ପଶ୍ଚିମବଙ୍ଗରେ ଆଉ ଜଣକଙ୍କର ମୁଣ୍ଡ ନେଲା କରୋନା, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 26ରେ ପହଞ୍ଚିଲା

Published: Mar 31, 2020, 3:38 pm IST

କୋଲକାତା : ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ ଯୋଗୁଁ ପୁଣି ଆଉଜଣକର ମୃତ୍ୟୁ ହୋଇଛି। ହାଓ୍ବଡା ଜିଲ୍ଲାର ହସ୍ପିଟାଲ୍‌ରେ ଏହି ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 3କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ନୂଆ ଚାରୋଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 26କୁ ବୃଦ୍ଧି ପାଇଛି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 1400 ଟପିଥିବାବେଳେ ମୃତ୍ୟୁ ସଂଖ୍ୟା 32କୁ ଟପିଛି ।

ଦିଲ୍ଲୀର ନିଜାମୁଦ୍ଦିନ୍‌ ସଂକ୍ରମଣକୁ ନେଇ ଏବେ ଦେଶରେ ଚିନ୍ତା ବଢିଯାଇଛି । ଦିଲ୍ଲୀର ନିଜାମୁଦ୍ଦୀନରେ ଆୟୋଜିତ ତବଲିଗୀ ଜମାତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିବା 10 ଜଣ ଲୋକଙ୍କ କରୋନା ଭାଇରସ କାରଣରୁ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ଅଧଂକାଶ ତେଲେଙ୍ଗାନାରେ ହିଁ ମୃତ୍ୟୁ ହୋଇଛି । ମାର୍ଚ୍ଚ 13ରୁ 15 ପର୍ଯ୍ୟନ୍ତ ଏହି ଧାର୍ମିକ ଉତ୍ସବରେ ପ୍ରାୟ 15ଶହ ଲୋକ ମହଜୁଦ ରହିଥିଲେ । ଏହି ଉତ୍ସବରେ ସାଉଦି ଆରବ, ଇଣ୍ଡୋନେସିଆ, ମାଲେସିଆରୁ ପ୍ରାୟ 250ରୁ ଉର୍ଦ୍ଧ୍ବ ଜଣ ଲୋକେ ରହିଥିଲେ। ଏହି ଧାର୍ମିକ ଉତ୍ସବରେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ତେଲେଙ୍ଗାନରୁ ବହୁ ଲୋକ ସାମିଲ୍‌ ହୋଇଥିଲେ ।

ସେହିପରି ଦିଲ୍ଲୀର ନିଜାମୁଦ୍ଦିନ୍‌ ଧାର୍ମିକ ସଭାରେ କେତେ ଜଣ ଓଡ଼ିଆ ରହିଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କେହି କେହି 10 ଜଣ ଓଡ଼ିଆ ପ୍ରତିନିଧି ଯୋଗ ଦେଇଥିବାର କହୁଥିବାବେଳେ କେହି କେହି 15 ଜଣ ଯୋଗଦେଇଥିଲେ ବୋଲି କହୁଛନ୍ତି । ତେବେ ପ୍ରକୃତରେ ଓଡ଼ିଶାରୁ କେତେଜଣ ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗଦେଇଥିଲେ, ସେନେଇ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଉତ୍ତର ରଖାଯାଇନାହିଁ ।

Related posts