ଏନ୍‌ଆରସିର ଛଦ୍ମ ରୂପ ହେଉଛି ଏନ୍‌ପିଆର୍‌, ବିରୋଧ ପାଇଁ ସବୁ ଦଳ ଏକାଠି ହେବା ଜରୁରୀ : ପି. ଚିଦାମ୍ବରମ୍‌

Published: Jan 18, 2020, 4:54 pm IST

କୋଲକାତା : ନାଗରିକତା ସଂଶୋଧନ ଆଇନ (ସିଏଏ), ଏନପିଆର ଓ ଏନ୍‌ଆରସିକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଆକ୍ରମଣ ଜାରି ରଖିଛି । ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍‌ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । ଚିଦମ୍ବରମ୍‌ କହିଛନ୍ତି ଯେ, ଏନ୍‌ଆରସିର ଛଦ୍ମ ରୂପ ହେଉଛି ଏନ୍‌ପିଆର । ଆଜି କୋଲକାତାଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସବୁ ବିରୋଧୀ ଦଳ ଏହାକୁ ନେଇ ଏକାସାଙ୍ଗରେ ବିରୋଧ କରିବାକୁ ଅପିଲ୍‌ କରିଛନ୍ତି ।

ଚିଦାମ୍ବରମ୍‌ କହିଛନ୍ତି ଯେ, ଆସାମରେ ଏନ୍‌ଆରସିର ଅସଫଳତା ପରେ ନରେନ୍ଦ୍ର ମୋଦି ସରକାର ତୁରନ୍ତ ଏହାର ଗିୟର ବଦଳାଇଛନ୍ତି । ଏବେ ଏନ୍‌ପିଆର ବିଷୟରେ କହୁଛନ୍ତି । ସିଏଏ, ଏନପିଆର ଓ ଏନ୍‌ଆରସିର ବିରୋଧ କରୁଥିବା ସମସ୍ତ ଦଳ ଏକାସହିତ ରହିବା ଉଚିତ୍‌ ।

ନିକଟରେ ଦିଲ୍ଲୀଠାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିରୋଧୀ ଦଳଙ୍କ ବୈଠକ ଡାକିଥିଲେ । କିନ୍ତୁ ଏହି ବୈଠକରେ ମମତା ବାନାର୍ଜୀଙ୍କ ଦଳ ଟିଏମ୍‌ସି, ସମାଜବାଦୀ ଦଳ, ବିଏସ୍‌ପି ଓ ଡିଏମ୍‌କେ ଦୂରେଇ ରହିଥିଲେ । ଏହି ସମସ୍ତ ଦଳ ମଧ୍ୟ ଏନ୍‌ପିଆର, ଏନ୍‌ଆରସି ଓ ସିଏଏର ବିରୋଧ କରୁଛନ୍ତି ।

ଚିଦାମ୍ବରମ୍‌ କୋଲକତା ପାର୍କ ସର୍କସଠାରେ ସିଏଏ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ସାମିଲ୍‌ ହୋଇଥିଲେ ।ସେଠାରେ  ଉପସ୍ଥତି ଥିବା ସମସ୍ତ ଲୋକଙ୍କୁ ତାଙ୍କ ଦଳ ସେମାନଙ୍କ ସହ ରହିଛନ୍ତି ବୋଲି ଆଶ୍ବସ୍ତ କରିଥିଲେ । ସେହିପରି ବିଶ୍ବବିଦ୍ୟାଳୟରରେ ହେଉଥିବା ଛାତ୍ର ପ୍ରଦର୍ଶନକୁ ନେଇ କହିଛନ୍ତି ଯେ,  ଛାତ୍ରମାନଙ୍କର ସାମ୍ବିଧାନିକ ପ୍ରଭୁତ ଓ ସାମ୍ବିଧାନିକ ନୈତିକତା ପାଇଁ ଲଢେଇ ଜାରି ରଖିଛନ୍ତି । (ଏଜେନ୍ସି)

Related posts