା, ହାତୀପୋଖରୀ ଓ ନେତାଜୀ ସଂଗ୍ରହାଳୟ ପାର୍ଶ୍ୱରୁ ଜେଲ୍ ରୋଡ୍ ଆଡ଼କୁ ଗାଡ଼ି ଚଳାଚଳ ନିଷିଦ୍ଧ ରହିବ। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ପାଢ଼ୀଆରୀ ପାଠାଗାର ଓ ଗୌରୀଶଙ୍କର ପାର୍କ ଆଡ଼କୁ ଗାଡ଼ି ଯାଇପାରିବ ନାହିଁ। ଧର୍ମଶାଳା ଛକରୁ ଗୌରୀଶଙ୍କର ପାର୍କ ଓ ଉତ୍କଳିକା ଛକ ଆଡ଼କୁ ମଧ୍ୟ କଟକଣା ରହିବ। ହାଇକୋର୍ଟ ଛକରୁ ବାଲୁବଜାର ଏବଂ ବାଲୁବଜାରରୁ ଚୌଧୁରୀ ବଜାର ଆଡ଼କୁ ଯାନବାହନ ଚଳାଚଳ ବନ୍ଦ ରହିବ। ଜୁବିଲି ଟାୱାର ଛକ ଓ ନନ୍ଦୀସାହି ଛକରୁ ପୂର୍ଣ୍ଣ ସାହୁ ଛକ ଆଡ଼କୁ ମଧ୍ୟ ଗାଡ଼ି ଚଳାଚଳ ନିଷିଦ୍ଧ କରାଯାଇଛି। ସେହିପରି ତଳ ତେଲେଙ୍ଗାବଜାର ପଞ୍ଚମୁଖୀ ଛକରୁ ନୃସିଂହନାଥ ମଠ ରାସ୍ତା ଦେଇ କାଠଯୋଡ଼ି ବନ୍ଧ ରାସ୍ତାକୁ ଯାତାୟାତ ବନ୍ଦ ରହିବ। ଖାନନଗର ଛକ ଓ ବ୍ଲୁ ଲାଗୁନ୍ ହୋଟେଲ ଛକରୁ କାଠଯୋଡ଼ି ରିଂ ରୋଡ୍ ଦେଇ ପୁରୀଘାଟ ଗଡ଼ା ଆଡ଼କୁ ଗାଡ଼ି ଯାଇପାରିବ ନାହିଁ। ଜୁଡିସିଆଲ୍ ଏକାଡେମୀ ଛକରୁ ପୁରୀଘାଟ ଏବଂ ଡିପିଓ ଗଡ଼ାରୁ ପୁରୀଘାଟ ଦେବୀ ଘାଟ ଆଡ଼କୁ ମଧ୍ୟ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ ହେବ। ଭସାଣି ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୨୭ଟି ପାର୍କିଂ ସ୍ଥାନ ଭସାଣି ଉତ୍ସବ ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଗାଡ଼ି ପାର୍କିଂ ପାଇଁ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ନିର୍ଦ୍ଧାରିତ ପାର୍କିଂ ବ୍ୟବସ୍ଥା କରାଯାଇଛି।
ଏଥିମଧ୍ୟରେ ବେଲଭ୍ୟୁ ଛକ ନିକଟ, ରେଭେନ୍ସା କଲେଜିଏଟ୍ ସ୍କୁଲ ପଡ଼ିଆ, ବିଡ଼ାନାସୀ ହାଇସ୍କୁଲ ପରିସର, ଖ୍ରୀଷ୍ଟିଆନ୍ ଗ୍ରାଉଣ୍ଡ, ଉପର ବାଲିଯାତ୍ରା ପଡ଼ିଆ, ବୋଷ ଇଞ୍ଜିନିୟରିଂ କଲେଜ ସମ୍ମୁଖ, କଥାଗୋଲା ଛକ, ଶ୍ରୀମା ହସ୍ପିଟାଲ ସମ୍ମୁଖ, ପୁରୁଣା ପୁରୀ ବସ୍ଷ୍ଟାଣ୍ଡ, ପୁରୁଣା ବାଦାମବାଡ଼ି ବସ୍ଷ୍ଟାଣ୍ଡ, ମଠମଠ ସମ୍ମୁଖ ଓ ସିଏନ୍ବିଟି ନିକଟସ୍ଥ ପାର୍କିଂ ସ୍ଥାନ ରହିଛି। ଏହାସହ କେଏମ୍ସି କଲ୍ୟାଣ ମଣ୍ଡପ, ସହିଦ ଭବନ, ଆଇନକ୍ସ, ରେଭେନ୍ସା ବାଳିକା ହାଇସ୍କୁଲ, ନେତାଜୀ ସଂଗ୍ରହାଳୟ, ଏମ୍. ଏକାଡେମୀ, କର୍ ପ୍ୟାଲେସ୍, ସିଡିଏ ମାର୍କେଟ୍ କମ୍ପ୍ଲେକ୍ସ ନିକଟ ପେଟ୍ରୋଲ ପମ୍ପ, ମଛୁଆବଜାର, ଘଣ୍ଟାଘର କେନାଲ ପାର୍ଶ୍ୱ, ଚାଉଳିଆଗଞ୍ଜ ଖେଳ ପଡ଼ିଆ, ତଳ ବାଲିଯାତ୍ରା ପଡ଼ିଆ, ସନ୍ସାଇନ୍ ଖେଳ ପଡ଼ିଆ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେମୋରିଆଲ୍ କଲେଜ ଏବଂ ବକ୍ସିବଜାର ସିଡିଏ ମାର୍କେଟ୍ କମ୍ପ୍ଲେକ୍ସ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ମଧ୍ୟ ପାର୍କିଂ ବ୍ୟବସ୍ଥା ରହିବ। ଏହି ସ୍ଥାନଗୁଡ଼ିକରେ ଦୁଇଚକିଆ ଓ ଚାରିଚକିଆ ଯାନ ପାଇଁ ପୃଥକ୍ ବ୍ୟବସ୍ଥା ରଖାଯାଇଛି।ତେବେ ପୁଲିସ, ଅଗ୍ନିଶମ, ଅବକାରୀ ଓ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବାର ଯାନବାହନ ଏହି କଟକଣାରୁ ବାଦ୍ ପଡ଼ିବେ। ଜନସାଧାରଣଙ୍କ ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ଉଦ୍ଦେଶ୍ୟରେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ-୨୦୦୩ର ଧାରା ୯୬ ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି ହୋଇଛି। ନିୟମ ଉଲ୍ଲଂଘନ କଲେ ତାହା ଦଣ୍ଡନୀୟ ଅପରାଧ ଭାବେ ବିବେଚିତ ହେବ। ତେଣୁ ଭସାଣି ଦିନ ଅନାବଶ୍ୟକ ଯାତାୟାତରୁ ନିବୃତ୍ତ ରହିବା ସହ ଯାତ୍ରା ପୂର୍ବରୁ ବିକଳ୍ପ ରାସ୍ତା ଓ ନିର୍ଦ୍ଧାରିତ ପାର୍କିଂ ସ୍ଥାନ ସମ୍ପର୍କରେ ଅବଗତ ହେବାକୁ କମିଶନରେଟ୍ ପୁଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି।


