ଚିନ୍ତା ବଢାଇଲା ଦିଲ୍ଲୀ ନିଜାମୁଦ୍ଦିନ୍‌  ସଂକ୍ରମଣ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 1300 ଟପିଲା

Published: Mar 31, 2020, 12:41 pm IST

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାବେଳେ ଏବେ ଚିନ୍ତା ବଢାଇଛି ଦକ୍ଷିଣ ଦିଲ୍ଲୀ ନିଜାମୁଦ୍ଦିନ ଅଞ୍ଚଳର ସଂକ୍ରମଣ ଘଟଣା। ଲକ୍‌ ଡାଉନ୍‌ ଘୋଷଣା ପୂର୍ବରୁ ନିଜାମୁଦ୍ଦିନରେ ଧାର୍ମିକ ଉତ୍ସବ ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ପ୍ରାୟ 15ଶହ ଲୋକ ସାମିଲ୍‌ ହୋଇଥିଲେ। ଏହି  ଉତ୍ସବରେ ସାଉଦିଆରବ, ଇଣ୍ଡୋନେସିଆ, ମାଲେସିଆର କିଛି ଧର୍ମଯାଜକ ଆସିଥିଲେ। ସେହିପରି ଭାରତର ଅନ୍ୟାନ୍ୟ ଭାଗରୁ ମଧ୍ୟ ବହୁ ଲୋକେ ଏଥିରେ ସାମିଲ୍‌ ହୋଇଥିଲେ। ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନାରୁ ବହୁ ଲୋକେ ଏଥିରେ ସାମିଲ୍‌ ହୋଇଥିଲେ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 24 ଜଣ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ୍‌ ରହିଥିଲେ। ସେହିପରି ତେଲେଙ୍ଗାନାର ମୃତ୍ୟୁବରଣ କରିଥିବା 6 ଜଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା 334 ଜଣଙ୍କୁ ଏବେ ହସ୍ପିଟାଲକୁ ପଠାଯାଇଛି। ସେହିପରି 700 ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି । ସେହିପରି ଏହାର ଆଖପାଖ ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି।

ନିଜାମୁଦ୍ଦିନ ସ୍ଥିତ ତବଲିଗ୍‌ ଜମାତ୍‌ର ମରକଜରେ ଯୋଗ ଦେଇଥିବା ଦିଲ୍ଲୀର 64 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ଏଠାରେ ଉପସ୍ଥିତ ଥିବା ଅନ୍ୟ 33 ଜଣ ଲୋକଙ୍କ ମଧ୍ୟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲା। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ସେହି ସେଣ୍ଟରକୁ ପୂରା ଖାଲି କରିବା ସହିତ ଏହି ସେଣ୍ଟର ସହିତ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ନିଜାମୁଦ୍ଦିନ୍‌ସ୍ଥିତ ଜମାତରେ 15ଟି ଦେଶର ଲୋକମାନେ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1300 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 32 ଡେଇଁସାରିଛି। ସେହିପରି 140 ଜଣ ସୁସ୍ଥ ହୋଇଛନ୍ତି । ଦିଲ୍ଲୀରେ ଆକାନ୍ତଙ୍କ ସଂଖ୍ୟା 97ରେ ପହଞ୍ଚିଛି।  (ଏଜେନ୍ସି)

Related posts