ଏସ୍‌ଆରସିଙ୍କ ବାତ୍ୟା ଅପଡେଟ୍‌ ସୂଚନା‌ : ଏବେ ଘଣ୍ଟାକୁ 15 କିମି ବେଗରେ ଗତି କରୁଛି

Published: May 19, 2020, 1:01 pm IST

ଭୁବନେଶ୍ବର : ବାତ୍ୟା ଆମ୍ପାନ୍‌ ଅପଡେଟ୍‌ ନେଇ ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ମହାବାତ୍ୟାରୁ ଖସି ଏବେ ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି । ବାତ୍ୟାର ବେଗ ବଢିଛି । ଏବେ ଘଣ୍ଟାକୁ 15 କିମି ବେଗରେ ଆଗକୁ ବଢୁଛି ଆମ୍ପାନ୍‌ । ଆଇଏମ୍‌ଡି ଡିଜିଙ୍କ କହିବାନୁସାରେ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରୁଛି ଆମ୍ପାନ୍‌ । କାଲି ସକାଳଠାରୁ ସନ୍ଧ୍ୟା ଯାଏ 6 ଜିଲ୍ଲାରେ ପ୍ରବଳ ବର୍ଷା ହେବ । ପବନ ବେଗ 110ରୁ 120 କିମି ରହିବ । ସ୍ଥଳ ବିଶେଷରେ ଏହା 135 କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ସୂଚନା ରହିଛି । କିଛି ଜିଲ୍ଲାରେ ଲୋକଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଜପତିରେ ଭୂସ୍ଖଳନ ଆଶଙ୍କାରେ କିଛି ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରଣ କରାଯାଉଛି ।

ଓଡ଼ିଶା ଉପକୂଳରେ ଆକସ୍ମିକ ଜୁଆର ମାଡିବା ସମ୍ଭାବନା  ନାହିଁ ବୋଲି କହିଛନ୍ତି । ସେହିପରି ଏଯାବତ୍‌ ମୋଟ 31ଟି ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି ଏସ୍‌ଆରସି । ପବନ ବଢିବା ସମୟରେ ବାହାରକୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାତ୍ୟା ଆଶ୍ରୟସ୍ଥଳରେ ରହିବା ସମୟରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ଏସ୍‌ଆରସି। ଆଜି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବାର ଲକ୍ଷ୍ୟ ରଖାଯାଇଥିବାବେଳେ ପ୍ରବାସୀ ଶ୍ରମିକଙ୍କୁ ରାସ୍ତା ଉପରକୁ ଆସିବାକୁ ବାରଣ କରାଯାଇଛି ବୋଲି କହିଛନ୍ତି ଏସ୍‌ଆରସି ।

Related posts