ଦେଶରେ ବଢୁଛି କରୋନା ମାମଲା, ମୃତକଙ୍କ ସଂଖ୍ୟା 50 ଛୁଇଁଲା

Published: Apr 2, 2020, 3:08 pm IST

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ସହିତ ମୃତକଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଦେଶରେ କୋଭିଡ-19ରେ ମୃତକଙ୍କ ସଂଖ୍ୟା 50ରେ ପହଞ୍ଚିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା 2100ରେ ପହଞ୍ଚିଛି । ତେବେ 171 ଜଣ ଏହି ମହାମାରୀରୁ ସୁସ୍ଥ ହୋଇ ପାରିଛନ୍ତି ।

ଦେଶରେ ସବୁଠୁ ଅଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଆସିଛି । ଏଠାରେ 338 ଜଣ ଆକ୍ରାନ୍ତ ହୋଇଥିବାବେଳେ 13 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 42 ଜଣ ଠିକ୍‌ ହୋଇଛନ୍ତି । ଦେଶରେ ଅନ୍ୟ 29ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ କରୋନା ପ୍ରଭାବ ଦେଖିବାକୁ ମିଳିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ କେରଳ ଦ୍ବିତୀୟ ସ୍ଥାନରେ ରହିଛି । କେରଳରେ 265ଟି ମାମଲା ରହିଥିବାବେଳେ ଏଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ 25 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦେଶର ଅନ୍ୟାନ୍ୟ ଅଞ୍ଚଳ ଯେପରିକି ଦିଲ୍ଲୀ, ତାମିଲନାଡୁ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

କରୋନାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି। ଏହା ଏପ୍ରିଲ୍‌ 14 ତାରିଖ ଯାଏଁ ଜାରି ରହିବ । ରାଜ୍ୟ ସରକାରମାନେ ମଧ୍ୟ ଏହି ମହମାରୀ ସହ ଦୃଢତାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ସହ ମିଶି କରି କାମ କରୁଛନ୍ତି । (ଏଜେନ୍ସି)

Related posts