କରୋନା ସନ୍ଦେହରେ ଆତ୍ମହତ୍ୟା କଲେ ବୃଦ୍ଧା

Published: Apr 7, 2020, 10:44 am IST
dead body found in rayagada

ପଞ୍ଜାବ : କରୋନା ଯୋଗୁଁ ବିଶ୍ବରେ 74ହଜାରର ଉର୍ଦ୍ଧ୍ବ ମୃତ୍ୟୁବରଣ କରିଥିବାବେଳେ ଏବେ 13 ଲକ୍ଷ ଲୋକେ ସଂକ୍ରମିତ ହୋଇଛନ୍ତି । ଏହା ମଧ୍ୟରେ କରୋନା ସନ୍ଦେହରେ ବିଭିନ୍ନ ଜାଗାରେ ଆତ୍ମହତ୍ୟା ପରି ଘଟଣା ମଧ୍ୟ ସାମ୍ନାକୁ ଆସିଛି । ପଞ୍ଜାବର କପୁରଥଲାରୁ ଏପରି ଏକ ମାମଲା ଦେଖିବାକୁ ମିଳିଛି । ଏଠାରେ ଜଣେ 65 ବର୍ଷୀୟା ମହିଳା କରୋନା ସନ୍ଦେହରେ ଆତ୍ମହତ୍ୟା କରିଛନ୍ତି ।

ମୃତକ ଜଣକ ହେଉଛନ୍ତି ଖୁର୍ମପୁର ଗ୍ରାମର ସନ୍ତୋଷ କୌର । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଶବର ପୋଷ୍ଟମର୍ଟମ୍‌ ପାଇଁ ପଠାଇଥିଲେ । ସନ୍ତୋଷ କୌର୍‌ଙ୍କ ଚାରି ଝିଅ ଥିବାବେଳେ ସେମାନେ ସମସ୍ତ ବିବାହିତ ହୋଇଥିବାବେଳେ ଗତ ବର୍ଷ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଥିଲା । ସନ୍ତୋଷ ଏକାକୀ ଘରେ ରହୁଥିବାବେଳେ ଗତ କିଛି ଦିନ ହେବ ତାଙ୍କ ଗଳା ଖରାପ ରହିଥିଲା । ଏଥିପାଇଁ ସେ ମେଡ଼ିସିନ୍‌ ମଧ୍ୟ ନେଉଥିଲେ ।

ଗଳା ଖରାପ ଯୋଗୁଁ ସନ୍ତୋଷ ନିଜକୁ କରୋନା ସଂକ୍ରମିତ ହୋଇଥିବାର ଅନୁମାନ କରି ପାଖ ପଡୋଶୀଙ୍କଠାରୁ ଦୂରତ୍ବ ବନାଇ ରଖିଥିଲେ । ମୃତକ ବୃଦ୍ଧାଙ୍କ ଝିଅଙ୍କ କହିବାନୁସାରେ ସେ ଗତକାଲି ରାତ୍ରି 10ଟା ସମୟରେ ଫୋନ୍‌ କରି କଥାବାର୍ତ୍ତା ହୋଇଥିଲେ, ତାହା ପରେ ସେ ଆଉ ଫୋନ୍‌ ଉଠାଇନଥିଲେ । ତାଙ୍କ ଝିଅ ପଡୋଶୀଙ୍କଠାରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିବାର ଖବର ଶୁଣିଥିଲେ । ସେ କିଛି ବିଷାକ୍ତ ପଦାର୍ଥ ଖାଇ ମୃତ୍ୟୁବରଣ କରିଛନ୍ତି ବୋଲି ଜଣାପଡିଛି । ତେବେ ସେ କରୋନାରେ ଆକ୍ରାନ୍ତ ହୋଇନଥିଲେ ବୋଲି ଡାକ୍ତର କହିଛନ୍ତି । ପୋଷ୍ଟମର୍ଟମ ପରେ ତାଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ, ପଞ୍ଜାବରେ ଏପର୍ଯ୍ୟନ୍ତ 80ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ଏହି ରୋଗ ଯୋଗୁଁ 7ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଠିକ୍‌ ହୋଇଛନ୍ତି । ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 4000 ଟପି ସାରିଛି । (ଏଜେନ୍ସି)

Related posts