
ସୀତାରାମ ଅଗ୍ରଓ୍ବାଲ
ଟାଙ୍ଗୀ: ମୋବାଇଲ୍ରେ ଟିକ୍ଟକ୍ କରିବା ଜଣେ ଯବାନଙ୍କୁ ମହଙ୍ଗା ପଡିଛି। ଟିକ୍ଟକ୍ କରୁଥିବା ଯବାନ ଜଣଙ୍କୁ ଗାଁ ଲୋକେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଇଥିବା ବେଳେ ଟାଙ୍ଗୀ ପୋଲିସ୍ ଯବାନଙ୍କୁ ଉଦ୍ଧାର କରିଛି। ଏହି ଝଗଡାରେ ଯବାନଙ୍କ ଆକ୍ରମଣରେ ଗ୍ରାମର ଜଣେ ଯୁବକର ହାତ ଭାଙ୍ଗିଥିବା ବେଳେ ଉଭୟଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଟାଙ୍ଗୀ ମଶାଣୀ ସାହିର ବାସିନ୍ଦା ସୁରଜ କୁମାର ଜେନା ସିଆରପିଏଫ୍ରେ ଯବାନ ଭାବରେ କାର୍ଯ୍ୟ କରନ୍ତି। ଆଜି ଟାଙ୍ଗୀ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥର ନୂଆଗାଁ ନିକଟରେ ରାସ୍ତାକଡରେ ଟିକ୍ଟକ୍ କରୁଥିବା ବେଳେ ଏହି ଅଭାବନୀୟ କାଣ୍ଡ ଘଟିଛି। ଛୁଟି କଟାଇବାକୁ ଗାଁକୁ ଆସିଥିବା ସୁରଜ ନିଜର ଅନ୍ୟ ଜଣେ ସହକର୍ମୀଙ୍କ ସହିତ ବୁଲାବୁଲି ଏବଂ ଟିକ୍ଟକ୍ କରୁଥିବା ବେଳେ କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ପୀତବାସ ଜେନାଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କରୁ ହାତାହାତି ପର୍ଯ୍ୟନ୍ତ କଥା ଯିବା ପରେ ଗ୍ରାମବାସୀ ସୁରଜଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଯବାନଙ୍କ ପାଲଟା ଆକ୍ରମଣରେ ଉକ୍ତ ଯୁବକଙ୍କ ହାତ ଭାଙ୍ଗିଥିବା ବେଳେ ପୋଲିସ୍ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସୁରଜଙ୍କ ସାଥୀ ଯବାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ୍ ମାମଲାର ତଦନ୍ତ ଜାରି ରଖିଛି।