ସୀତାରାମ ଅଗ୍ରଓ୍ବାଲ
ବାଣପୁର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ସତର୍କତା ଓ କଡା ସଚେତନତା କରାଯାଉଛି। ସହର ହେଉ କି ଗ୍ରାମ ସବୁଠୁ ଦେଖିବାକୁ ମିଳିଛି କରେନା ନେଇ ସତର୍କ ଓ ସଚେତନତା। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାର ବାଣପୁର-ବାଲୁଗାଁ ଅଞ୍ଚଳରେ ସର୍ବାଧିକ ବିଦେଶୀ ଫେରନ୍ତା ରହିଛନ୍ତି । ବାଣପୁରର ଏନେଇ କରୋନା ସତର୍କତାକୁ ବେଶ୍ କଡାକଡି କରାଯାଇଛି। ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ ବାଣପୁର ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ସକାଳ ସମୟରେ ଏହି ନିୟମକୁ ଭାଙ୍ଗି ଜନ ଗହଳିର ଖବର ମିଳିଥିଲା। ଏହା ସମ୍ପର୍କରେ ଅଭିଯୋଗ କରାଯିବା ପରେ ପୋଲିସ୍ ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳକୁ ଆସି ନିଜେ ଏହି ଘଟଣାର ତଦାରଖ କରିବା ସହିତ ସଚେତନତା କରାଇବା ସହ ଘରେ ରହିବାକୁ ପରାମର୍ଶ ଦେଇଥିଲେ । ଏହାପରେ ସାଧାରଣରେ ଲକ୍ ଡାଉନ୍କୁ ମାନି ଘରେ ରହିଥିବାର ଦେଖାଯାଇଛି । ଲକ୍ଡାଉନ୍କୁ ନେଇ ଏନ୍ଏସି ଓ ପୋଲିସ୍ ତରଫରୁ ଡାକବାଜି ଯନ୍ତ୍ର ଦ୍ବାରା ସଚେତନତା ମଧ୍ୟ କରାଯାଉଛି ।
ବାଣପୁର ଏନ.ଏ.ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ୍ ଆଜି ବ୍ୟକ୍ତିଗତ ଭାବେ ପ୍ରତ୍ୟେକ ୱାର୍ଡ ବୁଲି ବୁଲି ଲକ ଡ଼ାଉନ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି । ଯାନବାହାନ ଏପରିକି ସାଇକେଲ ଚାଳକମାନଙ୍କୁ ମଧ୍ୟ ଘରୁ ନ ବାହାରିବାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି । ବାହାର ରାଜ୍ୟରୁ ଆସିଥିବା ପାଞ୍ଚଜଣ ଯୁବକଙ୍କୁ ଅଧିକାରୀ ଜଣକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଇଥିଲେ । ଏନଏସି ଅଧିକାରୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି । ତେବେ ଆଜିର ସମୟରେ ସମସ୍ତେ ମିଳିମିଶି ସରକାର ତଥା ପ୍ରଶାସନର ନିର୍ଦ୍ଦେଶ ପାଳନ କଲେ ହିଁ ଆମେ କରୋନାକୁ ହରାଇପାରିବା ।