ଗତ 24 ଘଣ୍ଟାରେ 4200 କରୋନା ପଜିଟିଭ ଚିହ୍ନଟ

Published: May 11, 2020, 11:37 pm IST

ନୂଆଦିଲ୍ଲୀ : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ 4213 ଟି ନୂଆ ମାମଲା ରୁଜୁ ହୋଇଛି ଏବଂ 97 ଜଣଙ୍କର ମୃତ୍ୟୁ ହୋଇଛି।  ଦେଶରେ କରୋନା ସଂକ୍ରମିତ ସଂଖ୍ୟା 67,152 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 44,029 ସକ୍ରିୟ ମାମଲା ଥିବାବେଳେ, 20,917 ଜଣ ସୁସ୍ଥ ଅଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା 2206 ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର। ଏଠାରେ 22 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 868ରେ ପହଞ୍ଚିଛି। ସେହିଭଳି ଗୁଜରାଟରେ 8 ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ 493 ଜଣ ପ୍ରାଣ ହରାଇଛନ୍ତି। ତାମିଲ୍‌ନାଡୁରେ ମଧ୍ୟ ସଂକ୍ରମିତଙ୍କ 8 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 53ରେ ପହଞ୍ଚିଛି ।

ସେହିଭଳି ଆଜି ମୁମ୍ବାଇରେ ଗୋଟିଏ ଦିନରେ 791 ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା 14,355ରେ ପହଞ୍ଚିଛି । ଆଜି ଏଠାରେ 20 ଜଣଙ୍କର ମୃତ୍ୟୁ ହୋଇଛି। ଗ୍ରେଟର ମୁମ୍ବାଇରେ ବର୍ତ୍ତମାନ ସୁଦ୍ଧା ମୋଟ ମାମଲା 14355କୁ ବୃଦ୍ଧି ପାଇଛି, ଯେଉଁଥିରେ 3110 ଜଣ ଡିସଚାର୍ଜ ହୋଇଥିବା ବେଳେ 528 ଜଣଙ୍କର ମୃତ୍ୟୁ ଘଟିଛି।

ସେହିଭଳି ଆଜି ମୁମ୍ବାଇର ଧରାବୀରେ ଗୋଟିଏ ଦିନରେ 57ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଧରାବୀରେ ଏପର୍ଯ୍ୟନ୍ତ 916 ଟି ପଜିଟିଭ୍‌ ମାମଲା ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା 29 ଜଣଙ୍କର ମୃତ୍ୟୁ ଘଟିଛି । (ଏଜେନ୍ସି)

Related posts