ମୋଦିଙ୍କ ସମ୍ବୋଧନ ପୂର୍ବରୁ ଲକ୍‌ଡାଉନ୍‌- 2କୁ ନେଇ ଚାଲିଛି ଚର୍ଚ୍ଚା

Published: Apr 13, 2020, 8:12 pm IST

ନୂଆଦିଲ୍ଲୀ : କରୋନା ସହ ମୁକାବିଲା କରିବା ପାଇଁ ଦେଶରେ 21ଦିନିଆ ଲକ୍‌ ଡାଉନ୍‌ ଜାରି ହୋଇଛି । ଆସନ୍ତା କାଲି ଏହି 21 ଦିନିଆ ଲକ୍‌ ଡାଉନର ଅନ୍ତିମ ଦିବସ । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିବା 10 ଘଟିକାରେ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଲକ୍‌ଡାଉନ୍‌ର ଅବଧି ବୃଦ୍ଧି ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ନେଇ ସମ୍ଭାବନା ରହିଛି। ଏପ୍ରିଲ୍‌ 30 ପର୍ଯ୍ୟନ୍ତ ଅବଧି ବୃଦ୍ଧି କରିବା ନେଇ ଆକଳନ କରାଯାଇଛି ।

ଗତ 11 ତାରିଖରେ ନରେନ୍ଦ୍ର ମୋଦି ଦ୍ବିତୀୟ ଥର ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିଥିଲେ । ଏହି ବୈଠକରେ ପ୍ରାୟ ସମସ୍ତ ନେତା ଲକ୍‌ ଡାଉନ୍‌ ଅବଧି ବୃଦ୍ଧି ନେଇ ପ୍ରସ୍ତାବ ରଖିଥିଲେ । ତେବେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଏହା ସମ୍ପର୍କରେ ଜଣାପଡିବ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ଦେଶରେ ଲକ୍‌ଡାଉନ୍‌ ପାର୍ଟ 2 କୁ ନେଇ ଚର୍ଚ୍ଚା ହୋଇଛି । ତେବେ ଏହି ଲକ୍‌ ଡାଉନ୍‌ ପୂର୍ବ ଲକ୍ ଡାଉନ୍‌ଠାରୁ ଟିକେ ଭିନ୍ନ ରହିବ । ଏଥିରେ କିଛି କଟକଣାକୁ କୋହଳ କରାଯିବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ସେହିପରି ରାଜ୍ୟରେ ରବି ଫସଲ ଅମଳ ସମୟ ହୋଇଥିବାରୁ ଗ୍ରାମାଞ୍ଚଳରେ ରହୁଥିବା ଚାଷୀମାନଙ୍କୁ କିଛି ରିହାତି ମିଳିବ ବୋଲି ଅନୁମାନ କରାଯାଉଛି ।  ସେହିପରି ଦେଶରେ ଆବଶ୍ୟକତା ସାମଗ୍ରୀ ପାଇଁ  ଯାନବାହନ ଉପରୁ ମଧ୍ୟ କିଛି କଟକଣା ଉଠିପାରେ ବୋଲି ଜଣାପଡିଛି ।  ଅତ୍ୟାବଶ୍ୟକ ମାଲ୍‌ ପାଇଁ ସବୁ ମାଲବାହୀ ଟ୍ରକ୍‌କୁ ନିର୍ବିଘ୍ନରେ ଯା’ ଆସ କରିବାକୁ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ସେହିପରି ଏହି କ୍ଷେତ୍ରରେ ମଧ୍ୟ କିଛି କଟକଣାକୁ କୋହଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଏତଦ୍‌ବ୍ୟତୀତ ଦେଶରେ କରୋନା ସ୍ଥିତିକୁ ଦେଖି ଭାରତରେ ରହିଥିବା 300ଟି ଜିଲ୍ଲାରେ କରୋନା ଭାଇରସ୍‌ର ସ୍ଥିତିକୁ ଦେଖି କଟକଣାରେ କିଛି ମାତ୍ରାରେ କୋହଳ କିମ୍ବା ବୃଦ୍ଧି କରାଯାଇପାରେ । ଏପରି ସମୟରେ ଦେଶକୁ ଚାରୋଟି ଜୋନ୍‌ରେ ଭାଗ କରିବା ନେଇ ମଧ୍ୟ ସମ୍ଭାବନା ସୃଷ୍ଟି ହୋଇଛି । ରେଡ୍‌ ଜୋନ୍‌, ୟେଲୋ ଜୋନ୍‌, ଗ୍ରୀନ୍‌ ଜୋନ୍‌ ଓ ଅରେଞ୍ଜ ଜୋନ୍‌ରେ ମଧ୍ୟ ଭାଗ କରାଯାଇପାରେ ।

କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିବା ଅଞ୍ଚଳଗୁଡିକୁ ରେଡ୍‌ ଜୋନ୍‌ରେ ସେହିପରି ସଂକ୍ରମଣ ସୀମିତ ରହିଥିବା ଅଞ୍ଚଳଗୁଡିକୁ ଅରେଞ୍ଜ ଜୋନ୍‌ରେ ବିବେଚନା କରାଯିବ । ଏହି ଦୁଇଟି ଜୋନ୍‌ରେ ଲକ୍‌ଡାଉନ ଜାରି ରହିବ । ସେହିପରି ୟେଲୋ ଜୋନ୍‌ରେ ରହିଥିବା ଅଞ୍ଚଳଗୁଡିକରେ କିଛି କଟକଣା କୋହଳ କରାଯାଇପାରେ । ସେହିପରି ଗ୍ରୀନ୍‌ ଜୋନ୍‌ରେ ରହିଥିବା ଅଞ୍ଚଳଗଜୁଡିକରେ ଯେଉଁଠାରେ ସଂକ୍ରମଣ ନାହିଁ ସେଠାରେ ଲକ୍‌ଡାଉନ୍‌କୁ ହଟାଯାଇପାରେ ବୋଲି ଅନୁମାନ କରାଯାଉଛି । (ଏଜେନ୍ସି)

Related posts