ବାଲୁଗାଁ: ଚ଼ଲିକା ଉତ୍କଳର ଶୋଭାର ଭଣ୍ଡାର, କେତେ କବି ଭାବୁକଙ୍କୁ ନିଜର ସ୍ୱର୍ଗୀୟ ସୁଷମାରେ ସମ୍ମୋହିତ କରିଛି ନୀଳାମ୍ବୁ ଚିଲିକା। ଓଡ଼ିଆ ଭାଷା ସାହିତ୍ୟରେ ଚିଲିକାକୁ ଆଧାର କରି ଅଜସ୍ର କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ରଚିତ ହୋଇ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଛି। ଆମ ପ୍ରାଚୀନପରମ୍ପରା, ଆମ ଅଇତିହ୍ୟ ସାହିତ୍ୟ ସଂସ୍କୃତି ଅସ୍ମିତାର ପରିଚୟ ଚିଲିକା।
ଆଜି ସେହି ଚିଲିକା କୂଳରେ ଆୟୋଜିତ ଚିଲିକା ବୋଇତ ବନ୍ଦାଣ ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ବହୁ ସାରସ୍ଵତ ସାଧକ ସ୍ୱରରିଚିତ ଚିତାକର୍ଷକ କବିତା ଆବୃତ୍ତି କରି ଏହି ଉତ୍ସବକୁ ରସାଣିତ କରିଥିଲେ। ଚିଲିକା ସାହିତ୍ୟ ସମାଜର ସଭାପତି କବି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ କବି ଡ଼ଃ କୈଳାସ ମହାରଣା କବି ଶଶିଭୂଷଣ ବରାଳ ନାଟ୍ୟକାର ଭିକାରୀଚରଣ ପ୍ରଧାନ ଏହାକୁ ସଂଯୋଜନା କରିଥିଲା ବେଳେ ସଂପାଦକ ଲକ୍ଷ୍ମୀଧର ସୁବୁଦ୍ଧି ଏହାକୁ ସମୀକ୍ଷା କରିଥିଲେ।
ପ୍ରାରମ୍ଭରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଓଡ଼ିଆ ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ “ସମବେତ କଣ୍ଠରେ ଗାନ କରାଯିବା ପରେ ବରିଷ୍ଟ କବି ଲକ୍ଷ୍ମୀଧର ପ୍ରଧାନ, ରାକେଶ ସାହୁ, ସଂଧ୍ୟାଦେବୀ, ସସ୍ମିତା ପାଣିଗ୍ରାହୀ, ପ୍ରିୟଦର୍ଶିନୀ ମହାରଣା, ଦିଲ୍ଲୀପ କୁମାର ହୋତା, (ପନ୍ତା କୁଳିଆ କବି) ଦିଗମ୍ଭର ବିଶ୍ଵାଳ, ବିଚିତ୍ରାନନ୍ଦ ବେହେରା, ତ୍ରିବିକ୍ରମ ପଣ୍ଡା, ଶେଷ ଦେବ ମହାରଣା, ପ୍ରକାଶ ଚନ୍ଦ୍ର ପାଢ଼ୀ, ରବୀନ୍ଦ୍ର ନାଥ ପ୍ରଧାନ, ସୌମ୍ୟକାନ୍ତ ତ୍ରିପାଠୀ, ହିମାଂଶୁ ମହାପାତ୍ର, ଅଶୋକ ପ୍ରଧାନ, ରଙ୍କନାଥ ସେଠୀ, ରବୀନ୍ଦ୍ରନାଥ ମାନସିଂହ, ଶିଶିର କୁମାର ଦାସ ପ୍ରମୁଖ ବହୁ କବି କବୟିତ୍ରୀ ଯୋଗ ଦେଇ ଚିଲିକାକୁ ନେଇ ସ୍ୱରଚ଼ିତ ମନୋଜ୍ଞ କବିତା ଆବୃତ୍ତି କରିଥିଲେ।
ଶେଷରେ ସହ ସଂପାଦକ କବି ରମେଶ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।


