ଜିଏସଟି ଆଦାୟ କ୍ଷେତ୍ରରେ ଓଡିଶା ଆଗରେ, ଏଥର 8 ହଜାର 6 ଶହ କୋଟିରୁ ଅଧିକ ରାଜସ୍ବ ସଂଗ୍ରହ

Published: Dec 21, 2019, 7:41 pm IST

ସମୀକ୍ଷା ବ୍ୟୁରୋ

କଟକ- ଏଥର ଓଡିଶା ଜିଏସଟି ଆଦାୟ କ୍ଷେତ୍ରରେ ଆଗରେ ରହିଛି। ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାର ଏହି ପରିମାଣ ବେଶ ଭଲ ରହିଛି ବୋଲି ଜଣାପଡିଛି। ହିସାବ ଅନୁସାରେ ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ରାଜ୍ୟରୁ ଆଦାୟ ହୋଇଛି 8683.85 କୋଟି ଟଙ୍କା। ପୂର୍ବ ବର୍ଷ ଏହି ସମୟରେ ଆଦାୟ ପରିମାଣ ଥିଲା 6675.83 କୋଟି ଟଙ୍କା। ଓଡିଶାର ହାରାହାରି ଅଭିବୃଦ୍ଧି ହାର 30.08 ପ୍ରତିଶତ ରହିଛି, ଯାହା ଅନ୍ୟ ରାଜ୍ୟ ତଥା ଜାତୀୟ ହାରର 11.53 ପ୍ରତିଶତଠାରୁ ଅଧିକ ରହିଛି। କେବଳ ନଭେମ୍ବର ମାସରେ ଏହି ହାର ପୂର୍ବ ବର୍ଷ ତୁଳନାରେ 38 ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ରାଜ୍ୟର ଟିକସଦାତାଙ୍କ ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। 2018 ଅକ୍ଟୋବର ମାସରେ 65.31 ପ୍ରତିଶତ ଟିକସଦାତା ରିଟର୍ଣ୍ଣ ଦାଖଲ କରିଥିଲେ। ହେଲେ ଚଳିତ ବର୍ଷ ଅକ୍ଟୋବରରେ ଏହା 83.50 ପ୍ରତିଶତକୁ ବୃଦ୍ଧି ଘଟିଛି ବୋଲି ରାଜ୍ୟ ବାଣିଜ୍ୟକର ଓ ଦ୍ରବ୍ୟ ଓ ସେବାକର ଆୟୁକ୍ତ ପକ୍ଷରୁ କୁହାଯାଇଛି।

Related posts