ବାପାର ଗାଳି ସହ୍ୟ କରି ନପାରି ନାବାଳକ ପୁଅର ଆତ୍ମହତ୍ୟା

Published: May 31, 2020, 12:41 pm IST

କନ୍ଦର୍ପ ବେହେରା

ରେଢାଖୋଲ : ବାପାର ଗାଳି ସହ୍ୟ କରି ନ ପାରି ନାବାଳକ ପୁଅ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ମିଳିଥିବା ସୂଚନା ଅନୁସାରେ ରେଢାଖୋଲ ଥାନା ଛତ୍ରପୁର ଗ୍ରାମର ସଂଜୟ ରାଉଳଙ୍କ ବଡ ପୁଅ ଉତ୍ତମ ରାଉଳ (୧୭) ୪ ଦିନ ତଳେ ନିଖୋଜ ହୋଇଯାଇଥିଲା। କୌଣସି ଦୁଷ୍ଟ କାମ ପାଇଁ ବାପା ସଂଜୟ ରାଉଳ ଉତ୍ତମକୁ ଗାଳିଗୁଲଜ କରିଥିଲେ ବୋଲି ଗ୍ରାମବାସୀଙ୍କଠାରୁ ପ୍ରକାଶ।

ବାପାଙ୍କର ଗାଳିକୁ ସହ୍ୟ କରି ନ ପାରି ଉତ୍ତମ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଏକ ମହୁଲ ଗଛର ଏକ ଶାଖାରେ ବେକରେ ନିଜର ଗାମୁଛା ଦେଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି। ଆଜି ସକାଳୁ ଗ୍ରାମର ମହିଳାମାନେ ଜଙ୍ଗଲକୁ ଶାଳମଞ୍ଜି ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ମହୁଲ ଗଛରେ କାହାର ଏକ ଶବ ଝୁଲୁଥିବାର ଦେଖୀ ଗ୍ରାମବାସୀଙ୍କୁ ଆସି କହିଥିଲେ। ଗ୍ରାମବାସୀ ଆସି ଦେଖନ୍ତି ତ ଉତ୍ତମର ଶବ। ୪ ଦିନ ହେଲା ସେ ନିଖୋଜ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ମୃତ ଶବକୁ ବ୍ୟବଚ୍ଛେଦ ପାଇଁ ରେଢାଖୋଲ ଡାକ୍ତଖାନାକୁ ପଠାଇଦିଆଯାଇଛି। ରେଢାଖୋଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ରେଢାଖୋଲ ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ ପ୍ରକାଶ କରିଛନ୍ତି।

Related posts