ସିଏଏକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା : ଉଦ୍ଧବ ଓ ପାଓ୍ବାରଙ୍କ ମଧ୍ୟରେ ମତଭେଦ

Published: Feb 18, 2020, 4:29 pm IST

ମୁମ୍ବାଇ : ସିଏଏକୁ ନେଇ  ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଅସ୍ଥିରତା ଦେଖାଦେଇଛି । ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି ଓ କଂଗ୍ରେସର ମହାମେଣ୍ଟ  ‘ମହାବିକାଶ ଅଘାଡି’ ସରକାରରେ ପୁଣିଥରେ ଏହାକୁ ନେଇ  ମତଭେଦ  ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ପୁଣିଥରେ ସିଏଏ ଓ ଏନ୍‌ପିଆର୍‌ ଲାଗୁ ହେଲେ କିଛି ପ୍ରଭାବ ପଡିବ ନାହିଁ ବୋଲି କହିବା ସହିତ ଏନ୍‌ଆରସି ଲାଗୁ ହେବ ନାହିଁ ବୋଲି କହିଛନ୍ତି । ଉଦ୍ଧବଙ୍କ ବୟାନକୁ ନେଇ ନାରାଜ ରହିଛନ୍ତି ଏନ୍‌ସିପି ପ୍ରମୁଖ ଶରଦ ପାଓ୍ବାର । ଶରଦ ପାଓ୍ବାର କହିଛନ୍ତି ଯେ, ଏହା କେବଳ ତାଙ୍କର ରାୟ ଅଟେ। ଏନ୍‌ସିପି ପାଇଁ ଏହା ଚିନ୍ତାର ବିଷୟ ।

ସୂଚନାଯୋଗ୍ୟ ଯେ, ଉଦ୍ଧବ ସିଏଏ ଓ ଏନ୍‌ଆରସିକୁ ଦୁଇ ଅଲଗା ପ୍ରକ୍ରିୟା ଓ ଏନ୍‌ପିଆର ମଧ୍ୟ ଅଲଗା ପ୍ରକ୍ରିୟା ବୋଲି କହିବା ସହିତ  ସିଏଏ ଲାଗୁ ହେଲେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ । ରାଜ୍ୟରେ ଏନ୍‌ଆରସି ଲାଗୁ ହେବ ନାହିଁ । ଯଦି ଏନ୍‌ଆରସି ଲାଗୁ ହେବ, କେବଳ ହିନ୍ଦୁ ଓ ମୁସଲମାନ ନୁହଁନ୍ତି ବରଂ ଆଦିବାସୀମାନେ ମଧ୍ୟ ପ୍ରଭାବିତ ହେବେ ବୋଲି ଉଦ୍ଧବ କହିଛନ୍ତି । କେନ୍ଦ୍ର ଏବେ ଏନ୍‌ଆରସି ଉପରେ ଚର୍ଚ୍ଚା କରିନାହିଁ । ଏନପିଆର୍‌ ଜନଗଣନା ଅଟେ । ଏଥିରେ କେହି ପ୍ରଭାବିତ ହେବେ ନାହିଁ ବୋଲି ଉଦ୍ଧବ କହିଛନ୍ତି । ସେହିପରି ଉଦ୍ଧବଙ୍କ ଏହି ବୟାନକୁ ନେଇ ନାରାଜ ହୋଇଛନ୍ତି ଏନ୍‌ସିପି ପ୍ରମୁଖ ଶରଦ ପାଓ୍ବାର । ସେ କହିଛନ୍ତି ଯେ, ସିଏଏକୁ ନେଇ ଏହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ମତ । କିନ୍ତୁ ଏନ୍‌ସିପି ଏହାକୁ ସମର୍ଥନ କରିନାହିଁ, ଆମେ ଏହା ବିରୋଧରେ ଭୋଟ୍‌ ଦେଇଛୁ । ସିଏଏର ସମର୍ଥନ ଓ ପ୍ରତିବାଦରେ ମୁମ୍ବାଇଠାରେ ରାଲି ହୋଇସାରିଛି ।

Related posts