ତିହାର୍‌ ଜେଲ୍‌ରେ ପହଞ୍ଚିଲା କରୋନା :  ସଂକ୍ରମିତ ହେଲେ ଜେଲ୍‌ ସହାୟକ

Published: May 25, 2020, 8:37 am IST

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲ୍‌ରେ ପହଞ୍ଚିଲା କରୋନା । ତିହାର ଜେଲରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାକାର 7 ନମ୍ବର ଜେଲର ଜଣେ ଅଧିକାରୀ କରୋନା ଭାଇରସ ଚିହ୍ନଟ ହୋଇଥିବାର ସୂଚନା ରହିଛି। ଏହି ଅଧିକାରୀ (ସହାୟକ ଜେଲ ଅଧୀକ୍ଷକ) ଜଣକ ପାଞ୍ଚ ଜଣ କଏଦୀ ଓ ଅନ୍ୟ 2 ଜଣ ଜେଲ କର୍ମଚାରୀଙ୍କ ସଂପର୍କରେ ଆସିଥିଲେ । ଏହି ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଦିଲ୍ଲୀରେ ଏହା ପୂର୍ବରୁ ରୋହିଣୀ ଓ ମଣ୍ଡୋଲି ଜେଲରେ କରୋନା ପଜିଟିଭ ଚିହ୍ନଟ ହୋଇଛି ।

7 ନମ୍ବର ଜେଲର ଜଣେ ସହାୟକ ଅଧୀକ୍ଷକ ମେ’ 22ରେ ନିଜେ କୋଭିଡ-୧୯ ପରୀକ୍ଷା କରାଇଥିଲେ । ତାଙ୍କର ନମୁନା ରିପୋର୍ଟ ରବିବାର ପଜିଟିଭ ଆସିଛି । ତାଙ୍କ ସଂପର୍କରେ ଆସିଥିବା ଲୋକଙ୍କର ତାଲିକା ପ୍ରସ୍ତୁତ କରାଯାଉଛି ।

ଜେଲର ଅନ୍ୟ ଜଣେ ଅଧିକାରୀଙ୍କ କହିବା ଅନୁସାରେ ସହାୟକ ଜେଲ ଅଧୀକ୍ଷକ ତିହାର ଜେଲ ପରିସରରେ ନିର୍ମିତ ଆବାସିକ ପରିସରରେ ରହୁଥିଲେ । ଏଠାରେ ମଣ୍ଡୋଲି ଓ ରୋହିଣୀ ଜେଲରେ କାର୍ଯ୍ୟରତ କିଛି କର୍ମଚାରୀ ଥିଲେ । ବିଗତ ଦିନରେ ମଣ୍ଡୋଲି ଜେଲର ଜଣେ ଅଧିକାରୀଙ୍କୁ କରୋନା ହୋଇଥିଲା । ତାଙ୍କଠାରୁ ସଂକ୍ରମଣ ହୋଇଥିବାର ଅନୁମାନ କରାଯାଉଛି । ଜେଲ୍‌ରେ ଥିବା ଅନ୍ୟ ଅନ୍ତେବାସୀଙ୍କ ଲକ୍ଷଣ ଯାଞ୍ଚ କରାଯାଉଛି ।  (ଏଜେନ୍ସି)

Related posts